ଆଠଗଡ଼ ୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ଅମଙ୍ଗେଇକୁଦକୁ ଯାଉଥିବା ବେଳେ ବୁଡିଲା ଯାତ୍ରୀବାହୀ ଡଙ୍ଗା । କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗାଁ ନିକଟ ଘାଟରେ ଯାତ୍ରୀବାହୀ ଡଙ୍ଗାଟି ବୁଡ଼ିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ ଉର୍ଦ୍ଧ୍ବ ଯାତ୍ରୀ । ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ୮ ଜଣ ଶିଶୁ ଥିବା ଜଣାପଡିଛି ।

​​​​​​​

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗାଁ ନିକଟ ଘଟରୁ ଅମଙ୍ଗେଇକୁଦକୁ ଯାଉଥିଲା ଡଙ୍ଗା । ଯାତ୍ରୀବାହୀ ଡଙ୍ଗାଟିରେ ୮ ଜଣ ଶିଶୁଙ୍କ ସମେତ ୩୦ରୁ ଅଧିକ ଯାତ୍ରୀ ଥିଲେ । କୌଣସି କାରଣ ବଶତଃ ଘାଟ ନିକଟରେ ଡଙ୍ଗାଟି ବୁଡ଼ିଯାଇଥିଲା । ଯାହା ଫଳରେ ଡଙ୍ଗାରେ ଥିବା ଯାତ୍ରୀମାନେ ପାଣିକୁ ଡେଇଁପଡିଥିଲେ । କେହି କେହି ଯାତ୍ରୀ ପାଣିରେ ପହଁରି ପହଁରି କୂଳକୁ ପଳାଇଆସିଥିଲେ । ଆଉ କିଛି ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ତେବେ ଏହି ଦୁର୍ଘଟଣା ଫଳରେ କାହାର କିଛି ବିଶେଷ କ୍ଷୟକ୍ଷତି ହୋଇନାହିଁ । ତେବେ ଏଭଳି ଅଘଟଣ କାହିଁକି ଘଟିଲା ସେ ନେଇ ଅନୁଧ୍ୟାନ କରାଯିବା ନେଇ ସୂଚନା ରହିଛି ।