LIVE TV

ଆଇଟି କ୍ଷେତ୍ରରେ ସାଇଲେଣ୍ଟ ଲେ-ଅଫ୍‌, ଏ ବର୍ଷ ୫୦ ହଜାର ଛଟେଇ ଆଶଙ୍କା

NEWS7
layoff

ନୂଆଦିଲ୍ଲୀ ୧୩/୧୦: ସାରା ବିଶ୍ୱରେ ଏବେ ଆଇଟି କମ୍ପାନିଗୁଡ଼ିକ ସେମାନଙ୍କ କର୍ମଚାରୀ ସଂଖ୍ୟାରେ ହ୍ରାସ କରୁଛନ୍ତି । ବିଶେଷଜ୍ଞ ମାନେ ଏହାକୁ ସାଇଲେଣ୍ଟ ଲେଅଫ୍‌ ବା ଚୁପଚାପ ଉପାୟରେ ଛଟେଇ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ଭାରତୀୟ ଆଇଟି କ୍ଷେତ୍ରରୁ ବର୍ଷ ଶେଷ ବେଳକୁ ପ୍ରାୟ ୫୦ ହଜାର କର୍ମଚାରୀ ଛଟେଇ ହେବେ ବୋଲି ଆକଳନ କରାଯାଇଛି । 

ରିପୋର୍ଟ ମୁତାବକ, ୨୦୨୩ ଏବଂ ୨୦୨୪ରେ ଦେଶର ଆଇଟି କ୍ଷେତ୍ରରେ ୨୫ ହଜାର କର୍ମଚାରୀ ଛଟେଇ ହୋଇଥିଲେ । ଏବେ କମ୍ପାନି ଗୁଡ଼ିକ କୃତ୍ରିମ ବୁଦ୍ଧିମତା (ଏଆଇ) ଟେକ୍ନୋଲୋଜି ଏବଂ ବାଣିଜ୍ୟ ଅଭିବୃଦ୍ଧି ଉପରେ ଫୋକସ କରୁଛନ୍ତି । ରୁଟିନ୍‌ ଇଞ୍ଜିନିୟରିଂ ଟାସ୍କ ବା ଚିରାଚରିତ କାମ ପାଇଁ ଏବେ ମଣିଷ ପରିବର୍ତ୍ତେ ମେସିନ ବ୍ୟବହାର ହେଉଛି । ଫଳରେ କମ୍ପାନି ଗୁଡ଼ିକ ବାଧ୍ୟ ହୋଇ ସେମାନଙ୍କ ଶ୍ରମଶକ୍ତି ସଂଖ୍ୟା କମାଉଛନ୍ତି । ଦେଶର ପ୍ରମୁଖ ଆଇଟି କମ୍ପାନି ଟିସିଏସ୍‌ ଏହାର ମୋଟ୍‌ କର୍ମଚାରୀଙ୍କ ମଧ୍ୟରୁ ୨% ବା ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି ।

ବୃହତ ଏବଂ ମଧ୍ୟମ ବର୍ଗର ଟେକ୍ନୋଲୋଜି ଫାର୍ମ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ କମ୍ପାନିରୁ ଇସ୍ତଫା ଦେଇ ବିକଳ୍ପ ନିଯୁକ୍ତି ଦେଖିବାକୁ କହୁଛନ୍ତି । ହାଇଦ୍ରାବାଦର ଜଣେ ଆଇଟି କର୍ମଚାରୀ କହିଛନ୍ତି ଦୀର୍ଘ ୧୩ ବର୍ଷ ହେବ ଏକ ପ୍ରମୁଖ ଆଇଟି କମ୍ପାନିରେ କାମ କରୁଥିଲି । ନିକଟରେ ଛଟେଇ ଇମେଲ ମିଳିଛି । ପର୍‌ଫର୍‌ମାନ୍ସ ଉନ୍ନତ ନ ଥିବା କହିଥିଲେ ଏଚ୍‌ଆର୍‌ । କମ୍ପାନି ୩ ମାସର ସେଭେରାନ୍ସ ପ୍ୟାକେଜ୍‌ ପ୍ରଦାନ କରିଛି ।

ଏକ ଟେକ୍ନୋଲୋଜି ଫାର୍ମର କ୍ଲାଏଣ୍ଟ ସାଇଟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି, କିଛି ମାସ ତଳେ ମ୍ୟାନେଜର ଛଟେଇ ସମ୍ପର୍କରେ ସୂଚନା ଦେଇଥିଲେ । ନୂଆ ଚାକିରି ଖୋଜିବାକୁ ୩ ମାସର ଅନୁକମ୍ପା ସମୟ ଦେଇଛି କମ୍ପାନି । ଆମେରିକା ଭିତ୍ତିକ ଏଚ୍‌ଏଫ୍‌ଏସ୍‌ ରିସର୍ଚ୍ଚର ପ୍ରମୁଖ ଆନାଲିଷ୍ଟ ତଥା ମୁଖ୍ୟ ନିର୍ବାହୀ ଫିଲ୍‌ ଫର୍ସଟ୍‌ କହିଛନ୍ତି, କମ୍ପାନି ଗୁଡ଼ିକ ଏବେ ସାଇଲେଣ୍ଟ ଲେଅଫ୍‌ କରୁଛନ୍ତି । ଏଥିରେ କର୍ମଚାରୀଙ୍କୁ କଠୋର ପର୍‌ଫର୍‌ମାନ୍ସ
ସମୀକ୍ଷା, ନିଯୁକ୍ତି କମାଇବା ଏବଂ କ୍ୟାରିୟର ଅଗ୍ରଗତିକୁ ରୋକାଯାଉଛି ।

ଏଭଳି ଉପାୟରେ ଲକ୍ଷ ଲକ୍ଷ ନିଯୁକ୍ତି କାଟ ହେଉଛି । ଟିମ୍‌ ଲିଜ୍‌ ଡିଜିଟାଲର ସିଇଓ ନୀତି ଶର୍ମା କହିଛନ୍ତି, ପୁରୁଣା ଢ଼ାଞ୍ଚାରେ କାମ କରୁଥିବା କର୍ମଚାରୀଙ୍କୁ ଉପରେ ନିଯୁକ୍ତି ହ୍ରାସ ପ୍ରଭାବ ବେଶି ରହୁଛି । ଅନ୍ୟପଟେ କମ୍ପାନି ଗୁଡ଼ିକ ବିଶେଷଜ୍ଞ ରୋଲ୍‌ ଏବଂ ନୂଆ ଟେକ୍ନୋଲୋଜି ରୋଲ୍‌ ଗୁଡ଼ିକ ଉପରେ ବିଶେଷ ଭାବେ ଫୋକସ୍‌ କରୁଛନ୍ତି । ଫଳରେ ୨୦୨୫ରେ ଛଟେଇ ୫୫-୬୦ ହଜାର ଛୁଇଁପାରେ । ଜୁଲାଇ ପରଠୁ ଟିସିଏସ୍‌ ଏବଂ ଆସେଞ୍ଜର ମିଳିତ ଭାବେ ୨୩ ହଜାରରୁ ଉଦ୍ଧ୍ୱର୍ ଛଟେଇ କରିଛନ୍ତି ।

ଆସେଞ୍ଚର୍‌ ସାରା ବିଶ୍ୱରେ ଏହାର ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରୁ ୧୧ ହଜାର କର୍ମଚାରୀ ଛଟେଇ କରିଛି । ଏକ ପ୍ରମୁଖ ଆଇଟି କମ୍ପାନିର ଏଚ୍‌ଆର ବିଭାଗ ଦୈନିକ ଭିତ୍ତିରେ ୩୦୦ରୁ ଉର୍ଦ୍ଧ୍ୱ ଛଟେଇ ଇ-ମେଲ୍‌ ପଠାଉଥିବା କହିଛନ୍ତି ଜଣେ ଅଧିକାରୀ । କର୍ମଚାରୀଙ୍କୁ ତ୍ୱରିତ ଭିତ୍ତିରେ ଲାପଟପ୍‌ ଫେରାଇ ଦେବା, ଏମ୍ପ୍ଲଇ ଆକ୍‌ସେସ୍‌ ନିୟନ୍ତ୍ରଣ ପାଇଁ କୁହାଯାଉଛି । ସେପ୍ଟେମ୍ବର ତ୍ରୈମାସରେ ଟିସିଏସ୍‌ରୁ ୬ ହଜାର କର୍ମଚାରୀ ଛାଡିଛନ୍ତି । ଏହି ଅବଧି ସୁଦ୍ଧା କମ୍ପାନିରୁ ମୋଟ ୧୨,୭୫୫ କର୍ମଚାରୀ ହ୍ରାସ ହେବା ଯୋଗୁ କର୍ମଚାରୀ ସଂଖ୍ୟା ୫.୯୩ ଲକ୍ଷକୁ ଖସିଛି । 

​​​​​​​କମ୍ପାନି ଗୁଡ଼ିକ କର୍ମଚାରୀଙ୍କ ତ୍ୱରିତ ଭିତ୍ତିରେ ଛଟେଇ ନ କରି କିଛି ମାସର କ୍ଷତିପୂରଣ ଦେଇ ସର୍ତ୍ତ ଭିତ୍ତିରେ ଇସ୍ତଫା ଦେବାକୁ କହୁଛନ୍ତି । କୋଭିଡ ପରେ ଆଇଟି କମ୍ପାନି ଗୁଡ଼ିକ ନିଜକୁ ବ୍ୟବସ୍ଥିତ କରୁଛନ୍ତି । ଏଆଇ, ଅଟୋମେଶନ ଗ୍ରହଣୀୟତା ତୀବ୍ର ହୋଇଛି । ଯୁଦ୍ଧ, ଟାରିଫ ଏବଂ ମାନ୍ଦାବସ୍ଥା ସ୍ଥିତିରେ ରାଜସ୍ୱ ଅଭିବୃଦ୍ଧି କରିବା କମ୍ପାନିଙ୍କ ପାଇଁ ଆହ୍ୱାନ ପାଲଟିଛି । ଏଆଇ ପରିଦୃଶ୍ୟ ସହ ନିଜକୁ ଖାପ ଖୁଆଇବା ଲାଗି କମ୍ପାନିଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଲାଗି ରହିଛି ବୋଲି ଶର୍ମା କହିଛନ୍ତି ।