ବାରିପଦା: ମୃତ୍ୟୁ ସହିତ ବିତିଲା ରାତି। ଏକ ତମ୍ପ ସାପ ସହିତ ମଶାରୀ ଭିତରେ ସାରା ରାତି ଶୋଇଲେ ଜଣେ ମଣିଷ। ରାତି ସାରା ଶୋଇବା ପରେ ସକାଳୁ ଉଠିଲା ବେଳକୁ ବିଛଣାରେ ସାପ ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା। ସାପକୁ ଦେଖିବା ମାତ୍ରେ ତାଙ୍କ ଦେହ ଥରି ଉଠିଥିଲା। ସ୍ନେକ ହେଲ୍ପଲାଇନ ଖବର ଦିଆଯାଇଥିଲା। ଏହାପରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦିଆଯାଇଛି। ତେବେ ସୌଭାଗ୍ୟ ବଶତଃ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଡୁକୁରା ରେଞ୍ଜ ବନ ବିଭାଗ ଅନ୍ତର୍ଗତ ପ୍ରତାପପୁର ଗାଁରେ ଦେଖିବାକୁ ମିଳିଛି ଅଭଳି ଘଟଣା। ଗାଆଁର କାମିନିକାନ୍ତ ରାଉତଙ୍କ ଘରେ ବଡି ଭୋର୍ ସମୟରେ ସାପଟି ପଶି ଘର ମାଲିକ ଶୋଇଥିବା ମଶାରୀ ଭିତରେ ପଶି ଯାଇଥିଲା ଏବଂ ଆକ୍ରମଣ ନକରି ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କ ପାଖରେ ଶୋଇ ରହିଥିଲା।
ତେବେ ସକାଳେ ନିଦ ଭାଙ୍ଗିବା ପରେ ଘର ମାଲିକ ଟର୍ଚ୍ଚ ଜାଳିବାରୁ ସାପକୁ ଦେଖିବାକୁ ପାଇଥିଲେ ଏବଂ ଦେଖି ଶାନ୍ତ ରହିଥିଲେ। ପରିବାରର ଜଣେ ସଦସ୍ୟଙ୍କୁ ବନ ବିଭାଗର ଉଦ୍ଧାରକାରୀ ଦଳକୁ ଡାକିବାକୁ କହିଥିଲେ।
ସାପ ଉଦ୍ଧାରକାରୀ ଦଳର ସଦସ୍ୟ ସୂଚନା ପାଇ ଘଟଣାସ୍ଥଳକୁ ଆସିଥିଲେ। ସେଠାରେ ତମ୍ପସାପ ଏବଂ ଘର ମାଲିକଙ୍କୁ ପାଖରେ ଶୋଇଥିବାର ଦେଖି ପ୍ରଥମେ ଘର ମାଲିକ ଏବଂ ତାପରେ ସାପକୁ ଉଦ୍ଧାର କରିଥିଲେ। ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ନେଇ ସୂଚନା ମିଳିଛି।