ମାଲକାନଗିରି ୧୯।୧୧ : ଲାଲ ସଂଗଠନକୁ ଲାଗିଛି ଝଟକା । ଛଅ ଦଶନ୍ଧି ଧରି ସୁରକ୍ଷାକର୍ମୀଙ୍କ ପାଇଁ ଟେନ୍‌ସନ୍‌ ସାଜିଥିବା ଟପ୍ ମାଓ ନେତା ମାଡଭି ହିଡମା ଏନକାଉଣ୍ଟରରେ ନିହତ ହୋଇଛି। ଯାହାକି ଛତିଶଗଡ଼ରେ ନକ୍ସଲବାଦକୁ ଶେଷ କରିଛି । ଆନ୍ଧ୍ର ପ୍ରଦେଶର ମେରଡମାଲ୍ଲି ଏନକାଉଣ୍ଟର ପରେ ଏମିତି କିଛି ଆକଳନ କରିଛି ଛତିଶଗଡ ସରକାର ଓ ବସ୍ତର ପୋଲିସ।

ଛତିଶଗଡ ଏବଂ ସୀମାନ୍ତ ରାଜ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମାଓଦମନ ଅପରେସନ । ଏହି ସମୟରେ ପିଏଲଜିଏ ବାହିନୀ କମାଣ୍ଡର ହିଡମା ଓ ତାର ପୁରା ଟିମ୍‌  ମାଲକାନଗିରି-ଆନ୍ଧ୍ର ସୀମାନ୍ତକୁ ଚାଲିଯାଇଥିଲେ। ଯାହା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଆନ୍ଧ୍ରର ଗ୍ରେହାଉଣ୍ଟ ଯବାନମାନେ ମାଓ ଶିବିର ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବାକି ୩୧ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେମାନଙ୍କ ମଧ୍ୟରେ ୯ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ରହିଥିଲେ । ସମସ୍ତ ଫେରାର ମାଓବାଦୀମାନେ ଏବେ ବିଜୟଓ୍ୱାଡା ନିକଟରେ ଲୁଚି ରହିଥିବା ଆନ୍ଧ୍ର ପ୍ରଦେଶ ଏଡିଜି ସୂଚନା ଦେଇଛନ୍ତି । ମଙ୍ଗଳବାର ନିହତ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ହିଡମା ଓ ତାଙ୍କ ପତ୍ନୀ ମାଡକାମ ରାଜେ, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିତି ସଦସ୍ୟ ଦେବ, ଲକମଲ, ମାଲ୍ଲା, କମଳ । ଘଟଣାସ୍ଥଳରୁ ସୁରକ୍ଷା ବାହିନୀକୁ ବିପୁଳ ପରିମାଣର ବିସ୍ଫୋରକ ମିଳିଥିଲା । ଯେଉଁଥିରେ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର ଓ ଗୋଟିଏ ସିଙ୍ଗଲ ବୋର ବନ୍ଧୁକ । ଏହାସହ ୩୩ ରାଉଣ୍ଡ ଗୁଳି, ୧୫୦ଟି ଇଲୋକ୍ଟ୍ରୋନିକ ଡିଟୋନେଟର, ୨୫ ମିଟର ଫ୍ୟୁଜ ତାର ଓ ୭ଟି ନକ୍ସଲ କିଟ୍ ବ୍ୟାଗ ରହିଛି।

ତେବେ ହିଡମା ସଫା ହେବା ପରେ ମାଓ ମୁକ୍ତ ହେବ କି ଛତିଶଗଡ଼ ? ଭାଙ୍ଗି ଗଲା କି ଲାଲ ବାହିନୀର ମେରୁଦଣ୍ଡ ?  ଏମିତି ଅନେକ ପ୍ରଶ୍ନ ଏବେ ଛତିଶଗଡ ଆଦିବାସୀ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଛତିଶଗଡ ପୋଲିସ କହୁଛି ଶେଷ ହୋଇଛି ଦୀର୍ଘ ୬ ଦଶନ୍ଦିର ଲାଲ୍ ଆତଙ୍କ ।