LIVE TV

ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ୍ ଚିନ୍ତାଜନକ, ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ

NEWS7
Naveen Patnaik

ଭୁବନେଶ୍ବର ୪।୧୦: ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି, ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରୁଛି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ । ଭସାଣି ସମୟରେ ଢ଼େଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି । ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ଆଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅସହାୟ ମନେ ହେଉଛି । ବିଜେପି ସରକାରରେ ପୋଲିସ ଉପରେ ରହୁଥିବା ଚାପ ରାଜ୍ୟରେ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି । ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସଦଭାବନା ବଜାୟ ରଖିବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ଏବଂ କର୍ତ୍ତବ୍ୟ ହେଉ । ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ ।

ସୂଚନାଯୋଗ୍ୟ ଯେ, କଟକ ଦରଘା ବଜାରରେ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ଗୁରୁବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ପଡିଥିଲା । ବେଶ କିଛି ସୟମ ଧରି ଚାଲିଥିଲା ଧାଁ ଦଉଡ, ସଂଘର୍ଷ, ଉତ୍ତେଜନା ସହ ଧାରଣା । ଫଳରେ ଆଗକୁ ଯାଇ ନପାରି ଅଟକି ରହିଥିଲା ଦେବୀଙ୍କ ମେଢ଼ । ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରିମଙ୍ଗଳା ମେଢ଼ ଦରଘାବଜାର ହାତୀପୋଖରୀ ନିକଟରେ ପହଞ୍ଚିବା ମାତ୍ରେ ଛାତ ଉପରୁ ଅଚାନକ ଢ଼େଲା ସହ ବୋତଲ ମାଡ଼ ହୋଇଥିଲା । ଡିପିସିଙ୍କ ମୁହାଁରେ ଆଘାତ ଲାଗିଛି । ଡିସିପିଙ୍କ ସମେତ ୬ଜଣ ଆହତ ହୋଇଥିଲେ । ପ୍ରତିବାଦରେ ଧାରଣାରେ ବସିଥିଲେ ପୂଜା କମିଟି କର୍ମକର୍ତ୍ତା । ବାଇକ୍‌ ଭଙ୍ଗାରୁଜା ସହ ବିଭିନ୍ନ ଦୋକାନ ଆଗରେ ‌ଷ୍ଟଲ୍‌ ଭଙ୍ଗାରୁଜା ହୋଇଥିଲା । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରି ଥିଲା । ପୁଣି ଚାଲିଥିଲା ଭାସାଣି ।

ଏହି ଘଟଣାକୁ ନେଇ ଅତିରିକ୍ତ ସିପି ନରସିଂହ ଭୋଳ କହିଥିଲେ, ପୋଲିସ, ଶାନ୍ତି କମିଟି ଓ ପୂଜା କମିଟି ଗୁଡିକର ସହଯୋଗ ପାଇଁ ଏକ ବଡ଼ ଅଘଟଣ ଏଡାଇ ଦିଆଯାଇ ପାରିଛି । ଏଭଳି ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କୁ ଚିହ୍ନଟ କରାଯାଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ଥିତି ଏବେ ସ୍ବାଭାବିକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।