LIVE TV

କେବେ ବଦଳିବ ରାମଶ୍ୟାମପୁରର ଭାଗ୍ୟ ? ଗାଁ ଲୋକଙ୍କୁ ସାହା ଖଣ୍ଡିଏ ଜରିପାଲ, ଆବାସ ଯୋଜନା ସାତ ସପନ

NEWS7
Ramshyampur village

ନୂଆଦିଲ୍ଲୀ: ଭଙ୍ଗା ଦଦରା ଘରମୁଣ୍ଡ ଉପରେ ପାଲ ଖଣ୍ଡିଏଯେଉଁଠି ଚୁଲି ସେଇଠି ଘରର ଆସବାବ ପତ୍ରଏ ଦୃଶ୍ୟ ଦେଖିବା ପରେ ବିଶ୍ବାସ ହେବନି କି ଏ ଘରେ ମଣିଷ ରହୁଚି ବୋଲି। ଏମିତି ଦୀର୍ଘ ଦିନ ହେବ ଅୟହାୟ ଜୀବନ ବିତାଉଛନ୍ତି ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଘାଣ୍ଟିଖାଲ ପଞ୍ଚାୟତର ରାମଶ୍ୟାମପୁର ଗ୍ରାମର ଲୋକେ। ଏହି ଗାଁର ପ୍ରାୟ ସମସ୍ତେ ଭଙ୍ଗା ଦଦରା ଚାଳ ଛପର ଘରେ ଜରି ପାଲ ଘେରାଇ ବିତାଉଛନ୍ତି ଜୀବନ। କେଉଁଠି ତାଟି କବାଟ ବି ନାହିଁବର୍ଷା ଦିନ କଥା ନକହିବା ଭଲ ଅସରାଏ ବର୍ଷାରେ ଚାଳ ଉପରେ ଥିବା ଜରିପାଲ ଚିରି ଫାଳ ଫାଳ ହେଲାଣି। କାନ୍ଥରୁ ମାଟି ଖସି ଝଡ଼ି ପଡ଼ିଲାଣି । ଗୁହାରି କରୁଛନ୍ତି, ଦିନ ଗଣୁଛନ୍ତି ହେଲେ ଏଠି ପ୍ରଶ୍ନ- ଏମାନଙ୍କ ଭାଗ୍ୟ ବଦଳିବ କେବେ

ଏଠି ସେଠି ମୂଲ ମଜୁରୀ କରି ଯାହା ରୋଜଗାର କରିବା ସହିତ ପାଖ ଜଙ୍ଗଲରୁ କିଛି ଜାଳେଣି କାଠ ସଂଗ୍ରହ କରି ତାକୁ ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ଗାଁକୁ ନାହିଁ ପକା ସଡ଼କବର୍ଷାଦିନ ଆସିଲେ ଅବସ୍ଥା ଶୋଚନୀୟ ହୋଇପଡେ। ଦିନ ବେଳା ଯାହା ଯେମିତି ରହି ଯାଉଛନ୍ତି ହେଲେ ସଞ୍ଜ ହେଲେ ସ୍ଥିତି ପୁରା ସଙ୍ଗୀନ। ଘର ଭିତରେ ରହିଲେ ବି ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଦିଶୁଛି ।

ଖବର ପାଇ ଆଠଗଡ଼ ବିଡ଼ିଓ ଗାଁକୁ ଯାଇ ବାସ୍ତବ ସ୍ଥିତି ପରଖିବା ପରେ ଳୋକଙ୍କ ଏହି  ଦୟନୀୟ ସ୍ଥିତିକୁ ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଠାରେ ଆବାସ ଗୃହ ଦୁର୍ନୀତି ଅଭିଯୋଗ ଆସିବା ପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି  କହିଛନ୍ତି ଆଠଗଡ଼ ବିଡ଼ିଓ ଆକାଶ କୁମାର ପଣ୍ଡା

ମୁଣ୍ଡ ଉପରେ ଛାତଟିଏ ଆଉ ଗାଁକୁ ପକ୍କା ରାସ୍ତା। ଏନେଇ ଗ୍ରାମବାସୀମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସବୁଠି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଆଗକୁ ଦେଖିବାକୁ ବାକି ଅଛି କେବେ ବଦଳୁଛି ଏହି ଗାଁର ଭାଗ୍ୟ