ନୂଆଦିଲ୍ଲୀ ୯।୧୦: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ଗୁରୁବାର ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କର ଏହି ଯାତ୍ରାକୁ ଭାରତ-ଆଫଗାନିସ୍ତାନ ସମ୍ପର୍କର ନୂଆ ଅଧ୍ୟାୟ ପ୍ରାରମ୍ଭ ବୋଲି କୁହାଯାଉଛି। ଏଥି ମଧ୍ୟରେ ଆଫଗାନିସ୍ତାନ ମାଟିକୁ କେବେ ଭାରତ ବିରୋଧରେ ବ୍ୟବହାର କରାଯିବ ନାହିଁ ବୋଲି ଆଫଗାନିସ୍ତାନ ଅନ୍ତର୍ଜାତୀୟ ମୁଖପାତ୍ର ସୁହୈଲ ସାହିନ ଭାରତକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଭାରତ ସରକାର ତାଲିବାନକୁ ଔପଚାରିକ ମାନ୍ୟତା ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ନେଇ ସାହିନ କହିଛନ୍ତି ଯେ ‘ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ, ଦୁଇ ଦେଶଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହେବ। ମୁଁ ଆଶା କରୁଛି ଏହା ଦ୍ୱାରା ପାରସ୍ପରିକ ଭରସା ବଢିବ ଓ ନୂଆ କ୍ଷେତ୍ରରେ ସହଯୋଗ ଓ ଅବସର ମିଳିବ’। ତେବେ ତାଲିବାନ ଚାହୁଁଛି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାୟୀ ଓ ସ୍ୱଭାବିକ ସମ୍ପର୍କ ହେଉ। ହେଲେ ତାଲିବାନକୁ ଭାରତର ମାନ୍ୟତା ଅତ୍ୟନ୍ତ ଜରୁରି। ଯଦି ଭାରତ ଆମକୁ ମାନ୍ୟତା ଦିଏ ଏହା ଦୁଇ ଦେଶଙ୍କ ହୀତରେ ହେବ ଓ ସମ୍ପର୍କକୁ ସ୍ୱଭାବିକ କରିବାରେ ସହାୟକ ହେବ।

ଶାହିନ କହିଛନ୍ତି ଯେ ଏହି ଗସ୍ତ କାଳରେ ମୁତ୍ତାକୀ କୁଟନୈତିକ ସମ୍ପର୍କକୁ ମଜଭୁତ କରିବା, ବାଣିଜ୍ୟିକ ସହଯୋଗକୁ ବଢାଇବା ଓ ନୂଆ ଭାଗିଦାରୀ ସମ୍ଭାବନା ନେଇ ଆଲୋଚନା କରିବେ। ସେ କହିଛନ୍ତି ଯେ ଦୁଇ ଦେଶଙ୍କ ମଧ୍ୟରେ କୂଟନୈତିକ ସ୍ତରକୁ ବଢାଇବା ଅର୍ଥାତ ରାଜଦୂତଙ୍କ ନିଯୁକ୍ତି ନେଇ ମଧ୍ୟ ଚର୍ଚ୍ଚା ହେବ। ତେବେ ଭାରତର ମୁଖ୍ୟ ଚିନ୍ତା ଆତଙ୍କବାଦକୁ ନେଇ। ଏହା ଉପରେ ସାହିନ କହିଛନ୍ତି ଯେ ଆଫଗାନୀସ୍ତାନର ନୀତି ସ୍ପଷ୍ଟ, ଆମ ଭୂମିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରାଯିବନି।

ଏଥିରେ ତାଲିବାନ ସରକାର ଭାରତ ଓ ବିଶ୍ୱରେ ମାନବାଧିକାର ଓ ମହିଳା ଅଧିକାର ନେଇ ଚିନ୍ତାକୁ କିପରି ଦୂର କରିବ ବୋଲି ପଚରାଯିବାରୁ ସାହିନ କହିଛନ୍ତି ଯେ କିଛି ଦେଶ ମାନବାଧିକାର ପ୍ରସଙ୍ଗକୁ ଆଫଗାନିସ୍ତାନ ଉପରେ ଚାପ ପକାଇବାକୁ ସାଧନ ଭାବେ ଉପଯୋଗ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆଫଗାନିସ୍ତାନରେ ଯେଉଁ ଭଳି ମାନବାଧିକାରର ପରିସ୍ଥିତି ଉପସ୍ଥାପନ କରାଯାଉଛି ବାସ୍ତବରେ ଦେଶରେ ସେପରି କିଛି ହେଉନି।