ନୂଆଦିଲ୍ଲୀ ୩।୮: ଭାରତରେ ଭୋଟର ପରିଚୟ ପତ୍ର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଯଦି ଆପଣଙ୍କୁ ୧୮ ବର୍ଷ ବୟସ ତେବେ ଆପଣ ଏହି ଡକ୍ୟୁମେଣ୍ଟ ପାଇଁ ଆବେଦନ କରିପାରିବେ। ଏହା ବିନା ଆପଣଙ୍କୁ ଭୋଟ ଦେବାର ଅଧିକାର ମିଳିବ ନାହିଁ। ଏହା ଛଡା ଏହି ଆଇଡି କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପ୍ରମାଣ ପତ୍ର ମଧ୍ୟ। ତେବେ ଏହାକୁ ନେଇ କିଛି ନିୟମ ମଧ୍ୟ ରହିଛି। ଏହି ନିୟମ ଅନୁସାରେ ଭାରତରେ ପ୍ରତ୍ୟେକ ମତଦାତାଙ୍କ ଗୋଟିଏ ଭୋଟର ଆଇଡି କାର୍ଡ ହୋଇ ପାରିବ।
ଯଦି କାହା ପାଖରେ ୨ଟି ଭୋଟର ପରିଚୟ ପତ୍ର ଥାଏ କି କେହି ଯଦି ଭାବେ ଏପରି ଆଉ ଗୋଟିଏ କରିଦେବି ତେବେ ଏହା ଆଇନତଃ ଧର୍ତ୍ତବ୍ୟ ଅପରାଧ। ଅନେକ ଲୋକ ଭାବନ୍ତି ଅଲଗା ଅଲଗା ଠିକଣା ଅଥବା ରାଜ୍ୟରେ ଭୋଟର ପରିଚୟପତ୍ର ରହିବା ବଡ଼ କଥା ନୁହେଁ। ତେବେ ଏପରି କଲେ ଏହାର ପରିଣାମ ଗୁରୁତର ହୋଇପାରେ। ଭାରତର ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ଜଣେ ନାଗରିକର ଗୋଟିଏ ନିର୍ବାଚନମଣ୍ଡଳିରେ ଭୋଟର ଲିଷ୍ଟରେ ନାମ ଥିବା ଆବଶ୍ୟକ।
ତେବେ ଦୁଇଟି ଜାଗାରେ ନାମ ଥିଲେ ଅଥବା ଦୁଇଟି ଭୋଟର ପରିଚୟପତ୍ର ଥିଲେ ଏହାକୁ ଠକେଇ ମନେ କରାଯିବ। ଏହା ଦେଶର ନିର୍ବାଚନ ପ୍ରକ୍ରିୟାର ପାରଦର୍ଶିତା ଓ ନିରପେକ୍ଷତା ଉପରେ ପ୍ରଭାବ ପକାଇପାରେ। ଏପରି କରିବା ଦ୍ୱାରା ବିଏନଏସ ର ଧାରା ୧୮୨ ଓ ରିପ୍ରେଜେଣ୍ଟେସନ ଅଫ ପ୍ୟୁପିଲ ଆକ୍ଟ ର ଧାରା ୧୭ ଓ ୩୧ ଅନୁସାରେ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଏପରି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ ଅଥବା ଜରିମନା କିମ୍ବା ଉଭୟ ଦଣ୍ଡ ହୋଇପାରେ।
ଦେଖାଯାଇଛି ଲୋକେ ଅଲଗା ଅଲଗା ସହରରେ ରହିବା କାଳରେ ଅଲଗା ଅଲଗା ଭୋଟର ପରିଚୟ ପତ୍ର କରନ୍ତି। ହେଲେ ଏଥି ପାଇଁ ସେମାନେ ପୁରୁଣା ପରିଚୟ ପତ୍ରକୁ କ୍ୟାନସଲ କରିନଥାନ୍ତି। ପରେ ସେମାନଙ୍କର ଏହି ଭୁଲ ସେମାନଙ୍କ ପାଇଁ ଦଣ୍ଡର କାରଣ ହୋଇପାରେ। ଯଦି ଆପଣ ଭୁଲରେ ଅଥବା ଅଜାଣତରେ ଦୁଇ ଭୋଟର ପରିଚୟପତ୍ର ହାସଲ କରିଛନ୍ତି ତେବେ ଡରିବାର କୌଣସି କାରଣ ନାହିଁ। ଆପଣ ଫର୍ମ ୭ ପୁରଣ କରି ପୁରୁଣା ଭୋଟର ପରିଚୟ ପତ୍ରକୁ କ୍ୟାନସଲ କରିପାରିବେ।
ତେବେ ଫର୍ମ ୭ ପୂରଣ କରିବା ବେଳେ ଆପଣଙ୍କୁ ଜଣାଇବାକୁ ପଡିବ ଦୁଇଟିରୁ ଆପଣ କେଉଁଟିକୁ କ୍ୟାନସଲ କରିବେ। ଏହା ସହିତ ଆବଶ୍ଯକ ଜରୁରି କାଗଜପତ୍ର ମଧ୍ୟ ସଲଗ୍ନ କରିବାକୁ ପଡିବ। ଥରେ ଏହି ପ୍ରକ୍ରିୟା ପୁରା ହୋଇ ଗଲେ ରେକର୍ଡ ଅପଡେଟ୍ ହୋଇଯିବ ଓ ଆପଣଙ୍କ ପାଖରେ କେବଳ ଗୋଟିଏ ବୈଧ ଭୋଟର ପରିଚୟପତ୍ର ରହିବ।