ଜନଗଣନା ୨୦୨୭: ସୋମବାର ପ୍ରକାଶ ପାଇବ ସରକାରୀ ବିଜ୍ଞପ୍ତି, ପ୍ରଥମ ଥର ଜାତି ଜନଗଣନା ସାମିଲ୍

Published By : Prameya-News7 Bureau | June 15, 2025 IST

indiatoday

ନୂଆଦିଲ୍ଲୀ: ଜନଗଣନା ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କଲେ କେନ୍ଦ୍ର ସରକାର। ଏନେଇ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜନଗଣନା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ସଚିବ, ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନର (RG&CCI) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଜନଗଣନା ପରିଚାଳନା ପାଇଁ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜୁନ୍ ୧୬ ତାରିଖରେ ପ୍ରକାଶ ପାଇବ। ସୂଚନା ଥାଉକି ଜନଗଣନା ଆରମ୍ଭ ହେବା ପରଠାରୁ ଏହା ଦେଶର ୧୬ତମ ଏବଂ ଭାରତ ସ୍ୱାଧୀନତା ପରଠାରୁ ଅଷ୍ଟମ ଜାତୀୟ ଜନଗଣନା ହେବ।

ସମୀକ୍ଷା ବୈଠକ ପରେ ସୂଚନା ଦେଇ ଅମିତ ଶାହ କହିଛନ୍ତି “ବରିଷ୍ଠ ଅଧିକାରୀଙ୍କ ସହିତ ଷୋଡ଼ଶ ଜନଗଣନା ପାଇଁ ପ୍ରସ୍ତୁତି ସମୀକ୍ଷା କଲି। ଆସନ୍ତାକାଲି, ଜନଗଣନାର ଗେଜେଟ୍ ବିଜ୍ଞପ୍ତି ଜାରି ହେବ। ଜନଗଣନାରେ ପ୍ରଥମ ଥର ପାଇଁ ଜାତି ଗଣନା ଅନ୍ତର୍ଭୁକ୍ତ ହେବ। ପ୍ରାୟ 34 ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ।” 

ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ, ଗୃହ ତାଲିକାକରଣ କାର୍ଯ୍ୟ (HLO) କରାଯିବ। ଏଥିରେ ବାସସ୍ଥାନର ଅବସ୍ଥା, ପରିବାରର ସମ୍ପତ୍ତି ଏବଂ ସୁବିଧା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ, ଜନସଂଖ୍ୟା ଗଣନା (PE) ମାଧ୍ୟମରେ ପରିବାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ଜନସଂଖ୍ୟାଗତ, ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ସଂଗ୍ରହ କରାଯିବ। ପ୍ରଥମ ଥର ପାଇଁ, ଏଥର ଜାତି ଗଣନାକୁ ଜନଗଣନା କାର୍ଯ୍ୟରେ ସାମିଲ୍ କରାଯିବ। 

ସମ୍ପୂର୍ଣ୍ଣ ଜନଗଣନା କାର୍ଯ୍ୟ ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ ଭାବରେ ପରିଚାଳିତ ହେବ। ନାଗରିକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍ୱ-ଗଣନା କରିବାର ବିକଳ୍ପ ମଧ୍ୟ ଦିଆଯିବ। ତେବେ ପ୍ରତ୍ୟେକ ପର୍ଯ୍ୟାୟରେ, ତଥ୍ୟ ସଂଗ୍ରହ, ପ୍ରସାରଣ ଏବଂ ସଂରକ୍ଷଣ ସମୟରେ କଡ଼ା ତଥ୍ୟ ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁତ୍ୱାରୋପ କରିଥିଲେ।

ଏହି ଜନଗଣନା କାର୍ଯ୍ୟର ପରିସର ବହୁତ ବଡ଼ ହେବ। ଏଥିରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ସହିତ ସାରା ଦେଶରେ ପ୍ରାୟ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.