ନୂଆଦିଲ୍ଲୀ ୫।୧୦: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ଏଥିରେ କେତେକ ମୁଖ୍ୟ ଘରୋଇ ବିମାନ ମାର୍ଗରେ ସାମାନ୍ୟ ଭଡ଼ ବୃଦ୍ଧି ହୋଇଛି। ଏଣୁ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ପକ୍ଷରୁ ସମସ୍ତ ଘରୋଇ ଏୟାରଲାଇନ୍ସଙ୍କୁ ପାର୍ବଣ ଋତୁରେ ଚାହିଦା ବୃଦ୍ଧିକୁ ନଜରରେ ରଖି ଅଧିକ ଉଡାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଘରୋଇ ଏୟାରଲାଇନ୍ସ ପକ୍ଷରୁ ମନ୍ତ୍ରାଳୟଙ୍କୁ କୁହାଯାଇଛି ଯେ ପାର୍ବଣ ଋତୁରେ ପ୍ରମୁଖ ବିମାନ ମାର୍ଗରେ ସେମାନେ ଅନୁନ୍ୟ ୧୭୬୨ଟି ନୂଆ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛନ୍ତି।

ଏଥିରେ ଇଣ୍ଡିଗୋ ପକ୍ଷରୁ ସବୁଠୁ ଅଧିକ ଉଡାଣ ସୂଚନା ଦିଆଯାଇଛି। ଇଣ୍ଡିଗୋ ୪୨ସେକ୍ଟରରେ ମୋଟ ୭୩୦ ଉଡାଣ ସଞ୍ଚାଳନ କରିବ ବୋଲି କହିଛି। ସେହିପରି ସ୍ପାଇସ୍ ଜେଟ୍ ୩୮ ସେକ୍ଟରରେ ୫୪୬ ଉଡାଣ ସଞ୍ଚାଳନ କରିବା ବୋଲି ସୂଚିତ କରିଛି। ଏୟାର ଇଣ୍ଡିଆ ୨୦ ସେକ୍ଟରରେ ୪୮୬ ନୂଆ ଉଡାଣ ଘୋଷଣା କରିଛି। ଏଥିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛନ୍ତି ଯେ ପୁରା ସ୍ଥିତି ଉପରେ ବେ ସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନଜର ରଖିବେ।

ଏୟାର ଲାଇନ୍ସଙ୍କ କହିବା କଥା ହେଉଛି ବିମାନ ଭଡ଼ା ଚାହିଦା ଓ ଯୋଗାଣ ମଧ୍ୟରେ ସମୀକରଣ ଉପରେ ନିର୍ଭର କରେ। ଯେତେବେଳେ ଚାହିଦା ବଢି ଯାଏ ଉପଲବ୍ଧ ସିଟ୍ ସଂଖ୍ୟା କମି ଯାଏ। ଏଣୁ ଭଡ଼ା ମଧ୍ୟ ବୃଦ୍ଧି ହୁଏ। ପ୍ରାୟତଃ ପାର୍ବଣ ଋତୁରେ ହିଁ ଏପରି ହୋଇଥାଏ। ଏଭିଏସନ କମ୍ପାନୀଙ୍କ ତର୍କ ହେଉଛି ଯାତ୍ରୀ ଏହି ଭଡ଼ା ଦେବାକୁ ମଧ୍ୟ ପ୍ରସ୍ତୁତ ଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଘରୋଇ ମାର୍ଗରେ ଯାତ୍ରୀଙ୍କ ସଂଖ୍ୟା ୨୦୨୪ ମସିହାରେ ୬.୧୨% ହାରରେ ବଢିଥିଲା। ଅଗଷ୍ଟ ୨୦୨୫ ସୁଦ୍ଧା ଦେଶରେ ମୋଟ ୧କୋଟି ୨୯ଲକ୍ଷ ଲୋକେ ବିମାନ ଯାତ୍ରା କରିଛନ୍ତି।