ନୂଆଦିଲ୍ଲୀ: ନିୟାମକ ଅନୁପାଳନ ସମ୍ବନ୍ଧୀୟ ତ୍ରୁଟି ପାଇଁ ବ୍ୟାଙ୍କ ଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଉପରେ ଜରିମାନା। ଇଣ୍ଡିଆନ୍ ବ୍ୟାଙ୍କ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ୍ ସର୍ଭିସେସ୍ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ଏହି ସୂଚନା ଦେଇଛି।
RBI ଅନୁଯାୟୀ, ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନର କିଛି ବ୍ୟବସ୍ଥା ଉଲ୍ଲଂଘନ ଏବଂ 'ଅଗ୍ରୀମ ଉପରେ ସୁଧ ହାର', 'କିଷାନ କ୍ରେଡିଟ୍ କାର୍ଡ (KCC) ଯୋଜନା' ଏବଂ MSME କ୍ଷେତ୍ରକୁ ଋଣ' ସହିତ ଜଡିତ ନିର୍ଦ୍ଦେଶାବଳୀ ପାଳନ ନକରିବା ପାଇଁ ଇଣ୍ଡିଆନ୍ ବ୍ୟାଙ୍କ ଉପରେ ୧.୬୧ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି।
ଏହା ବ୍ୟତୀତ, 'ନନ୍-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ- ସିଷ୍ଟମିକାଲି ଇମ୍ପୋର୍ଟଣ୍ଟ୍ ନନ୍-ଡିପୋଜିଟ୍ ଟେକିଙ୍ଗ କମ୍ପାନୀ ଏବଂ ଡିପୋଜିଟ୍ ଟେକିଙ୍ଗ କମ୍ପାନୀ (ରିଜର୍ଭ ବ୍ୟାଙ୍କ) ନିର୍ଦ୍ଦେଶାବଳୀ, ୨୦୧୬' ଏବଂ 'Know Your Costumer' ନିର୍ଦ୍ଦେଶାବଳୀର କିଛି ବ୍ୟବସ୍ଥା ପାଳନ କରିନଥିବାରୁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ଉପରେ ୭୧.୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି RBI।
ଉଭୟ ମାମଲାରେ, କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ନିୟାମକ ଅନୁପାଳନରେ ତ୍ରୁଟି ଯୋଗୁଁ ଜୋରିମାନା ଲାଗୁ କରାଯାଇଛି। RBI କହିଛି ଯେ ଜଳନ୍ଧରସ୍ଥିତ ଇମ୍ପେରିଆଲ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। କାରଣ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଏବଂ ରୋଜଗାର ସମ୍ଭାବନା ନାହିଁ। ପଞ୍ଜାବ ସରକାରଙ୍କ ସମବାୟ ସମିତି ନିବନ୍ଧକଙ୍କୁ ମଧ୍ୟ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିବାକୁ ଏବଂ ବ୍ୟାଙ୍କ ପାଇଁ ଜଣେ ଲିକ୍ୱିଡେଟରଙ୍କୁ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି।
ପରିଶୋଧ ପରେ ପ୍ରତ୍ୟେକ ଜମାକାରୀ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (DICGC)ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାଙ୍କ ଜମା ଉପରେ ଜମା ବୀମା ଦାବି ରାଶି ପାଇବାକୁ ହକଦାର ହେବେ। ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ, RBI କହିଛି ଯେ ୯୭.୭୯ ପ୍ରତିଶତ ଜମାକାରୀ DICGCରୁ ସେମାନଙ୍କର ଜମାର ସମ୍ପୂର୍ଣ୍ଣ ପରିମାଣ ପାଇବାକୁ ହକଦାର। ଜାନୁଆରୀ ୩୧, ୨୦୨୫ ସୁଦ୍ଧା DICGC ମୋଟ ବୀମାକୃତ ଜମାରୁ ୫.୪୧ କୋଟି ଟଙ୍କା ପ୍ରଦାନ କରିସାରିଛି।