କାନ୍ସରେ ଇତିହାସ ରଚିଲେ ଆଲିଆ ଭଟ୍ଟ, ପ୍ରଥମ ଥର ଗୁଚି ଶାଢୀରେ ଆସିଲେ ନଜର

Published By : Prameya-News7 Bureau | May 26, 2025 IST

ମୁମ୍ବାଇ ୨୬।୦୫: ୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌  ଅଭିନେତ୍ରୀ ଆଲିଆ ଭଟ୍ଟ । ରେଡ୍‌ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ତାଙ୍କ ସିଆପରେଲି କ୍ରିମ୍‌ ଗାଉନକୁ   ପିନ୍ଧିବା ପରେ ସେ ଗର୍ଭବତୀ ଥିବା ଭଳି କଥା ଚର୍ଚ୍ଚାକୁ ଆସିଥିଲା । ଏହା ପରେ କାନ୍ସର ଶେଷ ଦିନରେ ସେ ଗୁଚି ବ୍ରାଣ୍ଡ୍‌ର ଗୋଲ୍ଡେନ୍‌ ଶାଢ଼ି ପିନ୍ଧି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । 

ଗୁଚି ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଶାଢ଼ି ଡିଜାଇନ କରିବାରେ ଏହା ପ୍ରଥମ ଘଟଣା । ଆଲିଆଙ୍କ ଶାଢ଼ିରେ ବେଶ୍‌ ମୂଲ୍ୟବାନ ସ୍ୱାରୋଭ୍‌ସ୍କି କ୍ରିଷ୍ଟାଲ ଲାଗିଛି । ପାଖରୁ ଦେଖିଲେ ଏହି କ୍ରିଷ୍ଟାଲ ଦ୍ୱାରା ପୂରା ଶାଢ଼ିରେ ଗୁଚି ବ୍ରାଣ୍ଡ୍‌ର ଲୋଗୋ ବନାଯାଇଥିବା ଦେଖାଯିବ । ପ୍ରସିଦ୍ଧ ସେଲିବ୍ରିଟି ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ଆଲିଆଙ୍କୁ ଏହି ଷ୍ଟାଇଲ ଦେଇଛନ୍ତି । ଆଲିଆଙ୍କ ପୂର୍ବରୁ ରିୟା କାନ୍ସରେ ଜାହ୍ନବୀ କପୁରଙ୍କୁ ମଧ୍ୟ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥିଲେ । କାନ୍ସରେ ଆଲିଆ ଡାଏମଣ୍ଡ ଅଳଙ୍କାର, ଖୋଲା କେଶ ଏବଂ ବେଶ୍‌ କମ୍‌ ମେକ୍‌ଅପ୍‌ ସହ ନିଜ ଲୁକ୍‌କୁ ସମ୍ପୂର୍ଣ୍ଣ କରିଥିଲେ । 

ପ୍ରକାଶଥାଉ କି, ଆଲିଆ ହେଉଛନ୍ତି ଏହି ଇଟାଲିଆନ୍‌ ଲକଜ୍‌ରୀ ବ୍ରାଣ୍ଡ୍‌ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସଡର । କାନ୍ସ ରେଡ୍‌ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ଫ୍ରେଞ୍ଚ ଡିଜାଇନରଙ୍କ ଗାଉନ୍‌ ପିନ୍ଧିଥିଲେ । ଏହାକୁ ମଧ୍ୟ ରିୟା କପୁର ଷ୍ଟାଇଲ ଦେଇଥିଲେ । ରେଡ୍‌ କାର୍ପେଟରୁ ଆଲିଆଙ୍କ ଫଟୋ ସାମ୍‌ନାକୁ ଆସିବା ପରେ ସେ ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଅନେକେ ମତ ଦେଇଥିଲେ । ଆଲିଆଙ୍କୁ ଶେଷଥର ଲାଗି ବସନ ବାଲାଙ୍କ ଫିଲ୍ମ ‘ଜିଗ୍‌ରା’ରେ ଦେଖିବାକୁ ମିଳିଥିଲା । ଏବେ ସେ ୟଶ ରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେଉଥିବା ଫିଲ୍ମ ‘ଆଲ୍‌ଫା’ରେ ନିଜ ରୋଲ୍‌ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଶିବ ରାୱେଲ ନିର୍ଦ୍ଦେଶନା ଦେଉଛନ୍ତି । ଏଥିସହ ସଞ୍ଜୟ ଲୀଲା ଭନସାଲିଙ୍କ ‘ଲଭ୍‌ ଆଣ୍ଡ୍‌ ୱାର’ରେ ଆଲିଆଙ୍କୁ ରଣବୀର କପୁର ଏବଂ ଭିକି କୌଶଲଙ୍କ ସହ ଦେଖିବାକୁ ମିଳିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.