ଭଦ୍ରକ ୨୭।୫: ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଯୋଗୁଁ ଶିଶୁର ମୃତ୍ୟୁ ଓ ମା’ ଗୁରୁତର ଘଟଣାକୁ ନେଇ ରାସ୍ତା ଅବରୋଧ । ଉତ୍ତେଜନାକୁ ଦେଖି ରାସ୍ତାରୋକ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ଏକ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍ ନାମରେ ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ ତିହିଡି ଥାନା ଅଧୀନ ଦୋଳସାହି, ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ନେଇ ଏହି ଅଲଟ୍ରାସାଉଣ୍ଡ କ୍ଲିନିକ୍ରେ ଅଲଟ୍ରାସାଉଣ୍ଡ କରିବା ପରେ ରିପୋର୍ଟ ନେଇଥିଲେ । ପରେ ପେଟରେ ଯନ୍ତ୍ରଣା ହେବାରୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପେଟରେ ଥିବା ଶିଶୁର ମୃତ୍ୟୁ ହୋଇଯାଇଥିବା ଡ଼ାକ୍ତର କହିବା ସହ ଗର୍ଭନଷ୍ଟ କରିଥିଲେ । ତେବେ ମୃତ ଶିଶୁଟି ପୁତ୍ର ସନ୍ତାନ ହୋଇଥିବା ଜଣାପଡିଥିଲା । ମା’ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଶିଶୁର ମୃତଦେହକୁ ରଖି ଅଲଟ୍ରାସାଉଣ୍ଡ ସେଣ୍ଟର ସମ୍ମୁଖରେ ଧାରଣାରେ ବସିଥିଲେ ମୃତ ଶିଶୁର ବାପା ଓ ପରିବାର ଲୋକେ । ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ଭଦ୍ରକ ସହରାଞ୍ଚଳ ପୋଲିସ ଅଲଟ୍ରାସାଉଣ୍ଡ ସେଣ୍ଟରରେ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ସୁଫଳ ମିଳିନଥିଲା । ଉତ୍ତ୍ୟକ୍ତ ଲୋକେ ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ବାଇପାସ୍ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
You Can Read:
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ