ନୂଆଦିଲ୍ଲୀ: ଅସନ୍ତା ସେପ୍ଟେମ୍ୱର ୧ରୁ ଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ଉଡାଣକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ଏୟାର ଇଣ୍ଡିଆ । ସୋମବାର ଏନେଇ ବିମାନ ପରିଚାଳନା କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଅନେକ ପରିଚାଳନାଗତ କାରଣ ଯୋଗୁ ନିଆଯାଇଛି । ଆକାଶମାର୍ଗରେ ନିର୍ଭରଯୋଗ୍ୟ ଏବଂ ପରିଚାଳନାଗତ ସ୍ଥିରତା ସୁନିଶ୍ଚିତ କରିବା ଏଥିରେ ସାମିଲ ରହିଛି ।
କମ୍ପାନି ଦ୍ୱାରା ବୟାନରେ କୁହାଯାଇଛି, ଏହି ବନ୍ଦ ଏୟାର ଇଣ୍ଡିଆର ବିମାନ ସଂଖ୍ୟାରେ ଅସ୍ଥାୟୀ ଅଭାବ ଯୋଗୁ ନିଆଯାଇଛି । ଏୟାର ଇଣ୍ଡିଆ ଗତ ମାସରେ ନିଜର ୨୬ଟି ବୋଇଂ ୭୮୭-୮ ବିମାନର ରିଟ୍ରୋଫିଟିଂ (ନୂତନ ଓ ଉନ୍ନତ କରିବା) ପ୍ରକ୍ରିୟା ଆରମ୍ଭ କରିଥିଲା । ଏହା ଏକ ବଡ଼ ଓ ବିସ୍ତୃତ କାର୍ଯ୍ୟକ୍ରମ, ଯାହାର ଉଦ୍ଦେଶ୍ୟ ଯାତ୍ରୀଙ୍କୁ ଅନୁଭବକୁ ଅଧିକ ସୁଖଦ କରିବା । ଏହି ପ୍ରକ୍ରିୟା କାରଣରୁ ଗୋଟିଏ ସମୟରେ ହିଁ ଅନେକ ବିମାନ ଦୀର୍ଘ ସମୟ ଯାଏ ସେବାରୁ ବାହାରେ ରୁହନ୍ତି ଓ ଏଭଳି ସ୍ଥିତି ଅତି କମରେ ୨୦୨୬ ଯାଏ ରହିବ । ଏହା ସହ ପାକିସ୍ତାନର ଆକାଶମାର୍ଗ ଲଗାତାର ବନ୍ଦ ରହିବା କାରଣରୁ ଏୟାର ଇଣ୍ଡିଆର ଲମ୍ୱା ଉଡାଣ ପ୍ରଭାବିତ ହେଉଛି ।
କମ୍ପାନିର ବିବୃତ୍ତିରେ କୁହାଯାଇଛି, ୨୦୨୫ ସେପ୍ଟେମ୍ୱର ୧ ପରେ ୱାଶିଂଟନ ପାଇଁ କିମ୍ୱା ସେଠାରୁ ଏୟାର ଇଣ୍ଡିଆର ବୁକିଂ କରିଥିବା ଯାତ୍ରୀଙ୍କ ସହ ଯୋଗାଯୋଗ କରାଯିବ ଓ ସେମାନଙ୍କୁ ବୈକଳ୍ପିକ ଯାତ୍ରା ପାଇଁ ସୁବିଧା ପ୍ରଦାନ କରାଯିବ । ଯାତ୍ରୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଦ୍ୱିତୀୟ ଉଡାଣ ଉପରେ ପୁଣି ଥରେ ବୁକିଂ କରାଯିବ କିମ୍ୱା ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ଏୟାର ଇଣ୍ଡିଆ ଯାତ୍ରୀ ଏବେ ୱାଶିଂଟନ ଯାଏ ୱାନ୍ ଷ୍ଟପ୍ ଉଡାଣର ବିକଳ୍ପ ପାଇପାରିବେ । ଆମେରିକାର ଚାରି ବଡ଼ ସହର- ନ୍ୟୁୟର୍କ, ନେବାର୍କ, ସିକାଗୋ ଓ ସାନ୍ ଫ୍ରାନ୍ସିସ୍କୋ ଜରିଆରେ ଉପଲବ୍ଧ ହେବ ।