LIVE TV

ନାଗପୁର- ମୁମ୍ବାଇ ସମୃଦ୍ଧି ମହାମାର୍ଗର ନୂଆ ଉପଲବ୍ଧି, ଏକ୍ସପ୍ରେସଓ୍ବେରେ ଆରମ୍ଭ ହେଲା ସୌର ପ୍ରକଳ୍ପ

NEWS7
New achievement of Nagpur-Mumbai Samruddhi Mahamarg

ମୁମ୍ବାଇ: ନାଗପୁର- ମୁମ୍ବାଇ ସମୃଦ୍ଧି ମହାମାର୍ଗ ହାସଲ କଲା ନୂଆ ଉପଲବ୍ଧି। ଭାରତରେ ସୌର ଉର୍ଜା ଉତ୍ପନ୍ନ କରିବାରେ ପ୍ରଥମ ଏକ୍ସପ୍ରେସଓ୍ବେ ହୋଇଛି ଏହି ମହାମାର୍ଗ। ଏହାସହ ଏହି ପ୍ରକଳ୍ବ ନବୀକରଣ ଉର୍ଜାକୁ ମୌଳିକ ଭିତ୍ତିଭୂମି ସହ ଯୋଡ଼ିବା ଦିଗରେ ଏକ ଐତିହାସିକ ପଦକ୍ଷେପ ହୋଇଛି ।

୭୦୧ କିଲୋମିଟର ଲମ୍ବ ଏହି ହାଇସ୍ପିଡ୍ କରିଡର ଯୋଗୁ ନାଗପୁର ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ୧୮ ଘଣ୍ଟାରୁ କମି ୮ ଘଣ୍ଟା ହୋଇଛି। ଖାଲି ସେତିକି ନୁହେଁ ଉଦଘାଟନ ପରଠୁ ୨.୨୫ କୋଟିରୁ ଅଧିକ ଗାଡ଼ି ଏହି ରୁଟ୍‌ରେ ଯାତାୟତ କରିସାରିଲେଣି। ଆଉ ଏବେ ଏହି ରୁଟ୍‌ରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମ (MSRDC) ସ୍ବଚ୍ଛ ଉର୍ଜାର ବ୍ୟବହାର କରିବାର ଆରମ୍ଭ କରିଦେଇଛି।

ପ୍ରଥମ ପର୍ଯ୍ୟାୟରେ ଓ୍ବାସିମ୍ ଜିଲ୍ଲାର କରଞ୍ଜା ଲାଡ୍‌ ଏବଂ ବୁଲଧାନା ଜିଲ୍ଲାର ମେହକର ଇଣ୍ଟରଚେଞ୍ଜରେ ୯ ମେଗାଓ୍ବାଟର ମିଳିତ ପ୍ରୋଜେକ୍ଟ ସ୍ଥାପନ କ୍ଷମତା ଥିବା ସୌର ପ୍ରକଳ୍ପ ବିକଶିତ କରାଯାଇଛି। କରଞ୍ଜା ଲାଡ୍‌ରେ ୩ ମେଗାଓ୍ବାଟ ଏବଂ ମେହକରରେ ୨ ମେଗାଓ୍ବାଟ ବିଜୁଳି ଉତ୍ପାଦନ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି। ଏହି ଦୀର୍ଘକାଳୀନ ଯୋଜନାରେ କରିଡର ସହ ଅନେକ ଇଣ୍ଟରଚେଞ୍ଜରେ ୨୦୪ ମେଗାଓ୍ବାଟ ସୌର କ୍ଷମତାର ପରିକଳ୍ପନା କରାଯାଇଛି।

ତେବେ ଏହି ପଦକ୍ଷେପ କେବଳ ସ୍ଥାୟିତ୍ବକୁ ପ୍ରୋତ୍ସାହିତ କରୁନାହିଁ, ବରଂ ଟୋଲ ସଂଗ୍ରହ ବ୍ୟତୀତ ଏମଏସଆରଡିସିକୁ ଅତିରିକ୍ତ ରାଜସ୍ବ ମଧ୍ୟ ପ୍ରଦାନ କରୁଛି। ଏମଏସଆରଡିସି ଏବଂ ଏମଏସଡିଡିସିଏଲର ଏକ ବିଶେଷ ୟୁନିଟ୍, ମହାସମୃଦ୍ଧି ରିନ୍ୟୁଏବଲ ଏନର୍ଜୀ ଲିମିଟେଡ ସହ ୨୦୨୨ର ବୁଝାମଣା ଅନୁଯାୟୀ ଉତ୍ପାଦିତ ବିଜୁଳି ରାଜ୍ୟର ବିଜୁଳି ବିତରଣ କମ୍ପାନିକୁ ୩.୦୫ ଟଙ୍କା ପ୍ରତି ୟୁନିଟ୍ ମୂଲ୍ୟରେ ବିକ୍ରି କରାଯିବ। ଏହି ଯୋଗାଣ ମୁଖ୍ୟମନ୍ତ୍ରୀ ସୌର କୃଷି ଫିଡର ଯୋଜନା ଫେଜ-୧ ସହ ଜଡ଼ିତ।

ଏକ ମେଗା ପରିବହନ ପ୍ରକଳ୍ପରେ ନବୀକରଣ ଉର୍ଜାକୁ ଏକୀକୃତ କରିବା, ସମୃଦ୍ଧି ମହାମାର୍ଗରେ ଗତି, ସ୍ଥିରତା ଏବଂ ନଭାଚାରକୁ ମିଶାଇ ପୂରା ଭାରତରେ ଏକ୍ସପ୍ରେସଓ୍ବେ ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।