ବାଣିଜ୍ୟ ସମ୍ପର୍କ ଛିନ୍ନ କରି ଦେଲେ ଭାରତ-ପାକିସ୍ତାନ: କାହାର ହେବ ବେଶି କ୍ଷତି ?

Published By : Prameya-News7 Bureau | April 26, 2025 IST

internet

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଉତ୍ତେଜନା ତୀବ୍ର ଭାବରେ ବୃଦ୍ଧି ପାଇଛି। ପ୍ରତିକ୍ରିୟା ସ୍ୱରୂପ, ଭାରତ ଦ୍ୱିପାକ୍ଷିକ ବାଣିଜ୍ୟକୁ ସମ୍ପୂର୍ଣ୍ଣ ସ୍ଥଗିତ କରିବା ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଉଭୟ ଦଶର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କରିଡର-ଅଟାରୀ-ୱାଘା ସୀମା ବନ୍ଦ କରି ଦେଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଏହା ସୂଚାଇ ଦେଉଛି ଭାରତ ପାକିସ୍ତାନ ସହିତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଛି। 

ଭାରତ ଓ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ବି ଉଭୟଙ୍କର ବିଚାରଧାରା ଅଲଗା ଅଲଗା ହୋଇଥିବାରୁ ଦୁହିଁଙ୍କ ଭିତରେ ସବୁବେଳେ ଅହି-ନକୂଳର ସମ୍ପର୍କ ରହି ଆସିଛି। ପାକିସ୍ତାନୀ ଧର୍ମୀୟ ଭାବନାର ଅନ୍ଧକାର ଭିତରେ ବୁଡ଼ି ରହିଥିବା ବେଳେ ଭାରତ ଏକ ସ୍ୱଚ୍ଛ ମୁକ୍ତ ଓ ସ୍ୱାଧୀନ ବିଚାରାଧାର ସହ ଆଗକୁ ବଢୁଛି। ତେଣୁ ଦୁଇ ଦେଶ ମଧ୍ୟରେ ସବୁବେଳେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଏଥିପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ସୀମିତ ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବାର୍ଷିକ ହାରାହାରି ପ୍ରାୟ ୫୦୦ ମିଲିଅନ ଡଲାର ବ୍ୟବସାୟ ହେଉଛି। ହେଲେ ପାକିସ୍ତାନ ସହିତ ସମ୍ପୂର୍ଣ୍ଣ ବ୍ୟବସାୟ ବନ୍ଦ କରିଦେବା ନିଷ୍ପତ୍ତି ଉଭୟ ଦେଶକୁ ସାମାନ୍ୟ ପ୍ରଭାବିତ କରିବ। ଭାରତର କିଛି ଶିଳ୍ପ ଏବଂ ଗ୍ରାହକ ବର୍ଗ ଉପରେ ଅଳ୍ପ ପ୍ରଭାବ ପଡ଼ିବ।

ଭାରତର ପଞ୍ଜାବ ଅମୃତସରରୁ ୨୮ କିଲୋମିଟର ଏବଂ ପାକିସ୍ତାନର ଲାହୋରରୁ ୨୪ କିଲୋମିଟର ଦୂରରେ ଅବସ୍ଥିତ ଅଟାରୀ-ୱାଘା ବର୍ଡର, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପାଇଁ ଏକମାତ୍ର ସ୍ଥଳପଥ ହୋଇଆସିଛି। ଏହା କେବଳ ବ୍ୟବସାୟ ପାଇଁ ନୁହେଁ ବରଂ ଏହା ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱ ପାଇଁ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି। ତେବେ ବାଣିଜ୍ୟିକ ଦୃଷ୍ଟିକୋଣରୁ, ଏହି ଚେକପୋଷ୍ଟ ଉଭୟ ଦେଶର ଅର୍ଥନୀତିକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। 

ପଢନ୍ତୁ- ଦଶନ୍ଧିରେ ୧୭ କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ, ନିଯୁକ୍ତିକୁ ନେଇ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଲ୍ୟାଣ୍ଡ୍‌ ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସୀମା ଦେଇ ୩, ୮୮୬.୫୩ କୋଟି ଟଙ୍କାର ବାଣିଜ୍ୟ ହୋଇଥିଲା। ସେହିଭଳି ସରକାରୀ ତଥ୍ୟ ଅନୁଯାୟୀ, ପାକିସ୍ତାନ ସହିତ ବାଣିଜ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତ, ପାକିସ୍ତାନକୁ ଏପ୍ରିଲ ୨୦୨୪ରୁ ଜାନୁଆରୀ ୨୦୨୫ରେ ପ୍ରାୟ ୩,୭୨୦କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି। ଏହି ରପ୍ତାନିଗୁଡ଼ିକରେ ମୁଖ୍ୟତଃ ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି। ଯେଉଁଥିରେ ୯୧୫ କୋଟି ଟଙ୍କାର ଔଷଧ, ଏବଂ ପ୍ରାୟ ୧,୦୭୭ କୋଟି ଟଙ୍କାର ଔଷଧ ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ, ୭୦୮ କୋଟି ଟଙ୍କାର ଚିନି, ୧୦୬ କୋଟି ଟଙ୍କାର ଗାଡ଼ି ପାର୍ଟସ୍, ୫୦ କୋଟି ଟଙ୍କାର ସାର ରପ୍ତାନୀ ହୋଇଛି। ଅନ୍ୟପକ୍ଷରେ, ସମାନ ଅବଧିରେ ଭାରତର ପାକିସ୍ତାନରୁ ଖୁବ୍ କମ ଆମଦାନୀ କରିଛି। ମାତ୍ର ୩.୫ କୋଟି ଟଙ୍କାର ଆମଦାନୀ କରିଛି ଭାରତ। ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ କୃଷି ଉତ୍ପାଦ ଯେପରିକି ୬୫ ଲକ୍ଷ ଟଙ୍କାର ଅଞ୍ଜୀର, ୧୬ ଲକ୍ଷ ଟଙ୍କାର ଚେରମୂଳି ଯଥା ତୁଳସୀ ଏବଂ ରୋଜମେରୀ ଆଦି ଆମାଦନୀ ହୋଇଛି। 

ରିପୋର୍ଟ ଅନୁସାରେ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଖରାପ ହୋଇଗଲା। ଭାରତ ପାକିସ୍ତାନ ଠାରୁ ମୋଷ୍ଟ ଫେବର୍ଡ ନେସନ ବା ସବୁଠାରୁ ପସନ୍ଦର ଦେଶ ମାନ୍ୟତା ପ୍ରତ୍ୟାହାର କରିବା ସହିତ ପାକିସ୍ତାନ ଆମଦାନୀ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇଥିଲା। ଜବାବରେ ପାକିସ୍ତାନ ୨୦୧୯ ଅଗଷ୍ଟ ସୁଦ୍ଧା ଭାରତ ସମସ୍ତ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରି ଦେଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ କେବଳ ମାନବିକତା ଆଧାରରେ ଔଷଧର ଆମଦାନୀ ରପ୍ତାନୀ ଆଦି ଅଳ୍ପ ବ୍ୟବସାୟ ଚାଲୁଛି।ପଢନ୍ତୁ-ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ ଭାରତରେ ତିଆରି ହେବ: ଚୀନରୁ ପ୍ରଡକ୍ସନ ୟୁନିଟ ଉଠାଇ ଆଣିବ ଆପଲ

ଏହି ସବୁ ପ୍ରମୁଖ ଉତ୍ପାଦ ଏବଂ କ୍ଷେତ୍ରଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି। 
 ୧.
ଅପ୍ଟିକାଲ୍ ଲେନ୍ସ ଏବଂ ଚଷମା ସାମଗ୍ରୀ:ପାକିସ୍ତାନ ଭାରତର ଚଷମା ଶିଳ୍ପ ପାଇଁ କମ୍ ମୂଲ୍ୟର ଅପ୍ଟିକାଲ୍ ଲେନ୍ସ ଏବଂ କଞ୍ଚାମାଲ ଯୋଗାଇଥାଏ। ଏଥିରେ ଭାରତର ଛୋଟ ଛୋଟ ଅପ୍ଟିକାଲ୍ ଖୁଚୁରା ବ୍ୟବସାୟୀ ଉପକୃତ ହୋଇଥାନ୍ତି। ହେଲେ ହଠାତ୍ ବ୍ୟବସାୟ ବନ୍ଦ ହେବା ପରେ ଚଷମା ଓ ଏସମ୍ପର୍କିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରେ। ଫଳରେ ଏହା ନିମ୍ନ ଏବଂ ମଧ୍ୟମ ଆୟକାରୀ ଗ୍ରାହକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି।


 ୨. ଡ୍ରାଏ ଫ୍ରୁଟ୍
:- ପାକିସ୍ତାନରୁ ଆସୁଥିବା ଅଲମଣ୍ଡ, ଅଖରୋଟ, ପିଷ୍ଟାଚୁ ଏବଂ ଶୁଖିଲା ଆପ୍ରିକଟ୍, ଶୁଖିଲା ଖଜୁରୀ ଉତ୍ତର ଭାରତରେ ବିଶେଷ ଲୋକପ୍ରିୟ। ଯଦିଓ ଭାରତ ଏସବୁ ଇରାନ ଏବଂ ଆମେରିକା ଠାରୁ ଆମଦାନୀ କରିପାରିବ ତେବେ ପାକିସ୍ତାନ ଆମର ନିକଟତର ଥିବାରୁ ପାକିସ୍ତାନରୁ କମ୍‌ ମୂଲ୍ୟରେ ଓ ସତେଜ୍‌ ଡ୍ରାଏଫ୍ରୁଟ୍ ମିଳିଥାଏ। ବାଣିଜ୍ୟ ସ୍ଥଗିତ ହେବା ଦ୍ଵାରା ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହୋଇପାରେ। ବିଶେଷକରି ପର୍ବପର୍ବାଣୀ ଏବଂ ବିବାହ ସମୟରେ ଅଧିକ ମୂଲ୍ୟ ବୃଦ୍ଧି ହେବ। ଅଟାରି ୱାଘା ବର୍ଡର ଦେଇ ଆଫଗାନିସ୍ତାନରୁ ମଧ୍ୟ ଭାରତକୁ ଡ୍ରାଏ ଫ୍ରୁଟ୍ସ ଆସୁଥିଲା। ଏହି ସୀମା ଆଫଗାନିସ୍ତାନ ସହିତ ଭାରତର ବାଣିଜ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।
 3. ସିମେଣ୍ଟ
ଚୂନ ଏବଂ ପଥର, ଜିପସମ, କାଲ୍ୟାସିୟମ କାର୍ବୋନେଟ୍:ପାକିସ୍ତାନରୁ ଆମଦାନୀ ହେଉଥିବା ସିମେଣ୍ଟ ଏବଂ ଚୂନପଥର ଏବଂ ଜିପସମ ପଞ୍ଜାବ ଏବଂ ରାଜସ୍ଥାନରେ ନିର୍ମାଣ ପ୍ରକଳ୍ପରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ଏଥିସହିତ ଉତ୍ପାଦନ ଏବଂ ଔଷଧ ପ୍ରସ୍ତୁତରେ ବ୍ୟବହୃତ ମୌଳିକ ଶିଳ୍ପ ରାସାୟନିକ ପଦାର୍ଥ କ୍ୟାଲିସିୟମ ମଧ୍ୟ ପାକିସ୍ତାନରୁ ଆସିଥାଏ। ଭାରତରେ ଏହାର ଘରୋଇ ବିକଳ୍ପ ଥିଲେ ମଧ୍ୟ, ହଠାତ୍ ବିଜ୍‌ନେଶ ବନ୍ଦ ଯୋଗୁ କ୍ଷଣସ୍ଥାୟୀ ଭାବେ ଏହା ମହଙ୍ଗା ହୋଇପାରେ। ଯାହା ଗ୍ରାମୀଣ ଗୃହ ନିର୍ମାଣ ଏବଂ ସାର୍ବଜନୀନ ଭିତ୍ତିଭୂମିକୁ ପ୍ରଭାବିତ କରିପାରେ।

4.ସୈନ୍ଧବ ଲବଣ:- ଭାରତର ଧାର୍ମିକ ଉପବାସ ଏବଂ ପର୍ବପର୍ବାଣୀ ସମୟରେ ବ୍ୟବହୃତ ହେଉଥିବା ପାକିସ୍ତାନ ଆମାଦାନୀ ଯୁକ୍ତ ସୈନ୍ଧବ ଲବଣର ଅନ୍ୟ ବିକଳ୍ପ ପାଇବା କଷ୍ଟକର। ଏହାର ଯୋଗାଣ ବାଧାପ୍ରାପ୍ତ ହେଲେ ନବରାତ୍ରି, ମହାଶିବରାତ୍ରି ଏବଂ ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ସମୟରେ ଆବଶ୍ୟକ ହେଉଥିବା ସୈନ୍ଧବ ଲବଣ ମୂଲ୍ୟ ବୃଦ୍ଧି ହୋଇପାରେ।
 ୫. ଚମଡ଼ା ସାମଗ୍ରୀ ଏବଂ ଏଥନିକ ଫ୍ୟାଶନ୍ ଆସେସୋରିଜ୍
:- ପାକିସ୍ତାନରୁ ହସ୍ତଶିଳ୍ପ ଚମଡ଼ା ଉତ୍ପାଦ ଏବଂ ଏମ୍ବ୍ରୋଡେରୀ କରାଯାଇଥିବା ଏଥିନିକ ଜିନିଷଗୁଡ଼ିକ ବୁଟିକ୍ ଫ୍ୟାଶନ୍ କ୍ଷେତ୍ରରେ ଖୁବ୍ ଲୋକପ୍ରିୟ। ଆମଦାନୀ ବନ୍ଦ ହେବା ଦ୍ଵାରା ଏଥରେ ଭେରାଇଟି କମିପାରେ। ଏଥିରେ ଛୋଟ ବ୍ୟବସାୟଗୁଡ଼ିକ ପ୍ରଭାବିତ ହେବେ ଏବଂ ଫ୍ୟୁଜନ୍ ପୋଷାକ ଏବଂ ହସ୍ତଶିଳ୍ପ ସାମଗ୍ରୀରେ ମୂଲ୍ୟ ବୃଦ୍ଧି ପାଇପାରେ।

6. ଜୈବିକ ରାସାୟନିକ ପଦାର୍ଥ ଏବଂ ଶିଳ୍ପ ବ୍ୟବହୃତ ରଙ୍ଗ:- ପାକିସ୍ତାନରୁ ଆସୁଥିବା କିଛି ଦୈବିକ ରସାୟନିକ ପଦାର୍ଥ ଓ ଶିଳ୍ପ ବ୍ୟବହୃତ ରଙ୍ଗ ଉତ୍ତର ଭାରତର ଛୋଟ ମେନୁଫେକ୍ଚରିଂ ୟୁନିଟ୍ ଗୁଡ଼ିକ ବ୍ୟବହାର କରନ୍ତି। ତେବେ ଏଥିପାଇଁ ଭାରତ ଚୀନ୍ କିମ୍ବା ଦକ୍ଷିଣ ପୂର୍ବ ଏସିଆର ଦେଶର ସହଯୋଗ ନେଇପାରେ। ହେଲେ ଏଗୁଡ଼ିକ ଦୂର ହୋଇଥିବାରୁ ପରିବହନ ଖର୍ଚ୍ଚ ସହିତ ହିସାବ କଲେ ଏହାର ମୂଲ୍ୟ ବଢ଼ିଯାଇପାରେ। ଏଥିରେ ଅନ୍ୟାନ୍ୟ ଅସ୍ଥାୟୀ ବାଧା ମଧ୍ୟ ସୃଷ୍ଟି ହୋଇପାରେ। 

ଣ ଭାରତ ଏହି ବାଣିଜ୍ୟ ପ୍ରତିବନ୍ଧକ ପାଇଁ ପାଇଁ ପ୍ରସ୍ତୁତ?

ମୋଟାମୋଟି ଭାବରେ କହିବାକୁ ଗଲେ ଉତ୍ତର ହେବ ହଁ। କାରଣ ଭାରତର ବାଣିଜ୍ୟ ଆଧାର ବିବିଧତା ଭରା ରହିଛି। ଅନେକ ବ୍ୟବସାୟ କ୍ଷେତ୍ର ଏସବୁ ପାଇଁ ବିକଳ୍ପ ସୂତ୍ର ଖୋଜି ଦେବେ କିମ୍ବା ଏହାର ଘରୋଇ ଉତ୍ପାଦନ କରିହେବ। ତଥାପି ହଠାତ ପ୍ରତିବନ୍ଧକ ବ୍ୟବସାୟ କିଛିମାତ୍ରାରେ ପ୍ରଭାବିତ କରିପାରେ। 

ପାକିସ୍ତାନ ସହିତ ଭାରତ ବାଣିଜ୍ୟ ସମ୍ପର୍କ ଭଲ ଥିବା ବେଳେ ଭାରତ ଏହା ଠାରୁ ଉପରୋକ୍ତ ସାମମ୍ରୀ ସହିତ ଆଉ ଅନେକ ସାମଗ୍ରୀ ଆମଦାନୀ କରୁଥିଲା। ଯଥା-

ବୟନ ଶୀଳ୍ପ ପାଇଁ କଞ୍ଚାମାଲ- ଭାରତ, ଏକ କପଡ଼ା ଉତ୍ପାଦନର କେନ୍ଦ୍ର ସ୍ଥଳ ହେବା ସତ୍ତ୍ୱେ ବି ପାକିସ୍ତାନରୁ ନିର୍ଦ୍ଦିଷ୍ଟ କପଡ଼ା କଞ୍ଚାମାଲ ଆମଦାନୀ କରୁଥିଲା। ବିଶେଷକରି କପା ତୁଳା,କପା ସୂତା, ରେଶମ ଅବିଶିଷ୍ଟ ସାମଗ୍ରୀ ଆଦି ଆମଦାନୀ ହେଉଥିଲା। 

ଏହି ସାମଗ୍ରୀଗୁଡ଼ିକୁ ଭାରତୀୟ ନିର୍ମାତାମାନେ କପଡ଼ା, ପୋଷାକ ତିଆରି ଏବଂ ଘର ସାଜସଜ୍ଜା ଉତ୍ପାଦନ ପାଇଁ ବ୍ୟବହାର କରୁଥିଲେ। ପାକିସ୍ତାନର କପା ଉତ୍ପାଦନରେ ଅଧିକ ହେଉଥିବାରୁ ଭାରତ ପାଇଁ ଏହା ଉପଯୋଗୀ ଥିଲା। ବିଶେଷକରି ଭାରତରେ ଯେତେବେଳେ ମରୁଡ଼ି କିମ୍ବା ଅନ୍ୟାନ୍ୟ କୃଷି କାରଣ ଯୋଗୁ ଭାରତରେ ଘରୋଇ ଯୋଗାଣ ଅସ୍ଥିର ହେଉଥିଲା, ସେତେବେଳେ ପାକିସ୍ତାନରୁ ଆମଦାନୀ କରି ଏହାର ଭରଣା କରାଯାଉଥିଲା। 

କ୍ରୀଡା ସାମଗ୍ରୀ ଏବଂ ଶଲ୍ୟ ଚିକିତ୍ସା ଉପକରଣ-ପାକିସ୍ତାନ, ବିଶେଷକରି ସିଆଲକୋଟ ସହର  ଉଚ୍ଚମାନର କ୍ରୀଡା ସାମଗ୍ରୀ ଏବଂ ଶଲ୍ୟ ଚିକିତ୍ସା ଉପକରଣ ନିର୍ମାଣ ପାଇଁ ବିଶ୍ୱ ସ୍ତରରେ ବେଶ୍ ଜଣାଶୁଣା। କ୍ରିକେଟ ବ୍ୟାଟ୍, ବଲ୍, ଗ୍ଲୋଭ୍ସ ଏବଂ ଆନୁଷଙ୍ଗିକ ସାମଗ୍ରୀ ଭାରତକୁ ରପ୍ତାନୀ କରାଯାଉଥିଲା। ଭାରତ ଶଲ୍ୟ ଚିକିତ୍ସା ଉପକରଣ, ଖୁବ୍ କମ୍ ପରିମାଣରେ ଆମଦାନୀ କରୁଥିଲା। ପାକିସ୍ତାନ ପାଖ ହୋଥିବାରୁ ବେଳେବେଳେ ଭାରତୀୟ ବ୍ୟବସାୟୀମାନେ ପାକିସ୍ତାନ ଠାରୁ ଏହି ସାମଗ୍ରୀ କିଣୁଥିଲେ। ଏହି ବାଣିଜ୍ୟ ପ୍ରାୟତଃ ଉତ୍ତର ଭାରତୀୟ ବଜାରରେ ଘରୋଇ ବ୍ୟବସାୟୀ ଏବଂ ଆମଦାନୀକାରୀଙ୍କ ମାଧ୍ୟମରେ କରାଯାଉଥିଲା।

ଭାରତ-ପାକିସ୍ତାନ ବାଣିଜ୍ୟିକ ସ୍ଥିତି, ଐତିହାସିକ ସମସ୍ୟା

୨୦୧୯ ଅଗଷ୍ଟରେ ଦ୍ୱିପାକ୍ଷିକ ବାଣିଜ୍ୟ ସ୍ଥଗିତ ହେବା ପୂର୍ବରୁ, ପାକିସ୍ତାନ ଭାରତକୁ ବାର୍ଷିକ ପ୍ରାୟ ୫୦୦ ମିଲିଅନ ଡଲାର ସାମଗ୍ରୀ ରପ୍ତାନୀ କରି ଆସୁଥିଲା। ହେଲେ ଭାରତ ପାକିସ୍ତାନକୁ ୨ ବିଲିୟନ ଡଲାରରୁ ଅଧିକ ସାମଗ୍ରୀ ରପ୍ତାନୀ କରୁଥିଲା। ତେଣୁ ଏଥିରୁ ଜାଣାପଡ଼ୁଛି ଯେ ବ୍ୟବସାୟରେ ଭାରତ ପାକିସ୍ତାନ ଉପରେ ଏତେ ବେଶି ନିର୍ଭରଶୀଳ ନଥିଲା। ତଥାପି ପାକିସ୍ତାନର ସ୍ୱଳ୍ପ ରପ୍ତାନୀ ଆର୍ଥିକ ଦୃଷ୍ଟିରୁ ଭାରତର ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଖୁବ୍ ପ୍ରାସଙ୍ଗିକ ଥିଲା। ଦୁଇ ଦେଶ ମଧ୍ୟରେ ୱାଘା-ଅଟାରୀ ବର୍ଡରନ ବାଣିଜ୍ୟ କାରବାର ପାଇଁ ମୁଖ୍ୟ ସ୍ଥଳପଥ ଭାବରେ କାର୍ଯ୍ୟ କରୁଥିଲା। ସେହଗିପରି ମୁମ୍ବାଇ-କରାଚି ସମୁଦ୍ରପଥ ଏବଂ ବିମାନରେ ମଧ୍ୟ ମାଲ ପରିବହନ କରାଯାଉଥିଲା।

ଭାରତ-ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ବାଣିଜ୍ୟ ସ୍ଥିତି (୨୦୨୪-୨୦୨୫)

ଧାରା ୩୭୦ ଉଚ୍ଛେଦ ଏବଂ ବୃଦ୍ଧି ପାଉଥିବା ରାଜନୈତିକ ଉତ୍ତେଜନା ପରଠାରୁ, ବିଶେଷକରି ପୁଲୱାମା ଏବଂ ପହଲଗାମ ଆକ୍ରମଣ ପରି ଘଟଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆନୁଷ୍ଠାନିକ ବାଣିଜ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥଗିତ ରଖାଯାଇଛି। ଉଭୟ ଦେଶ କହିଛନ୍ତି  ସବୁଠାରୁ ପସନ୍ଦର ରାଷ୍ଟ୍ର (MFN) ମାନ୍ୟତା ପ୍ରତ୍ୟାହାର, ଉଚ୍ଚ ଆମଦାନୀ ଶୁଳ୍କ କିମ୍ବା ସମ୍ପୂର୍ଣ୍ଣ ନିଷେଧ ଲଗାଇବା,ଅଟାରୀ-ୱାଘା ଚେକ୍ ପଏଣ୍ଟ ଦେଇ ସ୍ଥଳ ସୀମା ବାଣିଜ୍ୟ ବନ୍ଦ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। 2025 ମସିହା ପର୍ଯ୍ୟନ୍ତ, କେବଳ ମାନବିକ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନୀ କରିବାର ଅନୁମତି ମିଳିପାରେ ତାହା ପୁଣି କିଛି ଖାସ୍ ପରିସ୍ଥିତିରେ।

ସିନ୍ଧୁ ଜଳ ଚୁକ୍ତିର ପ୍ରଭାବ

ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀରେ ଜଳ ବଣ୍ଟନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ କରାଚିରେ ଏକ ଚୁକ୍ତିନାମା ହୋଇଥିଲା। ଏହାକୁ ସିନ୍ଧୁ ଜଳ ଚୁକ୍ତିନାମା କୁହାଯାଏ। ଏହି ଚୁକ୍ତିନାମା ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଥିଲା। ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନ ଏହି ଚୁକ୍ତିନାମାରେ ସ୍ଵାକ୍ଷର କରିଥିଲେ।

ସିନ୍ଧୁ ନଦୀ   ପ୍ରଣାଳୀରେ ଛଅ ନଦୀ ରହିଛି। ଏଥିରେ ସିନ୍ଧୁ, ସତଲେଜ, ଝେଲମ, ଚେନାବ, ରବି ଓ ବ୍ୟାସ୍ ନଦୀ ସାମିଲ। ଏହି ରାଜିନାମା ଅନୁସାରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀର ମାତ୍ର ୨୦ ପ୍ରତିଶତ ପାଣି ବ୍ୟବହାର କରି ପାରିବ। ବାକି ୮୦ ପ୍ରତିଶତ ପାଣି ପାକିସ୍ତାନକୁ ପ୍ରବାହିତ ହେଉଛି। ପାକିସ୍ତାନର ଜୀବନ ରେଖା କୁହାଯାଉଥିବା ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ରହିଲେ ପଡ଼ୋଶୀର ଅବସ୍ଥା ଶୋଚନୀୟ ହୋଇପଡ଼ିବ। 

କାରଣ ଏହି ଚୁକ୍ତି ପାକିସ୍ତାନର ୮୦ ପ୍ରତିଶତ ଚାଷ ଜମିକୁ ଜଳ ଯୋଗାଉଛି। ଏଥିରେ ୯୩ ପ୍ରତିଶତ ଭାଗ ଜଳସେଚନ ପାଇଁ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ପାକିସ୍ତାନର ୨୩୭ ମିଲିୟନରୁ ଅଧିକ ଲୋକ ଏହି ପାଣି ଉପରେ ନିର୍ଭର କରନ୍ତି। ସିନ୍ଧୁ ଓ ଏହାର ଶାଖା ନଦୀରୁ ପାକିସ୍ତାନର ପ୍ରମୁଖ ସହର କରାଚି, ଲାହୋର, ମୁଲତାନ ନିର୍ଭରଶୀଳ ଥିବା ବେଳେ ତରବେଲା ଓ ମଙ୍ଗଲା ପରି ପ୍ରୋଜେକ୍ଟ ବି ଏହି ନଦୀ ଉପରେ ନିର୍ଭର। ତେଣୁ ସିନ୍ଧୁ ଜଳ ରାଜିନାମା ସ୍ଥଗିତ ହେଲେ ପାକିସ୍ତାନରେ ଖାଦ୍ୟ ଉତ୍ପାଦନ ଅହେତୁକ ହ୍ରାସ ଘଟିବ। ଏଥିରେ ଲକ୍ଷାଧିକ ଲୋକଙ୍କ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ଦେଖାଯିବ। ପାକିସ୍ତାନର ସହରାଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯିବ। ଏମିତି ହେଲେ ପ୍ରଭାବିତ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବ। ବିଜୁଳି ଉତ୍ପାଦନ ଠପ୍ ହୋଇଯିବ। ଏଥିରେ ଉଦ୍ୟୋଗ ଓ ସହରାଞ୍ଚଳରେ ଅନ୍ଧାର ଛାଇଯିବ।

ପାକିସ୍ତାନ ଏୟାର ସ୍ପେଶ୍ ବନ୍ଦ କରିବାର ପ୍ରଭାବ

ଭାରତର ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଯେଉଁ କିଛି ପଦକ୍ଷେପ ନେଇଛି ସେଥିରେ ଭାରତ ବେଶି ପ୍ରଭାବିତ ହେବ ନାହିଁ। ତେବେ ପାକିସ୍ତାନ ଏଯାରସ୍ପେସ୍ ବନ୍ଦ କରିବା ଭାରତୀୟ ଏୟାରଲାଇନ୍‌କୁ ପ୍ରଭାବିତ କରିପାରେ। ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନର ଏହି ନିଷ୍ପତ୍ତିରେ ସପ୍ତାହକୁ ଭାରତର ୮୦୦ ବିମାନ ପ୍ରଭାବିତ ହୋଇପାରନ୍ତି। ଯାତ୍ରାରେ ଦୂରତା ବଢିବା କାରଣରୁ ଅଧିକ ସମୟ ଲାଗିବ। ଏଥିରେ ଅଧିକ ଇନ୍ଧନ ଖର୍ଚ୍ଚ ହେବ। ତେଣୁ ହୁଏତ ବିମାନ ଟିକେଟ୍ ବଢ଼ିପାରେ। ଏହାର ପ୍ରାରମ୍ଭିକ ପ୍ରଭାବ ଦେଖିବାକୁ ମିଳିଲାଣି। ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଉତ୍ତର ଭାରତରୁ ପଶ୍ଚିମ ଏସିଆ, କକେସସ, ୟୁରୋପ, ୟୁକେ ଏବଂ ଉତ୍ତର ଆମେରିକାର ପୂର୍ବ ଅଞ୍ଚଳକୁ ଉଡ଼ାଣ କରୁଛନ୍ତି। ଏବଂ ସେମାନେ ସେମାନଙ୍କର ନିୟମିତ ପଥରୁ ଓହରି ଲମ୍ବା ରୁଟକୁ ଦେଇ ଯାଉଛନ୍ତି। 

ବାଣିଜ୍ୟ ବନ୍ଦ ହେବା ଦ୍ୱାରା ପ୍ରଭାବିତ ହେବେ ଉଭୟ ଦେଶ

ଅଟାରୀ-ୱାଘା ସୀମା ବନ୍ଦ ହେବା ଦ୍ୱାରା ଉଭୟ ଦେଶର ଅର୍ଥନୀତି ଏବଂ ସ୍ଥାନୀୟ ଲୋକଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏହି ନିଷ୍ପତ୍ତି ଭାରତ ପାଖ ପଞ୍ଜାବର ସ୍ଥାନୀୟ ଅର୍ଥନୀତିକୁ, ବିଶେଷକରି ଅମୃତସର ଏବଂ ଆଖପାଖ ଅଞ୍ଚଳକୁ ପ୍ରଭାବିତ କରିବ। ପରିବହନକାରୀ, କୁଲି, ଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଭଳି ପ୍ରାୟ ୫ ହଜାର ଲୋକ ଏହି ବ୍ୟବସାୟ ଉପରେ ସିଧାସଳଖ ନିର୍ଭର କରୁଥିଲେ। ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଜଣେ ସ୍ଥାନୀୟ ବ୍ୟବସାୟୀ କହିଛନ୍ତି, ଏହି ଚେକପୋଷ୍ଟ ୫୦ଟି ଗାଁର ଲୋକଙ୍କ ପାଇଁ ଜୀବିକା ନିର୍ବାହର ଉତ୍ସ ଥିଲା। ଏହା ବ୍ୟତୀତ, ଆଫଗାନିସ୍ତାନ ସହିତ ଭାରତର ବାଣିଜ୍ୟ ମଧ୍ୟ ପ୍ରଭାବିତ ହେବ, କାରଣ ଏହି ରାସ୍ତା ଦେଇ ଆଫଗାନ ସାମଗ୍ରୀ ଭାରତକୁ ଆସୁଥିଲା। ଏହି ନିଷ୍ପତ୍ତି କାରଣରୁ ଆଫଗାନିସ୍ତାନରୁ ଡ୍ରାଏଫ୍ରୁଟ୍ସ ଯୋଗାଣକୁ ବାଧା ଉପାଜିପାରେ। ଯାହା ଭାରତରେ ଡ୍ରାଏଫ୍ରୁଟ୍ସର ମୂଲ୍ୟ ବୃଦ୍ଧି କରିପାରେ।

ସେପେଟ ଭାରତର କଡ଼ା ଆକ୍ସନ ପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ମଧ୍ୟ ଭାରତରୁ କୌଣସି ଜିନିଷ୍ ନକିଣିବାକୁ ନିଷ୍ପତ୍ତି ନେଇଛି। ବିଶେଷଜ୍ଞଙ୍କ ମତରେ ଏହି ପଦକ୍ଷେପ ପାକିସ୍ତାନ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ। କାରଣ ପାକିସ୍ତାନକୁ ଭାରତ ଠାରୁ ଯେଉଁ ସାମଗ୍ରୀ ଶସ୍ତା ଏବଂ ସହଜରେ ମିଳୁଥିଲା, ସେସବୁ ସାମଗ୍ରୀ ଏବେ ଅନ୍ୟ ସ୍ଥାନରୁ ଆମଦାନୀ କରିବାକୁ ପଡ଼ିବ। ତାହାପୁଣି ଅଧିକ ଅର୍ଥ ଖର୍ଚ୍ଚ କରି। ତେଣୁ ଏହି ନିଷ୍ପତ୍ତି କାରଣରୁ ପାକିସ୍ତାନର ପୂର୍ବରୁ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି ଉପରେ ଗଭୀର ପଡ଼ିପାରେ। ତେବେ ଦେଶ କଥା କହିଲେ ଏହି କ୍ଷତି ପାକିସ୍ତାନ ପାଇଁ ବଡ଼ ହୋଇପାରେ। 

ପାକିସ୍ତାନ ଭାରତରୁ ଶସ୍ତା ମୂଲ୍ୟରେ ଫଳ, ପନିପରିବା, ଔଷଧ, ଜୈବିକ ରାସାୟନିକ ପଦାର୍ଥ ଏବଂ ଚିନି ଭଳି ସାମଗ୍ରୀ ଆମଦାନୀ କରୁଥିଲା। ହେଲେ ଏବେ ପାକିସ୍ତାନକ ଏସବୁ ଜିନିଷର ଚାହିଦା ପୂରଣ କରିବାକୁ ତୃତୀୟ ଦେଶଗୁଡ଼ିକ ଠାରୁ ଅଧିକ ମୂଲ୍ୟରେ କିଣିବାକୁ ପଡ଼ିବ। ଆଉ ଏଥିପାଇଁ ଅଧିକ ଟଙ୍କା ବି ଦେବାକୁ ପଡ଼ିବ।ଏମିତିରେ ପୂର୍ବରୁ ଦୁର୍ବଳ ଅର୍ଥନୀତିର ସାମ୍ନା କରୁଥିବା ପାକିସ୍ତାନ ପାଇଁ ଏହା ଖୁବ୍ କଷ୍ଟକର ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.