LIVE TV

ଟ୍ରମ୍ପଙ୍କ ୨୦-ସୂତ୍ରୀ ଯୋଜନାରେ ନେତାନ୍ୟାହୁ ରାଜି, ଗାଜା ଦଖଲ କରିବ ନାହିଁ ଇସ୍ରାଏଲ

NEWS7
gaza

ୱାଶିଂଟନ ଡିସି ୩୦/୦୯: ଦୁଇବର୍ଷ ହେଲା ଗାଜାରେ ଯେଉଁ  ଯୁଦ୍ଧ ଲାଗିରହିଛି, ତାହା ବନ୍ଦ ହେବା ନେଇ ଆଶା ବଢ଼ିଛି । ଏ ଦିଗରେ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ୍‌ ଯେଉଁ ୨୦-ସୂତ୍ରୀ  ଯୋଜନା ବନାଇଛନ୍ତି, ଇସ୍ରାଏଲ୍‌  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ତାହାକୁ ସୋମବାର  ଗ୍ରହଣ କରିନେଇଛନ୍ତି । ଆଜି ଟ୍ରମ୍ପ୍‌  ଓ ନେତନ୍ୟାହୁ ହ୍ୱାଇଟ୍‌ହାଉସ୍‌ରେ ପରସ୍ପରକୁ ଭେଟି ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବୈଠକ ପରେ ଟ୍ରମ୍ପ୍‌ ଏହାକୁ ଐତିହାସିକ  ଦିନ ବିବେଚନା କରିଛନ୍ତି ।

ସାମ୍ବାଦିକଙ୍କୁ ସୂଚନା ଦେଇ  ଟ୍ରମ୍ପ୍‌ କହିଛନ୍ତି, ଆମ ପ୍ରସ୍ତାବରେ  ନେତନ୍ୟାହୁ ସହମତି ପ୍ରକାଶ  କରିଛନ୍ତି । ଯୁଦ୍ଧ ବନ୍ଦ ହେବା  ସମ୍ଭାବନା ରହିଛି । କିନ୍ତୁ ହମାସ୍‌ ଯଦି ଏହାକୁ ଖାରଜ କରେ,  ତେବେ ଇସ୍ରାଏଲ୍‌ ନିଜ କାମ ତମାମ  କରିଦେବ । ଯୁଦ୍ଧ ସହଜରେ ବନ୍ଦ  ହେବା ନେଇ ଆମେ ଚାହୁଁଛୁ ।  ହମାସ୍‌ ରାଜି ନ ହେଲେ ମଧ୍ୟ ଯୁଦ୍ଧ  ବନ୍ଦ ହେବ । ଏଥିପାଇଁ କଠୋର  ରାସ୍ତା ବାଛିବାକୁ ପଡ଼ିବ । ଆମେରିକାର ୨୦-ସୂତ୍ରୀ  ଯୋଜନା ଅନୁସାରେ,  ଏକ ‘ବୋର୍ଡ ଅଫ୍‌ ପିସ୍‌’ ଗଠନ ହେବ ।

ଟ୍ରମ୍ପ୍‌ ଏହାର  ନେତୃତ୍ୱ ନେବେ ଏବଂ ଏଥିରେ ଉଚ୍ଚ ଯୋଗ୍ୟତାସମ୍ପନ୍ନ  ବିଶେଷଜ୍ଞମାନେ ସଦସ୍ୟ ରହିବେ । ଏମାନଙ୍କ  ମଧ୍ୟରେ ପାଲେଷ୍ଟିନୀୟ ପ୍ରତିନିଧି ଓ ପୂର୍ବତନ  ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ରହିବେ । କିନ୍ତୁ  ବୋର୍ଡରେ ହମାସ୍‌ କିମ୍ବା ଅନ୍ୟ ଆତଙ୍କବାଦୀଙ୍କର  କୌଣସି ଭୂମିକା ରହିବ ନାହିଁ । ପରୋକ୍ଷ କିମ୍ବା  ପ୍ରତ୍ୟକ୍ଷରେ ଗାଜା ଗଭର୍ଣ୍ଣାନ୍ସରେ ସେମାନେ କୌଣସି  ଭୂମିକା ନିର୍ବାହ କରିବେ ନାହିଁ । ଗାଜାରେ ଅସ୍ଥାୟୀ  ସରକାର ଚାଲିବ ଏବଂ ଇସ୍ରାଏଲ୍‌ ଗାଜାକୁ ଦଖଲ  କରିବ ନାହିଁ ।

କାହାକୁ ଗାଜା ଛାଡ଼ିବା ପାଇଁ ବାଧ୍ୟ କରାଯିବ  ନାହିଁ । ଗାଜା ଷ୍ଟ୍ରିପ୍‌କୁ ପୁନର୍ବାର ନିର୍ମାଣ କରାଯିବ ।  ଉଭୟ ପକ୍ଷ ଏହି ପ୍ରସ୍ତାବକୁ ସ୍ୱୀକାର କଲେ ଯୁଦ୍ଧ ତତ୍‌କ୍ଷଣାତ ବନ୍ଦ ହୋଇଯିବ । ୭୨ ଘଣ୍ଟାରେ ପଣବନ୍ଦୀ  ମୁକ୍ତ ହେବେ । ଇସ୍ରାଏଲ୍‌ ୨୫୦ ଆଜୀବନ କଏଦୀଙ୍କୁ  ମୁକ୍ତ କରିବ । ଗାଜାରେ ବନ୍ଦୀ ଥିବା ୧,୭୦୦  ପାଲେଷ୍ଟିନୀୟ ବି ମୁକୁଳିବେ । ଏହି ପ୍ରକ୍ରିୟାରେ  ସମସ୍ତ ସାମରିକ ଅଭିଯାନ ବନ୍ଦ ରହିବ । ଏହାପରେ  ଇସ୍ରାଏଲୀ ସେନାର ସମ୍ପୂର୍ଣ୍ଣ ଅପସାରଣ ହେବ ।

ଯୋଜନା ଅନୁସାରେ, ଶାନ୍ତି ପ୍ରସ୍ତାବକୁ ସ୍ୱୀକାର  କରିବାକୁ ଥିବା ହମାସ୍‌ ସଦସ୍ୟଙ୍କୁ ସର୍ବକ୍ଷମା  ମିଳିବ । ଯେଉଁ ଦେଶ ସେମାନଙ୍କୁ ଗ୍ରହଣ କରିବାକୁ  ଚାହିଁବେ, ସେଠାକୁ ସେମାନଙ୍କୁ ସହଜ ଉପାୟରେ  ପଠାଇବାର ବ୍ୟବସ୍ଥା କରାଯିବ । ଏହାପରେ  ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବାହିନୀ ଗାଜାକୁ ସୁରକ୍ଷା  ଯୋଗାଇବ ଏବଂ ପାଲେଷ୍ଟିନୀୟ ପୁଲିସକୁ ତାଲିମ  ପ୍ରଦାନ କରିବ । ତତ୍‌ସହିତ ଗାଜାକୁ ସହାୟତାର  ସୁଅ ଛୁଟିବ । ପାଲେଷ୍ଟିନୀୟ ଓ ଇସ୍ରାଏଲୀଙ୍କ ମଧ୍ୟରେ  ଆପୋସ ଆଲୋଚନା ପାଇଁ ଆମେରିକା ସବୁ ପ୍ରକାର  ବ୍ୟବସ୍ଥା କରିବ ।

ସାମ୍ବାଦିକ ସମ୍ମିଳନୀରେ ୨୦-ସୂତ୍ରୀ ଯୋଜନା ବାବଦରେ କୁହାଯିବା ପରେ କିଛି ପ୍ରଶ୍ନ  ଉଠିଥିଲା । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ୍‌ କୌଣସି ପ୍ରଶ୍ନର  ଉତ୍ତର ଦେଇ ନ ଥିଲେ । ଯୋଜନାକୁ ଅନୁମୋଦନ ଓ  ଏଥିରେ ଦସ୍ତଖତ କରାଯିବାକୁ ଥିବାରୁ ଆଉ ସମୟ  ନାହିଁ କହି ପଳାଇଥିଲେ । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ  ନେତନ୍ୟାହୁ କହିଛନ୍ତି, ହମାସ୍‌କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରିବା ଲାଗି ଅନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟ କରିବ । ଯଦି ସଂସ୍ଥା ଏଥିରେ ସଫଳ ହୁଏ, ତେବେ ଯୁଦ୍ଧ  ସବୁଦିନ ପାଇଁ ବନ୍ଦ ହେବ ।

ଏହାପରେ ଇସ୍ରାଏଲ୍‌ ମଧ୍ୟ ଏହାର ସେନାକୁ ଅପସାରଣ କରିନେବ । କିନ୍ତୁ  ଭବିଷ୍ୟତର ସମ୍ଭାବ୍ୟ ଘଟଣାକୁ ଦୃଷ୍ଟିରେ ରଖି ସେନା  ସତର୍କତା ଅବଲମ୍ବନ କରିବ । ତେବେ ସେ ଟ୍ରମ୍ପ୍‌ଙ୍କର  ଯୋଜନାକୁ ସମର୍ଥନ କରିଥିବା ନେତନ୍ୟାହୁ କହିଛନ୍ତି । ସେପଟେ ଟ୍ରମ୍ପ୍‌ଙ୍କ ସହ ହ୍ୱାଇଟ୍‌ହାଉସ୍‌ରେ  ଆଲୋଚନା ବେଳେ ନେତନ୍ୟାହୁ ଆଜି କତାର୍‌  ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍‌ ଅବ୍‌ଦୁଲରହମାନ  ଅଲ୍‌-ଥାନୀଙ୍କୁ ଫୋନ୍‌ କରି ଦୋହା ଆକ୍ରମଣ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି ।

ଟ୍ରମ୍ପ୍‌ଙ୍କ କହିବା ପରେ ହିଁ  ନେତନ୍ୟାହୁ କ୍ଷମା ମାଗିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦ ଦିନ ପୂର୍ବେ ଅର୍ଥାତ୍‌ ଚଳିତମାସ ୯ ତାରିଖରେ  ଇସ୍ରାଏଲୀ ସେନା ଦୋହାରେ ହମାସ୍‌ ମୁଖ୍ୟ ଖଲିଲ  ଅଲ୍‌-ହୟାଙ୍କୁ ଟାର୍ଗେଟ୍‌ କରି ହମ୍‌ଲା କରିଥିଲା । ଏଥିରେ ଅଲ୍‌-ହୟା ବଞ୍ଚିଯାଇଥିଲେ । କିନ୍ତୁ ଅନ୍ୟ  ୬ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଟ୍ରମ୍ପ୍‌  ଅସନ୍ତୋଷ ବ୍ୟକ୍ତ କରିଥିଲେ