ମୁମ୍ବାଇ ଦହିହାଣ୍ଡି ଉତ୍ସବରେ ଦୁର୍ଘଟଣା, ୩୨ ବର୍ଷିୟ ‘ଗୋବିନ୍ଦା’ଙ୍କ ମୃତ୍ୟୁ, ବିଭିନ୍ନ ସ୍ଥାନରେ ୩୦ ଆହତ

Published By : Prameya-News7 Bureau | August 16, 2025 IST

ମୁମ୍ବାଇ ୧୬।୮: ଜନ୍ମାଷ୍ଟମୀ ଅବସରରେ ମୁମ୍ବାଇ ଦହି ହାଣ୍ଡି ଉତ୍ସବରେ ଶନିବାର ଦୁର୍ଘଟଣା ଘଟିଛି। ମାନଖୁର୍ଦ୍ଦ ଅଞ୍ଚଳର ମହାରାଷ୍ଟ୍ର ନଗରରେ ରସି ବାନ୍ଧିବା ସମୟରେ ୩୨ ବର୍ଷିୟ ‘ଗୋବିନ୍ଦା’ ଜଗମୋହନ ଶିବକିରଣ ଚୌଧୁରୀ ଖସିପଡି ପ୍ରାଣ ହରାଇଛନ୍ତି। ଜଗମୋହନ ତଳେ ପଡିବାମାତ୍ରେ ତାଙ୍କୁ ଶତାବ୍ଦୀ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଗମୋହନ ବାଲ ଗୋବିନ୍ଦ ପାଠକ ସହ ସମ୍ପୃକ୍ତ ଥିଲେ। ଏଣୁ ତାଙ୍କ ମୃତ୍ୟୁରେ ଉତ୍ସବର ପରିବେଶ ଶୋକରେ ପରିଣତ ହୋଇଛି। 

ମୁମ୍ବାଇ ଦହି ହାଣ୍ଡି ଉତ୍ସବ ଲାଗି ବିଏମସି ରିପୋର୍ଟ ଅନୁସାରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୦ ଜଣ ଆହତ ହୋଇଛନ୍ତି। ଏଥିରୁ ୧୮ଜଣ କୁପର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୬ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ଓ ୧୨ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି କେଇଏମ ହସ୍ପିଟାଲରେ ୬ ଜଣ ଆହତ ଭର୍ତ୍ତି ହୋଇଥିବା ବେଳେ ୩ଜଣ ଡିସଚାର୍ଜ ହୋଇଥିବା ବଳେ  ୩ ଜଣ ଚିକିତ୍ସିତ ହେଉଛନ୍ତି। ନାୟର ହସ୍ପିଟାଲରେ ୬ ଜଣ ଭର୍ତ୍ତି ହୋଇଥିବା ବେଳେ ୫ ଜଣ ଡିସଚାର୍ଜ ହୋଇଥିବା ବେଳେ ଜଣେ ଚିକିତ୍ସିତ ହେଉଛନ୍ତି। 

ପ୍ରତ୍ୟେକ ବର୍ଷ ଦହିହାଣ୍ଡି ଉତ୍ସବ କାଳରେ ଅନେକ ଗୋବିନ୍ଦା ଆହତ ହୋଇଥାନ୍ତି। ଏହାକୁ ନଜରରେ ରଖି ଚଳିତବର୍ଷ ବିଏମସି ଖାସ ପଦକ୍ଷେପ ଗ୍ରହଣ କରିଛି। ବିଏମସି କମିଶନର ଭୂଷଣ ଗଗରାନୀ ନଗର ନିଗମ ହସ୍ପିଟାଲଙ୍କୁ ଦହି ହାଣ୍ଡି ଉତ୍ସବରେ ଆହତ ଗୋବିନ୍ଦାମାନଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିସ୍ଥିତି ଉପରେ ନଜର ରଖିବାକୁ ପ୍ରତି ୩ ଘଣ୍ଟାରେ କଣ୍ଟ୍ରୋଲ ରୁମକୁ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡା ବଡ଼ ଦହିହାଣ୍ଡି ଆୟୋଜନ ସ୍ଥଳମାନଙ୍କରେ ଟିମ୍‌ ମୁତୟନ ମଧ୍ୟ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.