News7 Logo

ପାକିସ୍ତାନରେ ବନ୍ୟା ଆଲ୍ଲାଙ୍କ ଆଶୀର୍ବାଦ, ଲୋକ ଘରେ ପାଣି ଜମା କରନ୍ତୁ; ଖ୍ୱାଜା ଆସିଫ୍ ଦେଲେ ଜ୍ଞାନ

NEWS7
kwajaha

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଅନେକ ଭାଗରେ ବନ୍ୟା ଯୋଗୁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ବନ୍ୟା କାରଣରୁ ଲୋକେ ନିଜ ଘର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ସଂକଟ ସମୟରେ ପାକିସ୍ତାନୀମାନଙ୍କୁ ସରକାରଙ୍କ ବଡ଼ ମନ୍ତ୍ରୀ ଏପରି ପରାମର୍ଶ ଦେଇଛନ୍ତି, ଯାହା ଜାଣି ଆପଣଙ୍କ ମନରେ ବି ସେଠାକାର ଲୋକଙ୍କ ପାଇଁ ଦୟା ଆସିବ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ବନ୍ୟାକୁ ନେଇ ଏକ ବୟାନ ଦେଇଛନ୍ତି, ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଖ୍ୱାଜା ଆସିଫ୍ ନିଜ ଦେଶର ଲୋକଙ୍କୁ ବନ୍ୟା ପାଣି ଜମା କରିବାକୁ କହିଛନ୍ତି ।

ପାକିସ୍ତାନର ଏକ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲରେ ଖ୍ୱାଜା ଆସିଫଙ୍କୁ ବନ୍ୟା ମୁକାବିଲା ଉପରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ ଯେ ଲୋକମାନେ ଏହାକୁ ଆଲ୍ଲାଙ୍କ ଆଶୀର୍ବାଦ ଭାବନ୍ତି ଓ ପାଣିକୁ ଘରେ ଜମା କରି ରଖନ୍ତୁ । ଖ୍ୱାଜା କହିଛନ୍ତି ଯେ ସାରା ଦୁନିଆରେ ପାଣି ଅଭାବ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ସମୟରେ ପାକିସ୍ତାନରେ ବନ୍ୟା ହେବା ଭଲ ସଂଯୋଗ ଅଟେ । ଏହା ବିପର୍ଯ୍ୟୟ ନୁହେଁ, ବରଂ ଆଲ୍ଲାଙ୍କ ବରଦାନ ବୋଲି ବୁଝିବା ଦରକାର ।

ବନ୍ୟା ଓ ବର୍ଷାରେ ପୀଡ଼ିତ ରାସ୍ତାକୁ ଓହ୍ଲାଇ ସରକାର ଓ ପ୍ରଶାସନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ରାସ୍ତା ଜାମ କରି ସରକାରୀଙ୍କ ବିରୋଧରେ ନାରାବାଜି କରୁଛନ୍ତି । ଏହା ଉପରେ ଖ୍ୱାଜା କହିଥିଲେ ଯେ ଲୋକେ ପ୍ରଥମ ପାଣି ଜମା କରିବା ଉପରେ ଧ୍ୟାନ ଦେବା ଦରକାର । ପାଣିକୁ ନିଜ ଘରେ ନେଇ ରଖନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ । ସେ ଆହୁରି କହିଛନ୍ତି ଯେ ପାଣି ଜମା କରିବା ପାଇଁ ବଡ଼ ବନ୍ଧର ଆବଶ୍ୟକତା ରହିଛି, ଯାହା ଏବେ ସମ୍ଭବ ନୁହେଁ । ଏଥିରେ ଲୋକେ ନିଜେ ନିଜେ ପାଣି ଜମା କରନ୍ତୁ । ଖ୍ୱାଜା ଏହା ବି କହିଛନ୍ତି ଯେ ବନ୍ୟା ମୁକାବିଲାର କୌଣସି ସିଷ୍ଟମ ସରକାରଙ୍କ ପାଖରେ ନାହିଁ । ଲୋକେ ଅଯଥାରେ ସରକାରଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି ।

ରିପୋର୍ଟ ଅନୁସାରେ ଜୁନ୍ ୨୬ରୁ ଅଗଷ୍ଟ ୩୧ ମଧ୍ୟରେ ପାକିସ୍ତାନରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୮୫୪ ହୋଇଛି । ପାକିସ୍ତାନର ପଞ୍ଜାବ ପ୍ରାନ୍ତର ପ୍ରାୟ ୨୦ ଲକ୍ଷ ଲୋକ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ପଞ୍ଜାବର ସୂଚନା ମନ୍ତ୍ରୀ ଜମନା ବୁଖାରିଙ୍କ ଅନୁସାରେ ପ୍ରଥମ ଥର ପାଇଁ ପଞ୍ଜାବ ଏପରି ବନ୍ୟା ଦେଖିଛି । ଏଥର ଝେଲମ, ଚେନାବ ଓ ରାବୀ ନଦୀରେ ଏକାସଙ୍ଗରେ ବନ୍ୟା ଆସିଛି । ପାକିସ୍ତାନ ଚାରି ଦଶନ୍ଧିର ସବୁଠୁ ବଡ଼ ବନ୍ୟାର ସାମନା କରୁଛି ।