News7 Logo

ପାଇଲଟଙ୍କ ଭୁଲ ଯୋଗୁ ହୋଇନି ଅହମଦାବାଦ ବିମାନ ଦୁର୍ଘଟଣା: ଆମେରିକା ଆଟର୍ଣ୍ଣି

NEWS7
Air India Accident

ନୂଆଦିଲ୍ଲୀ ୧୨।୯: ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଆମେରିକୀୟ ଲୋକଙ୍କ ପରିବାର ଓକିଲ ମାଇକ୍ ଏଣ୍ଡ୍ରୁୟୁଜ ବିମାନ ଦୁର୍ଘଟଣାର ଅନ୍ୟ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି  ନୂଆ ସାକ୍ଷରୁ ସଂକେତ ମିଳିଛି ଯେ ବିମାନରେ ୱାଟର ଲିକ୍ ଯୋଗୁ ସର୍ଟସର୍କିଟ ହେବାରୁ ଏହି ଦୁର୍ଘଟଣା ହୋଇଥିଲା। ଏଥିରେ ପାଇଲଟମାନଙ୍କର କୌଣସି ଭୁଲ ନାହିଁ।

ଆମେରିକୀୟ ଆଟର୍ଣ୍ଣି ଫ୍ରିଡମ ଅଫ ଇନଫର୍ମେସନ ଆକ୍ଟ (ଏଫଓଆଇଏ) ଅନୁସାରେ ପିଟିସନ ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଉଡାଣର ଫ୍ଲାଇଟ ଡାଟା ରେକର୍ଡର (ଏଡିଆର)ର ଡାଟା ମାଗିଛନ୍ତି। ଆଟର୍ଣ୍ଣି କହିଛନ୍ତି ତାଙ୍କ ପାଖରେ ଉପଲବ୍ଧ ସାକ୍ଷ ଅନୁସାରେ ଜଣାପଡିଛି ଯେ ବିମାନର ପେୟ ଜଳ ସିଷ୍ଟମରୁ ପାଣି ଲିକେଜ ଯୋଗୁ ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ହୋଇଥିଲା। ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ସର୍ଟସର୍କିଟ କାରଣରୁ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ସ୍ୱତଃ ବନ୍ଦ ହୋଇ ଥାଇପାରେ। ଫଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସେ କହିଛନ୍ତି ଯେ ଏହି ଦୁର୍ଘଟଣା ଚାଳକଦଳଙ୍କ ଭୁଲ କାରଣରୁ ହୋଇ ନାହିଁ। ଆଟର୍ଣ୍ଣି ୭୮୭-୮, ୭୮୭-୯ ଓ ୭୮୭-୧୦ ଭଳି ବିମାନଙ୍କ ନିମନ୍ତେ ଫେଡେରାଲ ଏଭିଏସନ ଆଡମିନେଷ୍ଟ୍ରେସନ (ଏଫଏଏ)ର ଉଡାଣ ସମ୍ପର୍କିତ ନିର୍ଦ୍ଦେଶ ଆଧାରରେ ଏହି ଦାବି କରିଛନ୍ତି। ଆଟର୍ଣ୍ଣି କହିଛନ୍ତି ଯେ ୧୪ ମେ ୨୦୨୫ରେ ଏଫଏଏ ଦ୍ୱାରା ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ ଏହି ବିମାନଗୁଡିକର ୱାଟରଲାଇନ କପଲିଂରେ ପାଣି ଝରିବାର ଅନେକ ମାମଲା ସାମ୍ନାକୁ ଆସିଛି।

ନିର୍ଦ୍ଦେଶରେ ଚେତାବନୀ ଦିଆଯାଇଥିଲା ଯେ ପାଣି ଝରିବା ଯୋଗୁ ବିମାନର ଇଲେକ୍ଟ୍ରୋନିକ୍ସ ଉପକରଣରେ ପାଣି ଲାଗିପାରେ ଯାହା ଉଡାଣ ନିୟନ୍ତ୍ରଣ ପ୍ରଣାଳୀ ଓ ଏଭଇଓଇନିକ୍ସ ଲାଗି ଗୁରୁତ୍ୱପୂର୍ଣ୍ଣ। ପାଣି ଲିକ୍ ଯୋଗୁ ଇଲେକ୍ଟ୍ରୋନିକ ଉପକରଣ ସର୍ଟ ସର୍କିଟ ହୋଇପାରେ। ଏଫଏଏ ନିର୍ଦ୍ଦେଶରେ ବୋଇଂ କମ୍ପାନୀର କିଛି ବିମାନଙ୍କର ଉଲ୍ଲେଖ ଥିଲା। ଏୟାର ଇଣ୍ଡିଆର ଯେଉଁବିମାନ ଦୁର୍ଘଟଣାର ଶିକାର ହୋଇଥିଲା ତାହା ମଧ୍ୟ ୭୮୭-୮ ଡ୍ରିମଲାଇନର ଥିଲା।

ଉଲ୍ଲେଖଯୋଗ୍ୟ ଯେ ଜୁନ ୧୨ ତାରିଖ ଦିନ ଏୟାର ଇଣ୍ଡିଆ ଉଡାଣ ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା। ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ କରିବା ପରେ ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୬୦ ଜଣଙ୍କ ପ୍ରାଣହାନୀ ହୋଇଥିଲା। ଏଥିରେ ୨୨୯ ଜଣ ଯାତ୍ରୀ ଥିବା ବେଳେ ୧୨ ଜଣ ଚାଳକଦଳ ସଦସ୍ୟ ଓ ଅନ୍ୟ ୧୯ ଜଣ ସାଧାରଣ ଲୋକ ଥିଲେ।