ମହିଳାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟରେ କ୍ଷମା ମାଗିଲେ ଅନିରୁଦ୍ଧାଚାର୍ଯ୍ୟ , କହିଲେ – ସମସ୍ତଙ୍କୁ କହି ନଥିଲି ...

Published By : Prameya-News7 Bureau | July 26, 2025 IST

ନୂଆଦିଲ୍ଲୀ : ଜଣାଶୁଣା ଧାର୍ମିକ କଥାପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟରେ କ୍ଷମା ମାଗିଛନ୍ତି। ନିଜ ଆଶ୍ରମରେ ଶ୍ରଦ୍ଧାଳୁଙ୍କ ସହ କଥାବାର୍ତ୍ତା ବେଳେ ସେ ଝିଅଙ୍କ ବିବାହ ଓ ଚରିତ୍ରକୁ ନେଇ ବିବାଦିତ ମନ୍ତବ୍ୟ ଦେଇଥିଲେ। ଏହାପରେ ମହିଳାମାନେ ତାଙ୍କ ବିରୁଦ୍ଧରେ ପ୍ରତିବାଦ ଆରମ୍ଭ କରି ଦେଇ ଥିଲେ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି ଅନିରୁଦ୍ଧାଚାର୍ଯ୍ୟ କ୍ଷମା ମାଗିଛନ୍ତି। ସେ ଏଥିରେ କହିଛନ୍ତି , ମୁଁ କିଛି ମହିଳାଙ୍କ ବିଷୟରେ କହିଥିଲି, ସମସ୍ତଙ୍କ ବିଷୟରେ ନୁହେଁ। ସେ କହିଛନ୍ତି ଯେ, ଭିଡ଼ିଓ ଭାଇରାଲ ହେବା ପୂର୍ବରୁ ପ୍ରମୁଖ ଶବ୍ଦକୁ ହିଁ କାଟି ଦିଆ ଯାଇଥିଲା। ଏଥିପାଇଁ ମୋର ମନ୍ତବ୍ୟର ଭୁଲ ଅର୍ଥ ବାହାର କରାଯାଇଛି।

ଅନିରୁଦ୍ଧାଚାର୍ଯ୍ୟ କହିଥିଲେ ଯେ, ଝିଅମାନଙ୍କ ବିବାହ ପାଇଁ ସଠିକ୍‌ ବୟସ ୨୫ ବର୍ଷ ପୂର୍ବରୁ ହେବା ଉଚିତ୍‌। ତାଙ୍କ ମତରେ, ଯଦି ଝିଅଙ୍କ ବିବାହ ବିଳମ୍ୱରେ ହୁଏ ତ ତାଙ୍କର ଅନେକ ବୟଫ୍ରେଣ୍ଡ ହୋଇଯା’ନ୍ତି ,ଯାହାଙ୍କ ସଂଖ୍ୟା ୪ରୁ ୫ ଯାଏ ହୋଇ ପାରେ। ସେ ଏହା ମଧ୍ୟ ଦାବି କରି ଥିଲେ ଯେ, ଏହି ପ୍ରକାରର ସଂପର୍କର ପ୍ରଭାବ ଝିଅଙ୍କର ବୈବାହିତ ଜୀବନ ଉପରେ ପଡ଼ି ପାରେ। ଆଜିର ଜୀବନଶୈଳୀ ଓ ସୋସିଆଲ ମିଡ଼ିଆ ଯୋଗୁଁ ଝିଅଙ୍କ ଜୀବନରେ ସ୍ଥିରତା ହ୍ରାସ ପାଉଛି। ଏଥିପାଇଁ ମାତା-ପିତାଙ୍କୁ ସମୟ ପୂର୍ବରୁ ଝିଅଙ୍କର ବାହାଘର କରି ଦେବା ଉଚିତ। ଏହି ମନ୍ତବ୍ୟ ପରେ ସୋସିଆଲ ମିଡ଼ିଆରେ ଜୋରଦାର ବିତର୍କ ଆରମ୍ଭ ହୋଇ ଯାଇ ଥିଲା। 

ଅନିରୁଦ୍ଧାଚାର୍ଯ୍ୟଙ୍କର ଏହି ମନ୍ତବ୍ୟକୁ ପ୍ରୟାଗରାଜରେ ମହିଳା ସଙ୍ଗଠନ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ ନାରୀ ବିରୋଧୀ ଓ ଅସମ୍ୱେଦନଶୀଳ କହିଛନ୍ତି। ତାଙ୍କର କହିବାନୁସାରେ , ଏହି ମନ୍ତବ୍ୟ କେବଳ ମହିଳାଙ୍କ ସ୍ୱାଧୀନତା ଓ ମର୍ଯ୍ୟାଦାକୁ ଆଘାତ କରୁନି, ବରଂ ସାମାଜିକତା ଦୃଷ୍ଟିକୋଣକୁ ମଧ୍ୟ ପଛକୁ ନେଇ ଯାଉଛି।

କହି ରଖୁଛୁ କି , ଅନିରୁଦ୍ଧାଚାର୍ଯ୍ୟ ମଧ୍ୟ ପ୍ରଦେଶର ଜବଲପୁରର ବାସିନ୍ଦା। ଉତ୍ତର ପ୍ରଦେଶର ବୃନ୍ଦାବନରେ ସେ ଗୌରୀ ଗୌପାଳ ଆଶ୍ରମ ଚଳାନ୍ତି। ଏଥିରେ ଗାଈମାନଙ୍କର ସେବା କରାଯାଉଛି। ଏହା ବ୍ୟତୀତ ସେ ବୃଦ୍ଧାଶ୍ରମ ମଧ୍ୟ ଚଲାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.