ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ଇନଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଜଣକ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍ରେ ପଢ଼ୁଥିଲେ। ହେଲେ ଗୁରୁବାର ହଷ୍ଟେଲରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ତେବେ ଏପର୍ଯ୍ୟନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ, ଘଟଣାସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଡିସିପି, ସିପି, ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତର ରହିଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ସମାନ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥିଲେ।
ଛାତ୍ରୀ ଜଣକ ପୂର୍ବରୁ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷକୁ ମଧ୍ୟ ଜଣାଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ତଦନ୍ତରୁ ଜଣାପଡ଼ିଥିଲା। ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ ଗୁରୁତର ଅବହେଳା ବୋଲି କହିଥିଲେ।