LIVE TV

ଦେଶରେ ସବୁ ତୃତୀୟ UPI ନେଣ ଦେଣ ଅସୁରକ୍ଷିତ: DoT

NEWS7
gfx

ନୂଆଦିଲ୍ଲୀ ୧୧।୧୦: ଭାରତରେ ଡିଜିଟାଲ ପେମେଣ୍ଟର ପରିସର ଦିନକୁ ଦିନ ପ୍ରସାରିତ ହେବାରେ ଲାଗିଛି। ତେବେ ଏହା ସହିତ ସାଇବର ଠକେଇର ଭୟ ମଧ୍ୟ ବଢିବାରେ ଲାଗିଛି। ନିକଟରେ ଦୂରସଞ୍ଚାର ବିଭାଗ (ଡିଓଟି)ଙ୍କ ଏକ ରିପୋର୍ଟରେ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଦେଶରେ ହେଉଥିବା ପ୍ରତ୍ୟେକ ୩ରୁ ଗୋଟିଏ ୟୁପିଆଇ ପେମେଣ୍ଟ ଫ୍ରଡ ସୁରକ୍ଷା ତନ୍ତ୍ରରୁ ବାହାରେ ରହୁଛି। ଏହାର କାରଣ ହେଉଛି ‘ଗୁଗଲ ପେ’ ଏ ପର୍ଯ୍ୟନ୍ତ ସରକାରଙ୍କ ଫ୍ରଡ ରିସ୍କ ଇଣ୍ଡିକେଟର (ଏଫଆରଆଇ) ଟୁଲକୁ ନିଜ ସିଷ୍ଟମରେ ଲାଗୁ କରି ନାହାନ୍ତି।

ଫ୍ରଡରିସ୍କ ଇଣ୍ଡିକେଟର କ’ଣ?
ଏଫଆରଆଇ ଏକ ଟେକ୍ନିକାଲ ଟୁଲ, ଯାହାକୁ ଡିଓଟି ବିକଶିତ କରିଛନ୍ତି। ଏହା ଦ୍ୱାରା ମୋବାଇଲ ନମ୍ବର ଓ ଆକାଉଣ୍ଟକୁ ଫ୍ରଡ ରିସ୍କ ଅନୁସାରେ ବର୍ଗିକୃତ କରାଯାଇ ପାରିବ। ଏହି ଟୁଲ କୌଣସି ନେଣଦେଣ ପୂର୍ବରୁ ସାମ୍ନାରେ ଥିବା ନମ୍ବର ଅଥବା ଆକାଉଣ୍ଟ ‘ଲୋ’, ‘ମିଡିୟମ’ ଅଥବା ‘ହାଇ ରିସ୍କ’ ଶ୍ରେଣୀର ଜଣାଇଦେବ। ଏଥିରେ ଯଦି ରିସ୍କ ଅଧିକ ଥାଏ ତେବେ ନେଣ ଦେଣକୁ ରୋକା ଯାଇ ପାରିବ ନଚେତ ୟୁଜରଙ୍କୁ ସତର୍କ କରାଯାଇ ପାରିବ। ଏହାର ଉଦ୍ଦେଶ୍ୟ ଅନଲାଇନ ପେମେଣ୍ଟସରେ ବଢୁଥିବା ଫିସିଂ ଓ ସ୍କାମରୁ ଲୋକଙ୍କୁ ବଞ୍ଚାଇବା।

ଗୁଗଲ ପେ ଉପରେ ପ୍ରଶ୍ନ
ଡିଓଟି ଅଧିକାରୀଙ୍କ ଅନୁସାରେ ଗୁଗଲ ପେ ଦେଶର ମୋଟ ୟୁପିଆଇ ନେଣଦେଣର ୩୦ରୁ ୩୫% ସମ୍ଭାଳୁଛି। ହେଲେ ସେ ଏ ପର୍ଯୟନ୍ତ ପେମେଣ୍ଟ ସିଷ୍ଟମରେ ଏଫଆରଆଇ ଲାଗୁ କରି ନାହିଁ। ଏହାର ଅର୍ଥ ସବୁ ମାସରେ କୋଟିକୋଟି ନେଣଦେଣ ବିନା କୌଣସି ସରକାରୀ ଫ୍ରଡ ସୁରକ୍ଷା ଯାଞ୍ଚରେ ପୁରା ହେଉଛି। ତେବେ ଗୁଗଲ ଇଣ୍ଡିଆ ପବ୍ଲିକ ପଲିସି ମୁଖ୍ୟ ରାଜେଶ ରଞ୍ଜନ କହିଛନ୍ତି ଯେ ତାଙ୍କ କମ୍ପାନୀ ଡିଓଟି ସହିତ ଏଫଆରଆଇ ଲାଗୁ କରିବା ପାଇଁ ଆଲୋଚନା କରୁଛନ୍ତି, ହେଲେ ଏହା ଏ ପର୍ଯ୍ୟନ୍ତ ଇଣ୍ଟିଗ୍ରେସନ ହୋଇ ନାହିଁ। ସେ କହିଛନ୍ତି ଯେ ଗୁଗଲ ନିକଟରେ ପୂର୍ବରୁ ନିଜର ଏଆଇ ଆଧାରିତ ଠକେଇ ନିୟନ୍ତ୍ରଣ ପ୍ରଣାଳୀ ‘ଡିଜି କବଚ’ ଅଛି, ଯାହା ସନ୍ଦିଗ୍ଧ ଗତିବିଦ୍ଧି ଚିହ୍ନଟ ପାଇଁ କାମ କରୁଛି।

ଅନ୍ୟ କମ୍ପାନୀ ଆପଣେଇଛନ୍ତି ସୁରକ୍ଷା ସିଷ୍ଟମ
ତେବେ ଫୋନ ପେ ଓ ପେଟିଏମ ଭଳି ୟୁପିଆଇ ପେମେଣ୍ଟ ସିଷ୍ଟମ ଏଫଆରଆଇ ଟୁଲକୁ ନିଜ ସିଷ୍ଟମରେ ଇଣ୍ଟିଗ୍ରେଟେଡ କରିଛନ୍ତି। ଡିଓଟିଙ୍କ ଅନୁସାରେ ଏହି କମ୍ପାନୀମାନେ ଟୁଲ ସହାୟତାରେ କୋଟିକୋଟି ଟଙ୍କାର ସମ୍ଭାବିତ ଠକେଇକୁ ରୋକି ପାରିଛନ୍ତି। ଏଥିରେ ଫୋନ ପେ ଏ ପର୍ଯ୍ୟନ୍ତ ପାଖାପାଖି ୧୨୫ କୋଟି ଓ ପେଟିଏମ ଗ୍ରାହକଙ୍କୁ ୬୮ କୋଟି ଟଙ୍କା ଠକେଇରୁ ରକ୍ଷା କରିପାରିଛନ୍ତି।

ଆରବିଆଇଙ୍କ ନିର୍ଦ୍ଦେଶ ଓ ବଢୁଥିବା ସାଇବର ବିପଦ
ଭାରତୀୟ ରିଜର୍ଭ ବ୍ୟାଙ୍କ ଜୁନ ୨୦୨୫ରେ ସବୁ ବ୍ୟାଙ୍କ ଓ ପେମେଣ୍ଟ କମ୍ପାନୀଙ୍କୁ ଏଫଆରଆଇ ସିଷ୍ଟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆରବିଆଇଙ୍କ କହିବା କଥା ହେଉଛି ଏହି ପଦକ୍ଷେପ ଦେଶରେ ଡିଜିଟାଲ ନେଣଦେଣକୁ ସୁରକ୍ଷିତ କରିବା ଲାଗି। ଡିଓଟିଙ୍କ ଅନୁସାରେ ଦେଶରେ ୨୦୨୨ ମସିହାରେ ପାଖାପାଖି ୧୦.୨୯ଲକ୍ଷ ସାଇବର ଫ୍ରଡ ମାମଲା ରୁଜୁ ହୋଇଥିଲା। ୨୦୨୪ ବେଳକୁ ଏହା ବଢି ୨୨.୬୮ ଲକ୍ଷକୁ ପହଞ୍ଚି ଯାଇଥିଲା। ସରକାର ଏ ପର୍ଯ୍ୟନ୍ତ ଠକେଇ ମାମଲାରେ ୯.୪ଲକ୍ଷ ସିମକାର୍ଡ ଓ ୨.୬ଲକ୍ଷ ଆଇଏମଇଆଇ ନମ୍ବର ବ୍ଲକ୍ କରିଛନ୍ତି।