ମୁମ୍ବାଇ ୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଏଗଜ୍ୟୁକୁଟିଭ ଡାଇରେକ୍ଟର) ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଯୁକ୍ତି ୧ ମେ ୨୦୨୫ରୁ ପ୍ରଭାବୀ ହେବ ଓ ଏହି ନିଯୁକ୍ତି ୫ ବର୍ଷ ଅବଧି ନିମନ୍ତେ କରାଯାଇଛି। ସେୟାରଧାରୀଙ୍କ ମଞ୍ଜୁରୀ ପରେ ଏହି ନିଯୁକ୍ତିକୁ ଚୂଡ଼ାନ୍ତ ରୂପ ମିଳିବ। ଏହି ପଦକ୍ଷେପ ରିଲାଏନ୍ସ ର ଦୀର୍ଘକାଳୀକ ଉତ୍ତରାଧିକାର ଯୋଜନାରେ ନିଆଯାଇଛି।
ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅଟନ୍ତି, ପୂର୍ବରୁ କମ୍ପାନୀରେ ଅଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ରୂପେ କାମ କରୁଥିଲେ। ଏବେ ସେ କମ୍ପାନୀର କାର୍ଯ୍ୟକାରୀ ନେତୃତ୍ୱ ଅଂଶ ପାଲଟିବେ। ଅନନ୍ତ ଅମ୍ବାନୀ ରିଲାଏନ୍ସ ସମୂହର ଅନ୍ୟ କମ୍ପାନୀମାନଙ୍କ ବୋର୍ଡରେ ମଧ୍ୟ ସାମିଲ ଅଛନ୍ତି। ଏଥିରେ ସେ ଜିଓ ପ୍ଲାଟଫର୍ମସ, ରିଲାଏନ୍ସ ରିଟେଲ ଭେଞ୍ଚର୍ସ, ରିଲାଏନ୍ସ ନ୍ୟୁ ଏନର୍ଜୀ ଓ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜୀ ଓ ରିଲାଏନ୍ସ ଫାଉଣ୍ଡେସନ ବୋର୍ଡରେ ମଧ୍ୟ ସଦସ୍ୟ ଅଛନ୍ତି।
ଅନନ୍ତ ଅମ୍ବାନୀ ଆମେରିକାର ବ୍ରାଉନ ୟୁନିଭର୍ସିଟିରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଅମ୍ବାନୀ ପରିବାରର ପିଲାଙ୍କ ମଧ୍ୟରୁ ଅନନ୍ତ ଅମ୍ବାନୀ ପ୍ରଥମ ସଦସ୍ୟ ଯିଏ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତି ମିଳିଛି। ଅନନ୍ତ ଅମ୍ବାନୀଙ୍କ ଲାଗି ଏହି ପଦକ୍ଷେପ ଅମ୍ବାନୀ ପରିବାରର ଉତ୍ତରାଧିକାର ଯୋଜନା ଅଂଶ ସ୍ୱରୂପ ନିଆଯାଇଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ଆରଆଇଏଲ ନିକଟରେ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ପଳାଫଳ ଜାରି କରିଛି। ଏଥିରେ ଆରଆଇଏଲ ଭାରତର ପ୍ରଥମ କମ୍ପାନୀରେ ପରିଣତ ହୋଇଛି ଯାହାର ମୋଟ ଇକ୍ୱିଟି ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି।