ଆଳି ୨୪।୭: ମା’ଠୁ ବୟସରେ ବର୍ଷେ ସାନ ପୁଅ । ମା’ଙ୍କ ବୟସ ୮୩ ବର୍ଷ ହୋଇଥିବା ବେଳେ ପୁଅଙ୍କ ବୟସ ୮୨ ବର୍ଷ । ଆପଣଙ୍କୁ ନିଶ୍ଚିତ ଏହା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତରେ ନହେଲେ ବି କାଗଜପତ୍ରରେ ହୋଇଛି । ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଏକମାଣିଆ ପଞ୍ଚାୟତରୁ । ମା’-ପୁଅ ଦୁହିଁଙ୍କ ବୟସରେ ମାତ୍ର ବର୍ଷେ ତଫାତ ଥିବା ବେଳେ ଉଭୟଙ୍କୁ ମିଳୁଛି ସରକାରଙ୍କ ନୂତନ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା । ଘଟଣା ପଦାକୁ ଆସିବା ପରେ ଆରମ୍ଭ ହୋଇଛି ବିଭାଗୀୟ ଖୋଳତାଡ଼ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ସରକାର ଆସିବା ପରେ ୮୦ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏକମାଣିଆ ପଞ୍ଚାୟତର ବାଲି ଦେଈ (୮୩) ୩୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ତାଙ୍କ ପୁଅ ଭରତ ରାଉତ (୮୨)ଙ୍କୁ ମିଳୁଛି ୩୫୦୦ ଟଙ୍କା ଭତ୍ତା । ମା’ଙ୍କ ବୟସ ୮୩ ହୋଇଥିବା ବେଳେ ପୁଅଙ୍କ ବୟସ କିଭଳି ୮୨ ବର୍ଷ ହେଲା ବୋଲି ଏବେ ପ୍ରଶ୍ନ ଉଠିଛି । ପଞ୍ଚାୟତର ବହୁ ହିତାଧିକାରୀଙ୍କ ବୟସ ୮୦ ଅତିକ୍ରମ କରିଥିଲେ ମଧ୍ୟ ସେମାନଙ୍କୁ ଏଯାଏଁ ବର୍ଦ୍ଧିତ ଭତ୍ତା ମିଳୁନଥିବା ବେଳେ କିଭଳି ମା’ ଓ ପୁଅଙ୍କ ବୟସ ମାତ୍ର ଏକ ବର୍ଷ ବ୍ୟବଧାନ କରି ଭତ୍ତା ଦିଆଗଲା, ତାହା ତଦନ୍ତ ଅପେକ୍ଷାରେ ।
ଏହି ପଞ୍ଚାୟତର ହେମଲତା ବିଶ୍ୱାଳ ନାମକ ବୃଦ୍ଧାଙ୍କ ବୟସ ୮୫ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ବର୍ଦ୍ଧିତ ଭତ୍ତା ଏଯାଏଁ ଦିଆଯାଉନି । କିନ୍ତୁ ଭରତଙ୍କୁ ଗତ ଜାନୁଆରୀ ମାସରୁ ୩୫୦୦ ଟଙ୍କା ମିଳୁଛି । ଏଭଳି ଆହୁରି ଅନେକ ହିତାଧିକାରୀ ବୟସ ଜାଲିଆତି କରି ବର୍ଦ୍ଧିତ ଭତ୍ତା ହାତେଇଥିବା କୁହାଯାଉଛି । ଏ ନେଇ ସରପଞ୍ଚ ଅହଲ୍ୟା ବେହେରାଙ୍କ ପ୍ରତିନିଧି ତଥା ତାଙ୍କ ସ୍ୱାମୀ ପ୍ରମୋଦ ବିଶ୍ୱାଳ କହିଛନ୍ତି, ମା’ ଓ ପୁଅ ଦୁହିଁଙ୍କୁ ବର୍ଦ୍ଧିତ ଭତ୍ତା ମିଳୁଥିଲା । ପୁଅଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବ୍ଲକ୍ ପକ୍ଷରୁ ଚଳିତ ମାସରୁ ଭତ୍ତା ବନ୍ଦ ହୋଇଛି । ପଞ୍ଚାୟତର ୮ ଜଣ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରାଯିବା ନିମନ୍ତେ ପ୍ରଶାସନକୁ ଅବଗତ କରାଯାଇଛି । ଏନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠୀ କହିଛନ୍ତି, ଅଭିଯୋଗ ପରେ ଭରତ ରାଉତଙ୍କ ଭତ୍ତା ବନ୍ଦ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
You Can Read:
କଂଗ୍ରେସ ଭବନରେ ଖୋଲିଲା ମହିଳା ହିଂସାକୁ ନେଇ ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ