ଜାନୁଆରୀ ପହିଲାରୁ ଗ୍ରାହକଙ୍କୁ ଝଟ୍‌କା: ଅଚଳ ହେବ ପାନ୍ କାର୍ଡ, ବଢିବ କାର୍ ଦାମ୍

NEWS7
actress-meenakshi-chaudhary-becomes-brand-ambassador-of-ramraj-cotton

ନୂଆଦିଲ୍ଲୀ ୦୧/୦୧: ନୂଆବର୍ଷର ଆରମ୍ଭରୁ ଗ୍ରାହକଙ୍କୁ ଝଟ । ଜାନୁଆରୀ ୧ରୁ ଦେଶରେ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ ହେବ । ସାଧାରଣ ଲୋକେ ହନ୍ତସନ୍ତ ହେବେ । ଯାହା ଶୁଣିବାକୁ ମିଳିଛି ଅଚଳ ହୋଇଯିବ ପାନ୍ କାର୍ଡ । ଏମିତିକି କାର୍ ଦାମ ବି ବଢିଯିବ । ଏଲପିଜି ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ୍ ଯାଏଁ ଅନେକ ବଡ ବଡ ପରିବର୍ତ୍ତନ ହେବ ।

୧-ନୂଆବର୍ଷରୁ କାମ କରିବନି ପାନ୍ କାର୍ଡ: ଯଦି ଏ ଯାଏଁ ଆପଣ ପ୍ୟାନ୍-ଆଧାର ଲିଙ୍କ୍ କରିନାହାନ୍ତି, ତାହେଲେ ସମସ୍ୟାରେ ପଡିବେ । ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ୍ କରିବାର ଡିସେମ୍ବର ୩୧ ବା ଆଜି ହେଉଛି ଶେଷ ଦିନ । କାଲିଠୁ ବା ଜାନୁଆରୀ ୧ରୁ ଆପଣଙ୍କ ପ୍ୟାନ୍ କାର୍ଡ ଆଉ କାମ ନକରିପାରେ । ଡିଆକ୍ଟିଭ ହୋଇଯାଇପାରେ । ଯାହାଦ୍ୱାରା ଆପଣ ଆଇଟିଆର ରିଫଣ୍ଡ, ରସିଦ୍ ଓ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ଏହାସହ ପାନ୍ କାର୍ଡ ନିଷ୍କ୍ରିୟ ହେବା ଯୋଗୁଁ ଅନେକ ସରକାରୀ ସୁବିଧାର ଲାଭ ପାଇବାରୁ ବି ବଞ୍ଚିତ ହୋଇପାରନ୍ତି ।

୨. ମହଙ୍ଗା ହେବ କାର୍ :୨୦୨୬ରେ ନୂଆ କାର୍ କିଣିବାକୁ ପ୍ଲାନ୍ କରିଛନ୍ତି କି ? ତାହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ୨୦୨୬ ଜାନୁଆରୀରୁ ଅଟୋ ମୋବାଇଲ କମ୍ପାନୀଗୁଡିକ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି । ହୋଣ୍ଡା ଗାଡିର ଦାମ୍ ୧ରୁ ୨ ପ୍ରତିଶତ ବଢିପାରେ । ମର୍ସିଡିଜ୍-ବେଞ୍ଜ ଭଳି ବ୍ରାଣ୍ଡେଡ କାର ମୂଲ୍ୟ ୨ରୁ ୩ ପ୍ରତିଶତ ବଢିପାରେ । ନିସାନ୍, ବିଏମଡବ୍ଲୁ କାର୍ ୩ ପ୍ରତିଶତ ଯାଏଁ ମହଙ୍ଗା ହୋଇପାରେ ।

୩. ଅଷ୍ଟମ ବେତନ କମିସନ ଲାଗୁ: ନୂଆବର୍ଷର ପ୍ରଥମ ଦିନକୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାରଣ ସରକାର ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି । ଯଦିଓ ଏହାକୁ ଲାଗୁ କରିବାକୁ ଅଧିକ ସମୟ ଲାଗିପାରେ । କିନ୍ତୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଓ ପେନସନ ୨୦୨୬ ଜାନୁଆରୀ ୧ରୁ ହିସାବ କରି ଦିଆଯିବ । କହିରଖୁଛୁ କି, ସପ୍ତମ ବେତନ କମିସନର ଅବଧି ଡିସେମ୍ବର ୩୧ରେ ଶେଷ ହେଉଛି ।

୪. EPFO ନିୟମରେ ବଡ ପରିବର୍ତ୍ତନ: EPFO ଟଙ୍କା ଉଠାଣ ଏକ ବଡ ଜଟିଳ ପ୍ରକ୍ରିୟା । ହେଲେ ନୂଆବର୍ଷରୁ ପିଏଫ୍ ଟଙ୍କା ଉଠାଇବା ପୂର୍ବପେକ୍ଷା ଅଧିକ ସରଳ ହୋଇଯିବ । ପୂର୍ବରୁ ଥିବା ୧୩ଟି ଭିନ୍ନ ଭିନ୍ନ ସର୍ତ୍ତ ବଦଳରେ ପିଏଫ୍ ଉଠାଣ ପାଇଁ କେବଳ ୩ଟି ମୁଖ୍ୟ ବର୍ଗ ରଖାଯାଇଛି- ଯେପରିକି ଜରୁରୀ ଆବଶ୍ୟକତା, ଘର ସହ ଜଡିତ ଖର୍ଚ୍ଚ ଓ ବିଶେଷ ପରିସ୍ଥିତି । ଯାହାଦ୍ୱାରା ମେଡିକାଲ ଏମର୍ଜେନ୍ସି କିମ୍ବା ବିବାହ ସମୟରେ ତୁରନ୍ତ ପିଏଫ୍ ଟଙ୍କା ଉଠାଇବା ପାଇଁ ଅଯଥା ଝିନଝଟ୍ ରହିବନି ।

୫. ବ୍ୟାଙ୍କିଙ୍ଗ୍ ଓ ଟ୍ୟାକ୍ସ ସହ ଜଡିତ ନିୟମ: ୨୦୨୬ରେ ବ୍ୟାଙ୍କିଙ୍ଗ୍ ଓ ଇନକମ୍ ଟ୍ୟାକ୍ସ ସହ ଜଡିତ ଅନେକ ନିୟମ ବଦଳିପାରେ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ବା ITR ଫର୍ମରେ ଏଣିକି ଅଧିକ ବିବରଣୀ ଦେବାକୁ ପଡିପାରେ । ଏପ୍ରିଲ ୨୦୨୬ରୁ କ୍ରେଡିଟ ସ୍କୋର କେବଳ ୭ ଦିନରେ ଅପଡେଟ୍ ହୋଇଯିବ, ଯାହାକି ପୂର୍ବରୁ ୧୫ ଦିନ ଲାଗୁଥିଲା । ୨୦୨୬ ଜାନୁଆରୀରୁ ଷ୍ଟେଟ ବ୍ୟାଙ୍କ୍, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଚଡିଏଫସି ଭଳି ବ୍ୟାଙ୍କଗୁଡିକର ଋଣ ସୁଧହାର କମିବ । ସେହିପରି ନୂଆବର୍ଷରୁ ନୂଆ ଫିକ୍ସସ୍ ଡିପୋଜିଟ୍ ସୁଧହାର ମଧ୍ୟ ଲାଗୁହେବ ।

୬. ବଦଳିବ ଏଲପିଜି ସିଲିଣ୍ଡର ଦର: ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ପରିବର୍ତ୍ତନ କରିଥାନ୍ତି । ତେଣୁ ଜାନୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦାମ୍‌ରେ ହ୍ରାସ କିମ୍ବା ବୃଦ୍ଧି ଘଟିପାରେ । ଯାହାର ପ୍ରଭାବ ଆପଣଙ୍କ ରୋଷେଇ ବଜେଟ୍ ଉପରେ ପଡିବ ।

୭. ସିଏନଜି, ପିଏନଜି ଓ ଏଟିଏଫ୍ ଦାମ୍: ନୂଆବର୍ଷରୁ ରନ୍ଧନ ଗ୍ୟାସ୍ ସହ ସିଏନଜି, ପିଏନଜି ଓ ଏୟାର ଟର୍ବାଇନ ପ୍ୟୁଏଲ ବା ଏଟିଏଫ୍ ଦର ବି ବଦଳିପାରେ । ଏଟିଏଫ୍ ଦାମ୍ ବଦଳିବା ଅର୍ଥ ସିଧାସଖଳ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ ।