ଚୀନରେ ପୁଣି ଜଣେ ଭାରତୀୟ ଯାତ୍ରୀଙ୍କୁ ଦୁର୍ବ୍ୟବହାର: ୟୁଟ୍ୟୁବରଙ୍କୁ ଅଖିଆ ଅପିଆ ୧୫ ଘଣ୍ଟା ଅଟକ ରଖିଲେ ଚୀନ ଅଧିକାରୀ

NEWS7
another-covide-warrior-dies-in-nuapada

ନୂଆଦିଲ୍ଲୀ: Indian vlogger detained in Chinaଚୀନରେ ଭାରତୀୟଙ୍କ ଯାତ୍ରା କରିବା ସତରେ ବିପଦପ୍ରବଣ ହୋଇଗଲାଣି। ଭାରତୀୟ ନାଗରିକଙ୍କୁ ବିମାନବନ୍ଦରରେ ନାନା ହଇରାଣ ହରକତ କରୁଛନ୍ତି ଚୀନ ଅଧିକାରୀ। ନିକଟରେ ଜାପାନ ଯାଉଥିବା ପ୍ରେମା ଥୋଙ୍ଗଡୋକ୍ ନାମକ ଜଣେ ମହିଳାଙ୍କୁ ଚୀନ ଅଧିକାରୀମାନେ ୧୮ ଘଣ୍ଟାକାଳ ଅଟକାଇ ହଇରାଣ ହରକତ କରିଥିଲେ। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା।

ଏବେ ପୁଣି ଜଣେ ଭାରତୀୟ ୟୁଟ୍ୟୁବରଙ୍କୁ ୧୫ ଘଣ୍ଟାକାଳ ଅଟକ ରଖି ନାନା ହଇରାଣ କରିଛନ୍ତି। ତାଙ୍କ ସହ ଦୁର୍ବ୍ୟବହାର କରାଯାଇଛି। ସ୍ଥିତି ଏମିତି ହୋଇଥିଲା ଏହି ଇଣ୍ଡିଆନ ୟୁଟ୍ୟୁବର କାନ୍ଦି ପକାଇଥିଲେ ବୋଲି କହିଛନ୍ତି। ଅନ୍ ରୋଡ ଇଣ୍ଡିଆନ(On Road Indian) ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିବା ଅନନ୍ତ ମିତ୍ତଲଙ୍କୁ ଚୀନରେ ଏଭଳି ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଭିଡିଓରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି ଦର୍ଶାଇବା କାରଣୁ ଚୀନ ଇମିଗ୍ରେସନ ସେଣ୍ଟରରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଭାରତ ଫେରିବା ପରେ, ଅନନ୍ତ ମିତ୍ତଲ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ'Indian tourist detained in China over Arunachal issue'ଶୀର୍ଷକ ଏକ ଭିଡିଓ ଜାରି ତାଙ୍କ ଉପରେ ବିତିଥିବା ଘଟଣା ସେୟାର କରିଛନ୍ତି। ସେ ନଭେମ୍ବର ୧୬ ତାରିଖରେ ଚୀନରେ ପହଞ୍ଚିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ପହଞ୍ଚିବା ପରେ, ଇମିଗ୍ରେସନ କାଉଣ୍ଟରରେ ତାଙ୍କ ପାସପୋର୍ଟରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ଏହା ପରେ, ଅଧିକାରୀମାନେ ତୁରନ୍ତ ତାଙ୍କୁ ଅଟକାଇ ଏକ ଡିଟେନସନ ସେଣ୍ଟରକୁ ନେଇଗଲେ ଯେଉଁଠାରେ କିଛି ବାଂଲାଦେଶୀ ଏବଂ ଅନ୍ୟାନ୍ୟ ବିଦେଶୀ ନାଗରିକ ପୂର୍ବରୁ ଥିଲେ।

ଅନନ୍ତ ଆହୁରି କହିଛନ୍ତି ଯେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କେହି ତାଙ୍କ ସହ କଥା ହୋଇନଥିଲେ। ତା’ପରେ ତାଙ୍କୁ ଏକ କୋଠରୀକୁ ନିଆଯାଇଥିଲା ଯେଉଁଠାରେ ତାଙ୍କ ଫୋନ୍ ଏବଂ କ୍ୟାମେରା ଛଡ଼ାଇ ନିଆଯାଇଥିଲା। ସର୍ଚ୍ଚ ବେଳେ ଅଧିକାରୀମାନେ ତାଙ୍କ ଆଇପଡ୍ ଦେଖି ନଥିଲେ,ଯେଉଁଥିରେ ସେ ଭିଡିଓ ରେକର୍ଡ କରିଥିଲେ। ହେପାଜତରେ ଥିବା ସମୟରେ, ଅନନ୍ତ ବାରମ୍ବାର ଚୀନ୍ କର୍ତ୍ତୃପକ୍ଷଙ୍କୁ ପାଣି ଏବଂ ଖାଦ୍ୟ ପାଇଁ ଅନୁରୋଧ କରିଥିଲେ। ହେଲେ ସେମାନେ କିଛି ଶୁଣି ନଥିଲେ।

ଅନନ୍ତ କହିଛନ୍ତି “୧୫ ଘଣ୍ଟା ମଧ୍ୟରେ, ମୋତେ କେବଳ ଥରେ ପାଣି ଦିଆଯାଇଥିଲା। ଖାଦ୍ୟ ପାଇଁ ଅନୁରୋଧକୁ ଅଣଦେଖା କରାଯାଇଥିଲା। ୧୨ ଘଣ୍ଟା ବିତିବା ପରେ ମୁଁ ଅନୁଭବ କଲି ଯେ ମୁଁ ବଡ଼ ଗମ୍ଭୀର ସମସ୍ୟାରେ ପଡ଼ି ଯାଇଛି ବୋଧେ। ମୋତେ ଭୟ ଲାଗିଲା ଯେ ବୋଧହୁଏ ମୁଁ ଆଉ କେବେ ଭାରତ ଫେରି ପାରିବି ନାହିଁ।”

ତେବେ ଦୀର୍ଘ ସମୟରେ ସେ ଅଟକ ରହିବା ପରେ ସେ ଜାଣିପାରିଥିଲେ ଯେ ଅନନ୍ତ ଥରେ ଚୀନ୍ ବିମାନବନ୍ଦରରେ ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ଅଟକ ରଖିବାକୁ ସମାଲୋଚନା କରିଥିଲେ। ଏବଂ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ଭାବରେ ବର୍ଣ୍ଣନା କରିଥିଲେ। ସେଥିପାଇଁ ଚୀନ ଅଧିକାରୀଙ୍କର ଏଭଳି ଆକ୍ରୋଶର ଶିକାର ସେ ହୋଇଛନ୍ତି।

ଏନେଇ ଅନନ୍ତ କହିଛନ୍ତି ଯେ ୧୫ ଘଣ୍ଟା ଅଟକ ରଖିବା ପରେ ଜଣେ ଚୀନ ଅଧିକାରୀ ତାଙ୍କ ପାଖକୁ ଆସିଥିଲେ। ବିନା କୌଣସି ସ୍ପଷ୍ଟୀକରଣରେ କହିଥିଲେ “ତୁମ ପ୍ରକ୍ରିୟା ଶେଷ ହୋଇଛି। ତୁରନ୍ତ ଦେଶ ଛାଡ଼।”

ଗତ ମାସରେ ଅରୁଣାଚଳ ପ୍ରଦେଶର ପ୍ରେମା ଥୋଙ୍ଗଡୋକ୍ ନାମକ ଜଣେ ମହିଳା ଚୀନ ଦେଇ ଜାପାନ ଯାଉଥିବା ବେଳେ ଚୀନ ଅଧିକାରୀମାନେ ତାଙ୍କୁ ଏହିଭଳି ହଇରାଣ କରିଥିଲେ। ସେ ଲଣ୍ଡନରୁ ଜାପାନ ଯାଉଥିବା ସମୟରେ ସାଂଘାଇର ପୁଡୋଂ ବିମାନ ବନ୍ଦରରେ ୩ ଘଣ୍ଚା ପାଇଁ ଲେଓଭର ସମୟ ଥିଲା। ହେଲେ ତାଙ୍କ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଥିବାରୁ ଚୀନ ଅଧିକାରୀମାନେ ତାଙ୍କ ପାସ୍ପୋର୍ଟ ବୈଧ ନୁହେଁ ବୋଲି କହିଥିଲେ। ତୁମେ ଭାରତ ବଦଳରେ ଚୀନର ପାସ୍ପୋର୍ଟ ନିଅ ବୋଲି କହି ଥଟା କରିଥିଲେ। ଏବଂ ଖାଇବା ପିଇବା ବି ଦେଇନଥିଲେ। ଦୀର୍ଘ ୧୮ ଘଣ୍ଟାକାଳ ଫସି ରହିବା ପରେ ଭାରତୀୟ ଦୂତାବାସ ହସ୍ତକ୍ଷେପ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଭାରତ ଏହାକୁ ନେଇ ତୀବ୍ର ବିରୋଧ କରିଥିଲା। ହେଲେ ଚୀନ କିନ୍ତୁ ଏହାକୁ ସଠିକ ବୋଲି ଦର୍ଶାଇଥିଲା।