ବୌଦ୍ଧ ୨୪।୭: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ବେହାଲ ହୋଇଥିବା ବେଳେ କାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ । ମେଡିକାଲରୁ ଘରକୁ ପହଞ୍ଚି ପାରିଲାନି ମୃତଦେହ । ଆମ୍ବୁଲାନ୍ସରେ ରାତିସାରା ରହିଲା ଶବ । ସକାଳେ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅରୁ କଢ଼ାଗଲା । ଦୀର୍ଘ ସମୟ ଆମ୍ବୁଲାନ୍ସରେ ରହିବା ପରେ ସକାଳେ ଘରେ ପହଞ୍ଚିଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିରାମୁଣ୍ଡା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ବିରାମୁଣ୍ଡା ଗ୍ରାମର ତୁଳା ନାୟକ ଗତକାଲି ରାତିରେ ମେଡିକାଲରେ ତାଙ୍କର ସ୍ଵାଭାବିକ ମୃତ୍ୟୁ ହୋଇଥିଲା । ତେବେ ମୃତ ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ନେଉଥିବା ସମୟରେ ଗ୍ରାମ ରାସ୍ତାରେ ଥିବା ପଚ ପଚ କାଦୁଅରେ ଆମ୍ବୁଲାନ୍ସଟି ଫସି ଯାଇଥିଲା । ଯାହା ଫଳରେ ଆମ୍ବୁଲାନ୍ସଟି ବିରାମୁଣ୍ଡା ଗାଁକୁ ପହଞ୍ଚି ପାରିନଥିଲା । ତେବେ ରାତିସାରା ଆମ୍ବୁଲାନ୍ସଟି ରାସ୍ତାରେ ହିଁ ପଡି ରହିଥିଲା ଏବଂ ସେହି ଆମ୍ବୁଲାନ୍ସରେ ଶବ ମଧ୍ୟ ରାତିସାରା ରହିଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସରେ ଶବ ରାତିସାରା ରହିବା ପରେ ସକାଳୁ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅରୁ ବାହାରକୁ ଅଣାଯାଇଥିଲା । ମୃତକଙ୍କ ଘରେ ଶବ ପହଞ୍ଚିଥିଲା । ତେବେ ବର୍ଷା ଦିନ ଆରମ୍ଭରୁ ଏହି ରାସ୍ତା ମରାମତି କରିବା ନେଇ ବହୁ ଦାବି ଆପତ୍ତି ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିବା ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।
You Can Read:
ମା’-ପୁଅ ଦୁହିଁଙ୍କ ବୟସରେ ମାତ୍ର ବର୍ଷେ ତଫାତ, ଉଭୟଙ୍କୁ ମିଳୁଛି ସରକାରଙ୍କ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା