ଶ୍ରେୟସ ଆୟରଙ୍କ ସହ ଅନ୍ୟାୟ କାହିଁକି ? ଅଜିତ୍ ଅଗର୍‌କର୍‌ଙ୍କ ବୟାନ କେତେ ଯୁକ୍ତିଯୁକ୍ତ

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ମଙ୍ଗଳବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଟିମର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ରହିବ । କିନ୍ତୁ ଘୋଷଣାରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଆଉ ବିବାଦୀୟ କଥା ହେଉଛି ଶ୍ରେୟସ ଆୟରଙ୍କୁ ସ୍ଥାନ ନମିଳିବା । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଆଉ ଅସନ୍ତୋଷ ମଧ୍ୟ ରହିଛି । ପୂର୍ବରୁ ଅନେକ ମ୍ୟାଚ୍ ଓ ସିରିଜରେ ଆୟରଙ୍କ ପ୍ରଦର୍ଶନ ଚମତ୍କାର ରହିଛି, କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଟିମରେ ସ୍ଥାନ ମିଳିପାରି ନାହିଁ । ଏହି ନିଷ୍ପତ୍ତି ଉପରେ ବିସିସିଆଇ ଓ ଚୟନ କମିଟି ଉପରେ ପ୍ରଶ୍ନ ଉଠୁଛି ।

ଆୟର ନିକଟରେ ଶେଷ ହୋଇଥିବା ଟୁର୍ଣ୍ଣାମେଣ୍ଟ ଓ ଆଇପିଏଲ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଇପିଏଲ୍‌ରେ ସେ ୬୦୪ ରନ୍ କରିଥିଲେ । ୫୦.୩୩ ହାର ଓ ୧୭୫.୦୭ ଷ୍ଟ୍ରାଇକ୍ ରେଟ୍ ସହ ରନ୍ କରିଥିଲେ । ଏହା ଛଡ଼ା ଦୁବାଇରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ସେ ୨୪୩ ରନ୍ କରିଥିଲେ । ଏହା ସତ୍ତ୍ୱେ ତାଙ୍କୁ ଏସିଆ କପ୍ ପାଇଁ ଅଣଦେଖା କରାଯାଇଛି । ଆହୁରି ବଡ଼ କଥା ହେଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଦୁବାଇରେ ହିଁ ଖେଳାଯିବାକୁ ଅଛି, ଯେଉଁଠାରେ ଆୟରଙ୍କ ବ୍ୟାଟରୁ ଖୁବ୍ ରନ୍ ବାହାରେ ।

ଆୟର କେବଳ ଆଇପିଏଲ୍ କିମ୍ୱା ଚାମ୍ପିଅନ୍ସ ଟ୍ରଫିରେ ନୁହେଁ, ବରଂ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି । ରଣଜୀ ଟ୍ରଫିରେ ୪୮୦ ରନ୍, ସୈୟର ମୁସ୍ତାକ ଅଲି ଟ୍ରଫିରେ ୩୪୫ ରନ୍ ଓ ବିଜୟ ହଜାରେ ଟ୍ରଫିରେ ୩୨୫ ରନ୍  କରିଥିଲେ । ଟି-୨୦ ଫର୍ମାଟ୍‌ରେ ଆୟର ୧୩୦୦ ରନ୍ କରିଛନ୍ତି । ଏଥିରେ ତାଙ୍କ ଆଭରେଜ୍ ୪୬.୪ ଓ ଷ୍ଟ୍ରାଇକ୍ ରେଟ୍ ୧୬୯.୫ ପ୍ରତିଶତ ରହିଛି, ଯାହା ତାଙ୍କ ନିରନ୍ତର ପ୍ରଦର୍ଶନକୁ ଦର୍ଶାଉଛି । 

ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କୁ ଏହା ଉପରେ ପ୍ରଶ୍ନ କରାଯାଇଥିଲା, ଆଉ ତାଙ୍କ ଜବାବ ଆଶ୍ଚର୍ଯ୍ୟଜନ ଥିଲା । ଅଗର୍‌କର୍ କହିଥିଲେ, ଶ୍ରେୟସ ଆୟର କାହା ସ୍ଥାନ ନେବେ ? ଏହା ନା ତାଙ୍କ ଭୁଲ, ନା ଆମର । ଏହି ବୟାନ ସେହି କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି, ଯେଉଁମାନେ ଆୟରଙ୍କୁ ଟିମ୍‌ରେ ଦେଖିବାକୁ ଚାହୁଁଥିଲେ । ଅଗର୍‌କର୍‌ଙ୍କ ବୟାନ ସ୍ପଷ୍ଟ କରୁଛି, ଟିମରେ ସ୍ଥାନର ଅଭାବ ଥିଲା, କିନ୍ତୁ ଜଣେ ଭଲ ଖେଳାଳି, ଯିଏ ଅଧିନାୟକ ଭାବେ ବି ଚମତ୍କାର ପ୍ରଦର୍ଶନ କରିସାରିଛନ୍ତି, ତାଙ୍କୁ ବାହାରେ ରଖିବା ନିଶ୍ଚିୟ ପ୍ରଶ୍ନ ସୃଷ୍ଟି କରିବ । ଚୟନରେ ସବୁଠୁ ବଡ଼ ମାନଦଣ୍ଡ କମ ଫର୍ମ ନୁହେଁ କି ? ଟିମରେ ସାମିଲ ଅନେକ ଖେଳାଳିଙ୍କ ଫର୍ମ ଠିକ୍ ନୁହେଁ, ତଥାପି ସେମାନଙ୍କୁ କାହିଁକି ସ୍ଥାନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.