ଟ୍ରମ୍ପ-ପୁଟିନଙ୍କ ଆଲୋଚନା ବିଫଳ ହେଲେ ଭାରତ ଉପରେ ଆହୁରି ଟାରିଫ୍‌ ଲାଗିବ : ଆମେରିକାର ଧମକ

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ : ଆମେରିକା ପୁଣି ଦେଲା ଧମକ। ଯଦି ଅଲାସ୍କାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶାନ୍ତି ବାର୍ତ୍ତା ବିଫଳ ହୁଏ , ତ ସେ ଭାରତ ଉପରେ ପୁଣି ବଢାଇବ ଅତିରିକ୍ତ ଟାରିଫ୍‌। ଏହା ପୂର୍ବରୁ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତର ଟାରିଫ୍‌ ଘୋଷଣା କରିଥିଲେ। ଟାରିଫ୍‌ର ନୂଆ ହାର ୨୭ ଅଗଷ୍ଟରୁ ଲାଗୁ ହେବ।

୧୫ ଅଗଷ୍ଟରେ ଅଲସ୍କାରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ୟୁକ୍ରେନ ଅସ୍ତ୍ରବିରତିକୁ ନେଇ ପ୍ରମୁଖ ଆଲୋଚନା ହେବ। ଏହି କଥାବାର୍ତ୍ତାକୁ ନେଇ ସାରା ଦୁନିଆର ନଜର ରହିଛି, କାରଣ ଗତ ତିନି ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି ଏବଂ କୁହାଯାଉଛି ଯେ, ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସମାଧାନର ବାଟ ବାହାରି ପାରେ।

ଆମେରିକୀୟ ଅର୍ଥ ମନ୍ତ୍ରୀ ସ୍କଟ୍‌ ବେସେଣ୍ଟ ଚେତାବନୀ ଦେଇଛନ୍ତି ଯେ, ୱାଶଂଟନ ଭାରତ ଉପରେ ସେକେଣ୍ଡାରୀ ଟାରିଫ୍‌ ବଢାଇ ପାରେ। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଶୁକ୍ରବାର ଅଲାସ୍କାରେ ହେବାକୁ ଥିବା ଟ୍ରମ୍ପ ଓ ପୁଟିନଙ୍କ ବୈଠକର ଫଳାଫଳ ଉପରେ ନିର୍ଭର କରିବ। ବେସେଣ୍ଟ ବ୍ଲୁମବର୍ଗ ଟିଭିକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ଆମେ ଭାରତୀୟଙ୍କ ଉପରେ ରୁଷୀୟ ତୈଳ କ୍ରୟ ପାଇଁ ସେକେଣ୍ଡାରୀ ଟାରିଫ୍‌ ଲଗାଇଛନ୍ତି। ଯଦି ଏହି ବୈଠକ ସଫଳ ନହୁଏ, ତ ଟାରିଫ୍‌ ବା ପ୍ରତିବନ୍ଧକ ଆହୁରି ବଢି ପାରେ। 

ଚଳିତ ମାସର ଆରମ୍ଭରେ ଟ୍ରମ୍ପ ଭାରତ ଉପରେ ରୁଷ୍‌ ଠାରୁ ତୈଳ ଓ ଅସ୍ତ୍ର କ୍ରୟକୁ ନେଇ ପୂର୍ବରୁ ହିଁ ଲାଗୁ ୨୫ ପ୍ରତିଶତ ଟାରିଫ୍‌ ବ୍ୟତୀତ ୨୫ ପ୍ରତିଶତ ପେନାଲ୍ଟି ମଧ୍ୟ ଲଗାଇ ଦେଇଥିଲେ। ଟ୍ରମ୍ପ ଅଭିଯୋଗ ଲଗେଇ ଥିଲେ ଯେ, ରୁଷ୍ ଠାରୁ ତୈଳ କିଣି ଭାରତ ୟୁକ୍ରେନ ଯୁଦ୍ଧକୁ ଫଣ୍ଡିଂ କରୁଛି।

ଟ୍ରମ୍ପ ଜାନୁଆରୀରେ ଦ୍ୱିତୀୟ ଥର ଆମେରିକୀୟ ରାଷ୍ଟ୍ରପତି ହେବା ପରେ ରୁଷ୍‌ –ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରବିରତି କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ମସ୍କୋ ଶାନ୍ତି ଚୁକ୍ତିରେ ସହମତି ପ୍ରକାଶ ନକରେ ତ , ଗୁରୁତର ପରିଣାମ ଭୋଗିବାକୁ ହେବ।

ୟୁକ୍ରେନ ଯୁଦ୍ଧ ପରେ ଭାରତ ଶସ୍ତା ରୁଷୀୟ ଅଶୋଧିତ ତୈଳର ଆମଦାନୀ ବଢାଇଛି, ଯେଉଁଥିରେ ଭାରତ-ଆମେରିକା ସଂପର୍କରେ ବିବାଦ ଦେଖା ଦେଇଛି ଏବଂ ୱାଶଂଟନ ସହ ଚାଲିଥିବା ବାଣିଜ୍ୟିକ ଆଲୋଚନାକୁ ପ୍ରଭାବିତ କରିଛି। ୨୦୨୪ରେ ଭାରତର ମୋଟ ତୈଳ ଆମଦାନୀରେ ରୁଷୀୟ ତୈଳର ଭାଗ ୩୫-୪୦ ପ୍ରତିଶତ ଥିଲା , ୨୦୨୧ରେ ଏହା କେବଳ ୩ ପ୍ରତିଶତ ଥିଲା। ଟ୍ରମ୍ପଙ୍କ ଅଭିଯୋଗରେ ଭାରତ କହିଛି ଯେ, ଏକ ବଡ଼ ଶକ୍ତି ଆମଦାନୀକାରୀ ଭାବେ ତାକୁ ସବୁଠୁ ଶସ୍ତା ତୈଳ କ୍ରୟ କରିବାକୁ ପଡ଼ୁଛି, ଯାହାକି କୋଟି କୋଟି ଗରିବ ଭାରତୀୟଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରାଯାଇ ପାରିବ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି ଯେ, ତାଙ୍କ ପାଇଁ ଦେଶବାସୀଙ୍କ ପ୍ରାଥମିକତା ସର୍ବ ପ୍ରଥମେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.