ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ସୋନପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

Published By : Prameya-News7 Bureau | April 25, 2024 IST

ଭୁବନେଶ୍ୱର ୨୫/୦୪: ଗୁରୁବାର ଓଡ଼ିଶା ଆସୁଛନ୍ତି ଜାତୀୟ ରାଜନୀତିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହ । ସେ ସୋନପୁରକୁ ଯାଇ ନିର୍ବାଚନୀ ସଭାରେ ଯୋଗ ଦେବେ । ସଭାରେ ଦଳ ପାଇଁ ଭୋଟ୍‌ ମାଗିବେ । ନିର୍ବାଚନ ପ୍ରଚାର ପାଇଁ ଏହା ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ । 

ବିଜେଡି ପ୍ରତି ଶାହଙ୍କ ଆଭିମୁଖ୍ୟ କ’ଣ ରହିବ? ନିଶାନା କରିବେ ନା ନରମ ହେବେ? ତା ଉପରେ ସମସ୍ତଙ୍କ ନଜର । ଶାହଙ୍କ ସୋନପୁର ଗସ୍ତ ପାଇଁ ବିଜେପି ଶିବିରର ଜୋଶ୍‌ ବଢ଼ିଯାଇଛି । ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ହେବାକୁ ଥିବା ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । 

ପଶ୍ଚିମ ଓଡ଼ିଶାରେ ବିଜେପି ଯେଭଳି ଭଲ ପ୍ରଦର୍ଶନ କରିବ, ତାକୁ ନିଶ୍ଚିତ କରିବାକୁ ଏହି ସ୍ଥାନ ବଛାଯାଇଛି । ସୋନପୁର ସଭା ପରେ ଶାହ ଭୁବନେଶ୍ୱର ଆସିବେ । ଏଠାରେ ରାଜ୍ୟର ଶୀର୍ଷ ନେତୃତ୍ୱ ଓ ବିଭିନ୍ନ ଦଳୀୟ ପଦାଧିକାରୀଙ୍କୁ ଭେଟିବେ । କିଛି ପ୍ରାର୍ଥୀ ମଧ୍ୟ ଶାହଙ୍କୁ ଭେଟି ଆଲୋଚନା କରିବେ । ବିଜେପିର ବିଜୟ ବାନା ଯେମିତି ଉଡ଼ିବ ସେଥିପାଇଁ ଶାହ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି । 

ଗୁରୁବାର ଅପରାହ୍ନ ୩ଟାରେ ଶାହ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ । ସୋନପୁର ସଭା ପରେ ୬.୫୫ରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । 

ସୋନପୁର ସହରର ବିଭିନ୍ନ ସ୍ଥାନରେ ଦଳୀୟ ପୋଷ୍ଟର, ବ୍ୟାନର ଆଦି ଲାଗି ସହର ପଦ୍ମମୟ ହୋଇଉଠିଥିବା ଦେଖିବାକୁ ମିଳିଛି । ବିଜେପି ନେତା ଏବଂ କର୍ମୀ ସମସ୍ତେ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଏଥର ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢୁଥିବାରୁ ବିଜେପି ଏହାକୁ ଗୁରୁତର ସହ ନେଇଛି । ଏହାକୁ କାଉଣ୍ଟର କରିବାକୁ ଶାହ ପ୍ରଥମେ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.