ଗୁଜରାଟ ସ୍ଥାନୀୟ ନିର୍ବାଚନରେ ଏକା ଲଢ଼ିବ ଆପ: କହିଲେ, ବିଭିନ୍ନ ଦଳରୁ ଆସି ଯୋଗ ଦେଲେ ୫ ହଜାର କର୍ମୀ

Published By : Prameya-News7 Bureau | August 07, 2025 IST

indiatoday

ଗାନ୍ଧୀନଗର: ଗୁଜରାଟରେ ଆଗାମୀ ସ୍ଥାନୀୟ ନିର୍ବାଚନ ଏକା ଲଢ଼ିବ ଆମ ଆଦମୀ ପାର୍ଟି। ଏନେଇ ଆପ ଗୁଜରାଟ ରାଜ୍ୟ ସଭାପତି ଇସୁଦାନ ଗାଧଭି ସୂଚନା ଦେଇଛନ୍ତି। ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ଦଳ କୌଣସି ମେଣ୍ଟ ଗଠନ ନ କରି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। 

ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ଭାବ୍ୟ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି, ଆପ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଦଳର ଚାଲିଥିବା "ଗୁଜରାଟ ଯୋଡୋ" ଅଭିଯାନକୁ ପ୍ରଚୁର ଜନସମର୍ଥନ ମିଳୁଛି। ତାଙ୍କ ଅନୁସାରେ, ମାତ୍ର ଛଅ ଦିନରେ ସାରା ରାଜ୍ୟରେ ୧୫୦ ରୁ ଅଧିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ବୋଲି ଗାଧଭି ଦାବି କରିଛନ୍ତି।

ଆଗାମୀ ଦୁଇ ମାସ ମଧ୍ୟରେ ଦଳ ଏପରି ମୋଟ ୨ ହଜାର ବୈଠକ କରିବାକୁ ଯୋଜନା ରଖିଛି। ଗାଧଭି ଏହା ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ ସମୟରେ ବିଜେପି ଏବଂ କଂଗ୍ରେସର ୫୦୦୦ ରୁ ଅଧିକ ନେତା ଏବଂ କର୍ମୀ - ସାମାଜିକ ନେତା, କୃଷକ ନେତା ଏବଂ ବ୍ୟବସାୟୀଙ୍କ ସମେତ ଆପରେ ଯୋଗ ଦେଇଛନ୍ତି।

କେବଳ ସେତିକି ନୁହେଁ, ମାତ୍ର ଗୋଟିଏ ମାସରେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ମିସ୍ଡ କଲ୍ ପଦକ୍ଷେପ ମାଧ୍ୟମରେ ଆପରେ ଯୋଗ ଦେଇଛନ୍ତି। ଗାଧଭି କହିଛନ୍ତି ଯେ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧୦,୦୦୦ ରୁ ୧୫,୦୦୦ ଲୋକ ଦଳରେ ଯୋଗ ଦେଉଛନ୍ତି, ଏହି ବର୍ଦ୍ଧିତ ସମର୍ଥନ ଦଳର କର୍ମୀଙ୍କୁ ଶକ୍ତି ପ୍ରଦାନ କରୁଛି ବୋଲି ସେ କହିଛନ୍ତି। 

ନିର୍ବାଚନ ପାଇଁ ଦଳ ଜନ୍ମାଷ୍ଟମୀ ନିଜର ପ୍ରାର୍ଥୀ ତାଲିକା ଜାରି କରିବାକୁ ଯୋଜନା କରୁଛି। ଲକ୍ଷ୍ୟ ହେଉଛି ଯୁବପିଢ଼ି, ଚାଷୀ, ମହିଳା, ବେକାର ବ୍ୟକ୍ତି, କର୍ମଚାରୀ ଏବଂ ବ୍ୟବସାୟୀମାନଙ୍କୁ ରାଜନୈତିକ ସୁଯୋଗ ପ୍ରଦାନ କରିବା - ବିଶେଷକରି ଯେଉଁମାନଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ ସେମାନଙ୍କୁ ବି ସୁଯୋଗ ଦେବା। ତା ସହିତ କଂଗ୍ରେସ ଓ ବିଜେପିରୁ ଯେଉଁମାନେ ନିରାଶ ହୋଇଛନ୍ତି ସେହିଭଳ ତୃଣମୂଳ ସ୍ତରର କର୍ମୀଙ୍କୁ ମଧ୍ୟ ଆପ୍ ଯୋଡ଼ିଛି ବୋଲି ଗାଧଭି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.