ମସ୍କୋ: ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଗୁରୁବାର ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏନେଇ ଋଷ ସରକାରୀ ଗଣମାଧ୍ୟମ ଆରଆଇଏ ନ୍ୟୁଜ ଏଜେନ୍ସି ପ୍ରେସ ବିଜ୍ଞପ୍ତୀ ଜାରି କରିଛି।
ମସ୍କୋରେ ଅନୁଷ୍ଠିତ ଏହି ଦ୍ୱିପାକ୍ଷିକ ସୁରକ୍ଷା ଆଲୋଚନା ସମୟରେ ଦୁଇ ଦେଶ ଏକ "ରଣନୈତିକ ସହଭାଗୀତା" ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଉପରେ ଜୋର ଦେଇଛନ୍ତି। ତେବେ ଆମେରିକା ରାଷ୍ଟ୍ରପତିଙ୍କର ଶୁଳ୍କ ଲାଗୁ ବିଷୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି।
ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଫଳରେ ଭାରତ ଉପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଚୀନ ଠାରୁ ବି ଅଧିକ ରହିଛି। କାରଣ ଚୀନ ଉପରେ ଆମେରିକା ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଅନ୍ୟପଟେ ଆମେରିକା ସାମଗ୍ରୀ ଉପରେ ଭାରତର ଶୁଳ୍କ ହାର ମାତ୍ର ୧୭ ପ୍ରତିଶତ ରହିଛି।
This video of NSA Doval meeting President Putin at the Kremlin today should be worth at least another 25% tariff. pic.twitter.com/0my98eLJ42
— Shiv Aroor (@ShivAroor) August 7, 2025
ତେବେ ଭାରତ ଟ୍ରମ୍ପଙ୍କର ଅତିରିକ୍ତ ଶୁଳ୍କକୁ ଅନ୍ୟାୟ ଓ ଅନୁଚିତ ବୋଲି କହିଛି। ତା ସହିତ କାହା ଚାପରେ ନ ଆସି ଭାରତ ଜାତୀୟ ସ୍ୱାର୍ଥରେ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ ବୋଲି ପୁଣିଥରେ ଦୋହରାଇଛି।
ସେପଟେ ଚୀନ ମଧ୍ୟ ଭାରତ ବିରୋଧରେ ଆମେରିକାର ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛି। କୌଣସି ଚାପରେ ଆସି ଭାରତର ବାଣିଜ୍ୟ ନୀତିକୁ ପ୍ରଭାବିତ କରାଯାଇ ପାରିବ ନାହିଁ କିଂ ଭାରତର ସାର୍ବଭୌମତ୍ୱ ଉପରେ କୌଣସି ସାଲିସ କରାଯିବ ନାହିଁ ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି।