ଭୁବନେଶ୍ୱର ୦୪/୦୨: ଷ୍ଟାର ହୋଟେଲ ମଣ୍ଡପରୁ ଲୁଟ ଘଟଣା । ଲୁଟେରାକୁ ଗିରଫ କଲା ପୋଲିସ । ଗରିଫ ଯୁବକ ରିତେଶ ସିସୋଦିଆ । ରିତେଶର ଘର ମଧ୍ୟପ୍ରଦେଶ ବୋଲି ଜଣାପଡ଼ିଛି । ରିତେଶ ପୁରୀ ବଳିଆପଣ୍ଡାର ଏକ ମଣ୍ଡପରୁ ଚୋରୀ କରିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ଘଟଣାସ୍ଥଳରୁ ରିତେଶର ଜଣେ ସହଯୋଗୀ ଫେରାର ହୋଇଯାଇଛି ।
ସୂଚନା ଥାଉକି, ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲ ବାହାଘରରୁ ଏମିତି ଚୋରି କରିଥିଲା ଅଭିଯୁକ୍ତ ରିତେଶ ଓ ତାର ସହଯୋଗୀ । ଅତିଥି ବେଶରେ ଆସି, ଯାହା ଥିଲା ଟଙ୍କା ଓ ସୁନା ଗହଣା ସବୁ ନେଇଯାଇଥିଲେ । ୨ ଜଣ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇଥିଲେ ।
ନବ ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ବି ଲୁଟି ନେଇଥିଲେ । ତେବେ ଘଟଣା ଜଣାପଡିବା ପରେ ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ ଖୋଜା ପଡିଥିଲା । ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଛି । କିନ୍ତୁ ମୈତ୍ରବିହାର ଥାନା ପୋଲିସ ସେମାନଙ୍କୁ ଠାବ କରିବାରେ ସମ୍ଭବପର ହୋଇନଥିଲା ।
ସେପଟେ ସିସିଟିଭିରୁ କଏଦ ଥିବା ଦୁଇ ଅଭିଯୁକ୍ତ ଚିହ୍ନଟ କରି ଛାନ୍ଭିନି କରିଥିଲା ପୋଲିସ । ଫୁଟେଜ୍ ଆଧାରରେ ପୁରୀର ଗୋଟିଏ ମଣ୍ଡପରୁ ଚୋରି କରିବା ବେଳେ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ହେଲେ ଅନ୍ୟ ଜଣେ ଅଭିଯୁକ୍ତ ସେଠାରୁ ଫେରାର୍ ମାରିଛି । ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।