News7 Logo

ବହିଷ୍କାର ଡ୍ରାମା କରୁଥିଲା ପିସିବି ! ୟୁଏଇ ବିପକ୍ଷ ମ୍ୟାଚ୍ ଖେଳିବ ପାକିସ୍ତାନ, ବଦଳିବେନି ମ୍ୟାଚ୍ ରେଫରି

NEWS7
PCB

ନୂଆଦିଲ୍ଲୀ: ପାକିସ୍ତାନର ଏସିଆ କପ୍ ବହିଷ୍କାର ଡ୍ରାମା ଶେଷ ହୋଇଛି । ମ୍ୟାଚ୍ ନଖେଳିବା ଧମକ ଦେଉଥିବା ପାକିସ୍ତାନ ବୋର୍ଡ ଏବେ ନିଜ ଖେଳାଳିଙ୍କୁ ଭେନ୍ୟୁକୁ ପଠାଇଛି । ଏହାସହ ମ୍ୟାଚ୍‌ ଏକ ଘଣ୍ଟା ବିଳମ୍ୱରେ ଆରମ୍ଭ କରିବା ଲାଗି ପିସିବି ଅନୁରୋଧ କରିଥିବା ଜଣାପଡ଼ିଛି । ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଏସିଆ କପର ୧୦ତମ ମ୍ୟାଚ୍ ରାତି ଟାରେ ଆରମ୍ଭ ହେବ । ଏସିଆ କପର ଅଫିସିଆଲ୍ ବ୍ରଡକ୍ଟାଷ୍ଟର ସୋନି ସ୍ପୋର୍ଟସ୍ ଏହି ସୂଚନା ଦେଇଛି । ଆଜିର ମ୍ୟାଚ୍ ପାକିସ୍ତାନ ଏବଂ UAE ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ବିଜୟୀ ଦଳ ସୁପର୍-୪ ପାଇଁ ଯୋଗ୍ୟତା ଅର୍ଜନ କରିବ ।

ଏସିଆ କପ୍ ୨୦୨୫କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଆଜି ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଓ ୟୁଏଇ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳା ଯିବ । ତେବେ ମ୍ୟାଚ୍ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ଡ୍ରାମା କରି ମ୍ୟାଚ୍ ବୟକଟ୍ କରିବ ବୋଲି ପ୍ରଚାର କରିଥିଲା । ପାକିସ୍ତାନୀ ମିଡିଆରେ ଦାବି କରାଯାଇଥିଲା ଯେ, ପିସିବି ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ପାଇଁ ନିଷ୍ପତ୍ତି ନେଇଛି ।  ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ପିସିବି ଦାବି କରିଥିଲା, କିନ୍ତୁ ଆଇସିସି ମନା କରିବା ପରେ ପାକିସ୍ତାନ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ରାତି ୮ଟାରେ ଦୁବାଇରେ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପାକିସ୍ତାନୀ ଦଳ ହୋଟେଲ ଛାଡ଼ି ନଥିଲା । ଏବେ ପାକିସ୍ତାନ ଟିମ୍ ମ୍ୟାଚ୍ ଖେଳିବା ଲାଗି ପଡ଼ିଆରେ ପହଞ୍ଚିଛି ଓ ଏକ ଘଣ୍ଟା ସମୟ ମାଗିଛି ।

​​​ଉଲ୍ଲେଖଯୋଗ୍ୟ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ । ପାକିସ୍ତାନ ବୋର୍ଡ ଏଥିପାଇଁ ମ୍ୟାଚ୍ ରେଫରିଙ୍କୁ ଦାୟୀ କରିଥିଲା । ପାକିସ୍ତାନ ବୋର୍ଡ ଦାବି କରିଥିଲା ​​ଯେ ରେଫରି ପାଇକ୍ରଫ୍ଟ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଟସ୍ ସମୟରେ ହାତ ନମିଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପିସିବି ଆଇସିସିରେ ରେଫରିଙ୍କ ଏହି ଆଚରଣ ପାଇଁ ଅଭିଯୋଗ କରିଥିଲା ​​। ଏହାସହ ତାଙ୍କୁ ଏସିଆ କପରୁ ବାହାର କରିବାକୁ ଦାବି କରିଥିଲା । ଦାବି ପୂରଣ ନ ହେଲେ ୟୁଏଇ ବିପକ୍ଷ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟ ବହିଷ୍କାର ପାଇଁ ପାକିସ୍ତାନ ବୋର୍ଡ ଧମକ ଦେଇଥିଲା ।

ପାକିସ୍ତାନର ଏହି ଦାବିକୁ ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା । ମଙ୍ଗଳବାର ରାତିରେ ଦୁବାଇରେ ପିସିବିର ଏକ ଜରୁରିକାଳୀନ ବୈଠକ ହୋଇଥିଲା । ଏଥିରେ ୟୁଏଇ କ୍ରିକେଟ୍ ବୋର୍ଡ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା । ରିପୋର୍ଟ ଆସିଥିଲା ଯେ ପାଇକ୍ରଫ୍ଟଙ୍କୁ ପାକିସ୍ତାନ ମ୍ୟାଚରୁ ହଟାଇ ରିଚି ରିଚାର୍ଡସନଙ୍କୁ ରେଫରି ଭାବରେ ନିଯୁକ୍ତ କରାଯାଇଛି । ତେବେ ବୁଧବାର ପିସିବି ଦ୍ୱିତୀୟ ଥର ପାଇଁ ଆଇସିସିକୁ ଇମେଲ୍ କରି ତାର ଦାବି ଦୋହରାଇଥିଲା । ଏହା ପରେ ଆଇସିସିର ଆଉ ଏକ ବୈଠକ ହୋଇଥିଲା, କିନ୍ତୁ ପିସିବିର ଦାବି ଗ୍ରହଣ କରାଯାଇନଥିଲା ।