ଶିକ୍ଷା କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ବଡ଼ ପଦକ୍ଷେପ: ଜେଇ ଓ ନିଟ୍ ପରୀକ୍ଷା ପାଇଁ ଦିଆଯିବ ମାଗଣା କୋଚିଂ

Published By : Prameya-News7 Bureau | June 15, 2025 IST

thenewsminute.com

ହାଇଦ୍ରବାଦ: ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ସବୁବେଳେ ତତ୍‌ପର ଥାନ୍ତି। ଏଥିପାଇଁ ଶିକ୍ଷ୍ୟା ବ୍ୟବସ୍ଥାରେ ନୂଆ ନୂଆ ଯୋଜନା ଆଣିବା ସହିତ ନୂଆ ପାଠ୍ୟକ୍ରମ ମଧ୍ୟ ଯୋଡ଼ିଥାନ୍ତି। ଆନ୍ଧ୍ର ପ୍ରଦେଶ ଏବେ  ଏ ଦିଗରେ ଆଉ ପାଦେ ଆଗେଇଛି। ଆନ୍ଧ୍ର ସରକାର ଜେଇଇ ଏବଂ ନିଟ୍‌ ଭଳି ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସରକାରୀ ଜୁନିଅର କଲେଜର ଛାତ୍ରଛାତ୍ରୀମାନଙ୍କୁ ମାଗଣା କୋଚିଂ ଦେବା ଆରମ୍ଭ କରି ଦେଇଛନ୍ତି। ଏଥିରେ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। 

ଆନ୍ଧ୍ର ପ୍ରଦେଶର ୧୩୫୫ ଜୁନିଅର କଲେଜର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ମାଗଣା କୋଚିଂ ଯୋଗାଇ ଦିଆଯାଉଛି। ଏଥିସହିତ ଏମ୍‌ପିସି (ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ) ଏବଂ ବିଆଇପିସି (ଜୀବବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ) ପାଇଁ ଆବଶ୍ୟକ ଉଚ୍ଚମାନର ପାଠ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। 

ଏନେଇ ରାଜ୍ୟ ସରକାର କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସାହାଯ୍ୟ କରିବା ପାଇଁ ଏହା ସରକାରଙ୍କର ଏକ ବଡ଼ ପ୍ରୟାସ।

ଛାତ୍ରଛାତ୍ରୀମାନଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତ ପାଇଁ ମାଗଣାରେ ଯେଉଁ ପାଠ୍ୟ ସାମଗ୍ରୀ ଦିଆଯିବ। ଏହାକୁ ଉକ୍ତ ବିଷୟର ବିଶେଷଜ୍ଞମାନେ ପ୍ରସ୍ତୁତ କରିଛନ୍ତି। ଦୀର୍ଘ ୬ ମାସ ଧରି ନାନା ପରୀକ୍ଷା ନିରୀକ୍ଷା ପରେ ଉଭୟ ସରକାରୀ ଓ ବେସରକାରୀ କଲେଜ୍‌ର ଏକ୍ସପର୍ଟମାନେ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି। 

ତେବେ ଏଥିପାଇଁ ସମୟ ଲାଗିବାକୁ ଥିବାରୁ ସରକାର କଲେଜ୍ ପଢ଼ା ସମୟ ବୃଦ୍ଧି କରିଛନ୍ତି। ପୂର୍ବରୁ କଲେଜ ସମୟ ୯.୩୦ ରୁ ୪ଟା ଥିବା ବେଳେ ଏବେ ଏହାକୁ ସକାଳ ୯ ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନୂଆ ବିଷୟ ଅନୁସାରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ଅତି କମ୍‌ରେ ଦୁଇ ଘଣ୍ଟାର କୋଚିଂ ନେବା ଆରମ୍ଭ କରିଛନ୍ତି। କନିଷ୍ଠ ଅଧ୍ୟାପକମାନଙ୍କୁ ବିଷୟବସ୍ତୁ ପଢ଼ାଇବା ପାଇଁ ତାଲିମ ଦିଆଯାଇଛି।

କେବଳ ସେତିକି ନୁହେଁ, ପିଲାମାନେ କୋଚିଂରୁ କେତେ ମାତ୍ରାରେ ଶିକ୍ଷା ଆହରଣ କଲେ ଏଥିପାଇଁ ପ୍ରତି ସପ୍ତାହରେ ପରୀକ୍ଷା କରାଯିବ। ପିଲାମାନଙ୍କର ଅଗ୍ରଗତି ଉପରେ ନିୟମିତ ନଜର ରଖାଯିବ। ଏହି ପଦକ୍ଷେପ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ଏକ ସୁଯୋଗ ଦେବ ବୋଲି ଆନ୍ଧ୍ର ପ୍ରଦେଶ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ନାରା ଲୋକେଶ କହିଛନ୍ତି। 

ସେ ଆହୁରି କହିଛନ୍ତି “ଆମେ ଏପରି ଏକ ପରିବେଶ ସୃଷ୍ଟି କରୁଛୁ ଯେଉଁଠାରେ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ପିଲା ବଡ଼ ସ୍ୱପ୍ନ ଦେଖିପାରିବେ ଏବଂ JEE, NEET ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ଆତ୍ମବିଶ୍ୱାସର ସହିତ ପ୍ରସ୍ତୁତ ହୋଇପାରିବେ।”

ମନ୍ତ୍ରୀଙ୍କ ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ସରକାରୀ କ୍ଷେତ୍ରର ୧୩୫୫ ଜୁନିଅର କଲେଜର ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏହା ଘରୋଇ ଏବଂ ସରକାରୀ ଶିକ୍ଷା ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ। ଏନେଇ ମନ୍ତ୍ରୀ କହିଛନ୍ତି “ଗୁଣାତ୍ମକ ଶିକ୍ଷା କେବଳ ଏକ ସୁବିଧା ନୁହେଁ, ଏହା ଏକ ଅଧିକାର ହେବା ଉଚିତ ବୋଲି ଆମ ସରକାର ଦୃଢ଼ ବିଶ୍ୱାସ କରନ୍ତି। ଆମର ଲକ୍ଷ୍ୟ ଖୁବ୍ ସାଧାରଣ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ବଡ଼ ହାସଲ କରିବା ପାଇଁ ଆତ୍ମବିଶ୍ୱାସ, ଉପକରଣ ଏବଂ ପ୍ଲାଟଫର୍ମ ଦେବା ଆମର ଲକ୍ଷ୍ୟ।”

ସେହିପରି ଅନ୍ୟ ଦକ୍ଷିଣ ରାଜ୍ୟ ଯଥା ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ସରକାର ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ଅନେକ ପରିବର୍ତ୍ତନ କରିଥାନ୍ତି। ନିକଟରେ କର୍ଣ୍ଣାଟକ ସରକାର ନର୍ସିଂ କଲେଜ୍‌ଗୁଡ଼ିକରେ ବିଦେଶୀ ଭାଷାର ମାଗଣା ଶିକ୍ଷା ଦେବା ନେଇ ଘୋଷଣା କରିଥିଲେ। ନର୍ସିଂ ଛାତ୍ରମାନଙ୍କର ବିଶ୍ୱସ୍ତରୀୟ ନିଯୁକ୍ତି କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ, କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ନର୍ସିଂ କଲେଜରେ ବିଦେଶୀ ଭାଷା ପ୍ରୟୋଗଶାଳା(ଫରେନ ଲାଙ୍ଗୁଏଜ୍ ଲ୍ୟାବ୍) ସ୍ଥାପନ କରିବାକୁ ଘୋଷଣା କରିଥିଲେ। ଯାହାଦ୍ୱାରା ରାଜ୍ୟ ଯୁବବର୍ଗ ବିଦେଶ ଯାଇ ସହଜରେ ନିଯୁକ୍ତି ପାଇପାରିବେ। 

ନିକଟରେ କେରଳ ସରକାର ମଧ୍ୟ ଏମିତି ଏକ ପଦକ୍ଷେପ ନେଇଥିଲେ। କେରଳର ସାଧାରଣ ଶିକ୍ଷା ବିଭାଗ କହିଥିଲା ଯେ ୨୦୨୫-୨୦୨୬ ଶିକ୍ଷା ବର୍ଷର ପ୍ରଥମ ଦୁଇ ସପ୍ତାହ ନିୟମିତ ପାଠ୍ୟପୁସ୍ତକ ପରିବର୍ତ୍ତେ ସାମାଜିକ ସଚେତନତାର ପାଠ ପଢ଼ାଯିବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା ବିଷୟରେ ଶିକ୍ଷା ଦେବା। ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ଏହି ନିଷ୍ପତ୍ତି ନେଇଛି। ଏନେଇ କେରଳ ଶିକ୍ଷା ମନ୍ତ୍ରୀ ଭି ଶିବଙ୍କୁଟ୍ଟି କହିଛନ୍ତି ଯେ ସଚେତନତା ଅଭିଯାନଗୁଡ଼ିକ ନିଶା ସେବନ, ସାର୍ବଜନୀନ ସମ୍ପତ୍ତି ନଷ୍ଟ ଏବଂ ଭାବପ୍ରବଣ ନିୟନ୍ତ୍ରଣ ସମେତ ବିଭିନ୍ନ ବିଷୟ ଉପରେ ଶିକ୍ଷା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.