LIVE TV

ଅକ୍ଟୋବର ୮ରୁ ବଦଳିବ ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମ; ଦେବାକୁ ପଡ଼ିବନି ପିନ୍, ହୋଇଯିବ ପେମେଣ୍ଟ

NEWS7
UPI

ନୂଆଦିଲ୍ଲୀ: ଦେଶର ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ସହଜ ଏବଂ ସୁରକ୍ଷିତ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଏନପିସିଆଇ। ଏହି ନୂଆ ନିୟମ ଅନୁସାରେ ଏଣିକି ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍‌ (UPI)ରୁ ନେଣ ଦେଣ କରୁଥିବା ୟୁଜର୍ସଙ୍କୁ ପେମେଣ୍ଟ କରିବା ପାଇଁ ଆଉ ପିନ୍‌ ଦେବାକୁ ପଡ଼ିବନି। ବରଂ ଏହା ବଦଳରେ ଫେସ୍‌ ସ୍କାନ କିମ୍ବା ଫିଙ୍ଗରପ୍ରିଣ୍ଟ୍ ଦ୍ବାରା ଟ୍ରାଞ୍ଜାକ୍ସନ କରିପାରିବେ। ନୂଆ ସୁବିଧା ଅକ୍ଟୋବର ୮ରୁ ଲାଗୁ ହେବ। ତେବେ ଏହି ପଦକ୍ଷେପ ଆରବିଆଇ, ନିକଟରେ ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ ନିଆଯାଇଛି। ଯେଉଁଥିରେ ପେମେଣ୍ଟ ପାଇଁ ବିକଳ୍ପ ଅଥେଣ୍ଟିକେସନ ବା ଭେରିଫାଏ କଥା କୁହାଯାଇଥିଲା।

NPCI ଏହି ଫିଚରକୁ ମୁମ୍ବାଇରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟିଭାଲରେ ପ୍ରଦର୍ଶିତ କରିବାକୁ ଯାଉଛି। ଏଥିରେ ଡିଜିଟାଲ ପେମେଣ୍ଟ ଆହୁରି ଦ୍ରୁତ, ସୁରକ୍ଷିତ ଏବଂ ସୁବିଧାଜନକ ହେବ। ଇକୋନୋମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ନୂଆ ସୁବିଧା ଦ୍ବାରା ପେମେଣ୍ଟର ଅଥେଣ୍ଟିକେସନ ଭାରତ ସରକାରଙ୍କ ଆଧାର ସିଷ୍ଟମରେ ଥିବା ବାୟୋମେଟ୍ରିକ୍ସ ଡାଟା ମାଧ୍ୟମରେ କରାଯିବ। ଅର୍ଥାତ ୟୁଜର୍ସଙ୍କ ଫେସ୍‌ କିମ୍ବା ଫିଙ୍ଗରପ୍ରିଣ୍ଟ ସେମାନଙ୍କ ଆଧାର ତଥ୍ୟ ସହ ମେଳ କରାଯିବ। ଏହାପରେ ଯାଇ ପେମେଣ୍ଟକୁ ଅନୁମତି ମିଳିପାରିବ।

ସୂଚନାଥାଉକି, ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ବାରା ନିକଟରେ ଜାରି ମାର୍ଗଦର୍ଶିକା ଅନୁସାରେ ନିଆଯାଇଛି। ଯେଉଁଥିରେ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ବୈକଳ୍ପିକ ଅଥେଣ୍ଟିକେସନ ଉପାୟକୁ ଅନୁମତି ଦିଆଯାଇଥିଲା। ଏଥିରେ ଡିଜିଟାଲ ପେମେଣ୍ଟକୁ ସୁରକ୍ଷିତ ଏବଂ ୟୁଜର ଏକ୍ସପିରିଏନ୍ସକୁ ଆହୁରି ଉତ୍ତମ କରିବାକୁ ଲକ୍ଷ୍ୟ ରହିଛି।

ବର୍ତ୍ତମାନ ୟୁପିଆଇ ପାଇଁ ୟୁଜର୍ସକୁ ଟ୍ରାଞ୍ଜାକ୍ସନ କରିବା ପାଇଁ ୪ କିମ୍ବା ୬ ଅଙ୍କର ପିନ୍ ଦେବାକୁ ପଡ଼ୁଛି। ନୂଆ ସୁବିଧା ଲାଗୁ ହେବା ପରେ, ଫେସ୍ ସ୍କାନ କିମ୍ବା ଫିଙ୍ଗରପ୍ରିଣ୍ଟ ସେନ୍ସର ଜରିଆରେ ପେମେଣ୍ଟ ତୁରନ୍ତ ଅଥେଣ୍ଟିକେସନ ବା ଭେରିଫାଏ ହୋଇଯିବ। ଏହାଦ୍ବାରା ଅଥେଣ୍ଟିକେସନ ସମୟ କମିବ, ସୁରକ୍ଷା ବଢ଼ିବ ଏବଂ ୟୁଜର ଏକ୍ସପିରିଏନ୍ସ ଆହୁରି ସହଜ ହେବ।

ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୋମେଟ୍ରିକ ଅଥେଣ୍ଟିକେସନ ଫଳରେ ଠକେଇ ସମ୍ଭାବନା କମିବ। କାରଣ କାହାର ଚେହେରା ଏବଂ ଫିଙ୍ଗରପ୍ରିଣ୍ଟକୁ କପି କରିବା ମୁସ୍କିଲ। ଅବଶ୍ୟ ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଏନପିସିଆଇ ଏବଂ ୟୁଆଇଡିଏଆଇ ମଧ୍ୟରେ ମଜଭୁତ ଟେକ୍ନୋଲୋଜି ପ୍ରୋଟୋକଲ ପାଳନ କରାଯିବ।