News7 Logo

ୟୁକ୍ରେନ ଉପରେ ପୁଣି ନିଆଁ ବର୍ଷା କଲା ରୁଷ, ୫୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ କଲା ଆକ୍ରମଣ

NEWS7
ukraine

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ୨୦୨୨ ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ୪୨ ମାସରୁ ଅଧିକ ସମୟ ଧରି ଚାଲିଛି । ଏହି ଯୁଦ୍ଧ କାରଣରୁ ପ୍ରତିଦିନ ଧନ-ଜୀବନକୁ କ୍ଷତି ପହଞ୍ଚୁଛି । ୟୁକ୍ରେନର ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ଓ ଅନେକ ସହର ଧ୍ୱଂସସ୍ତୁପ ପାଲଟି ସାରିଛି । ରୁଷର ଅନେକ ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଇ ସାରିଲେଣି । ଏହି କ୍ଷତି ସତ୍ତ୍ୱେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ବନ୍ଦ ହେଉ ନାହିଁ । ମଙ୍ଗଳବାର ରାତିରେ ରୁଷ ପୁଣି ଥରେ ୟୁକ୍ରେନ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି ।

ରୁଷ ପୁଣି ଥରେ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ବିଳମ୍ୱିତ ରାତିରେ ୫୨୬ ଡ୍ରୋନ-ମିସାଇଲ୍ ମାଡ଼ କରିଛି । ଏଥିରେ ୫୦୨ ଡ୍ରୋନ୍ ଓ ୨୪ ମିସାଇଲ୍ ସାମିଲ ଥିଲା । ୟୁକ୍ରେନର ବାୟୁସେନା ରୁଷର ଏହି ଆକ୍ରମଣ ବାବଦରେ ସୂଚନା ଦେଇଛି । ଏହି ଆକ୍ରମଣରେ ମୁଖ୍ୟତଃ ୟୁକ୍ରେନର ପଶ୍ଚିମ କ୍ଷେତ୍ରରୁ ଟାର୍ଗେଟ୍ କରାଯାଇଥିଲା ।

ୟୁକ୍ରେନ ବାୟୁସେନା ଅନୁସାରେ, ରୁଷ ଦ୍ୱାରା ମାଡ଼ କରାଯାଇଥିବା ୬୯ ଡ୍ରୋନ୍ ଓ ୩ ମିସାଇଲ୍ ୧୪ ଭିନ୍ନ ଭିନ୍ନ ସ୍ଥାନର ମାଡ଼ ହୋଇଛି । ଅନ୍ୟ ଡ୍ରୋନ୍ ଓ ମିସାଇଲଗୁଡ଼ିକୁ ୟୁକ୍ରେନ ବାୟୁସେନା ଦ୍ୱାରା ନଷ୍ଟ କରାଯାଇଛି । କିନ୍ତୁ ସେଗୁଡ଼ିକର ଭଗ୍ନାବଶେଷ ଅଲଗା ଅଲଗା ସ୍ଥାନରେ ପଡ଼ିବା ଯୋଗୁ କ୍ଷତି ପହଞ୍ଚିଛି । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣରେ ଅନେକ ଘର, ବିଲ୍ଡିଂ ଓ ନାଗରିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚିଛି ।

ଆଲାସ୍କାରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଓ ୱାଶିଂଟନରେ ଜେଲେନସ୍କି, ୟୁରୋପିଅନ ୟୁନିଅନ ନେତା ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ପରେ ସ୍ଥିତିରେ ସୁଧାର ଆସିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବାସ୍ତବରେ ଏହାର ବିପରୀତରେ ଉଭୟ ପଟୁ ଆକ୍ରମଣ ଆହୁରି ବଢି ଯାଇଛି । ଲଗାତାର ହେଉଥିବା ଆକ୍ରମଣ ଭିତରେ ରୁଷ ଉପରେ କଟକଣା ଲଗାଇବା ପାଇଁ ଜେଲେନସ୍କି ଦାବି କରିଆସୁଛନ୍ତି । ମଙ୍ଗଳବାର ସେ କହିଥିଲେ, ରୁଷ ଡ୍ରୋନ ଆକ୍ରମଣ ସଂଖ୍ୟା ବଢୁଛି । ଏଥର ଦିନରେ ବି ଆକ୍ରମଣ କରାଯାଉଛି । ଏହାସହ ରୁଷ ଆକ୍ରମଣ ଜବାବ ଦେବା ପାଇଁ ସେ ନିଜ ମିତ୍ରରାଷ୍ଟ୍ରଙ୍କ ସହୟତା ଲୋଡ଼ିଛନ୍ତି ।