ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ରାଜସ୍ୱ ଅମଲା ସଂଘ, ଦାବି ପୂରଣ ନହେବାରୁ କାର୍ଯ୍ୟ ବନ୍ଦ ଡାକରା

Published By : Prameya-News7 Bureau | August 11, 2025 IST

ଛତ୍ରପୁର ୧୧।୦୮ : ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ରାଜସ୍ୱ ଅମଲା ସଂଘ । ଦାବି ପୂରଣ ନହେବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଏହାସହ ସମସ୍ତେ ଛୁଟିରେ ଯାଇଛନ୍ତି । 

୧୦ ଦଫା ଦାବି ପୂରଣ ନେଇ ପୂର୍ବରୁ ବହୁଥର ସରକାରଙ୍କୁ ଅବଗତ କରାଯାଇଥିଲା । ତଥାପି ତାପରେ ବି କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଅମଲାମାନେ ଆନ୍ଦୋଳନ କରିଛନ୍ତି । ଜିଲ୍ଲାର ପ୍ରାୟ ୬ଶହରୁ ଅଧିକ ଅମଲା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଶେଷରେ ଆଜି ଏହି ଆନ୍ଦୋଳନ ପଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ରହିଛି । ଚୌକି ଅଛି କିନ୍ତୁ ଅମଲା ନାହାନ୍ତି । ଅମଲାମାନେ ଛତ୍ରପୁରର ଏକ ସ୍ଥାନରେ ଏକାଠି ହୋଇ ଆନ୍ଦୋଳନ ଜାରି ରଖିଛନ୍ତି । ଓଡ଼ିଶା ରାଜ୍ୟ ରାଜସ୍ୱ ଅମଲା ସଂଘର ନିର୍ଦ୍ଦେଶ କ୍ରମେ ଗଞ୍ଜାନ ଡିସ୍ସା ରାଜସ୍ୱ ଅମଲା ସଂଘ ପକ୍ଷରୁ ବହୁ ସଭ୍ୟ/ସଭ୍ୟାମାନେ ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଦାବି ରହିଛି- ମୂଳ ଦରମା ଓଆରଏସପି- ୨୦୧୭ ନିୟମ ଅନୁଯାୟୀ ଲେବେଲ - ୯ କୁ ବୃଦ୍ଧି କରିବା |  ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ  । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ | ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ | ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ବ ଅମଲାମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ | ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.