News7 Logo

୯ ଘଣ୍ଟା ନୁହେଁ, ପ୍ରାଇଭେଟ୍ କର୍ମଚାରୀଙ୍କୁ ୧୦ ଘଣ୍ଟା କାମ କରିବାକୁ ପଡ଼ିବ; ଏହି ରାଜ୍ୟ ଦେଲା ମଞ୍ଜୁରି

NEWS7
employee

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ବୁଧବାର ପ୍ରାଇଭେଟ୍ ସେକ୍ଟର କର୍ମଚାରୀଙ୍କ ପାଇଁ ଦିନକୁ ୧୦ ଘଣ୍ଟା କାମ କରିବା ଆଇନରେ ସଂଶୋଧନ କରିଛନ୍ତି । ସରକାରୀ ବୟାନ ଅନୁସାରେ, ନିବେଶ ଆକର୍ଷଣ କରିବା, ରୋଜଗାର ସୃଷ୍ଟି କରିବା ଓ ଶ୍ରମିକଙ୍କ ଅଧିକାର ରକ୍ଷା କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏବେ ମହାରାଷ୍ଟ୍ରରେ ଘରୋଇ କମ୍ପାନିର କର୍ମଚାରୀଙ୍କୁ ୧୦ ଘଣ୍ଟା ଯାଏ କାମ କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ରୀୟ ଶ୍ରମବଳ ଦ୍ୱାରା କରାଯାଇଥିବା ପରିବର୍ତ୍ତନକୁ ମଞ୍ଜୁରି ଦିଆଯାଇଛି । ଏହି ନିଷ୍ପତ୍ତି ସହ ମହାରାଷ୍ଟ୍ର ଏବେ କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ତ୍ରିପୁରା ପରି ରାଜ୍ୟ ସହ ସାମିଲ ହୋଇଛି । ବୟାନରେ କୁହାଯାଇଛି ଯେ ଏହି ସଂଶୋଧନ, ଫ୍ୟାକ୍ଟ୍ରି ଅଧିନିୟମ ୧୯୪୮ ଓ ମହାରାଷ୍ଟ୍ର ଦୋକାନ ଓ ପ୍ରତିଷ୍ଠାନ ଅଧିନିୟମ ୨୦୧୭ରେ କରାଯାଇଛି ।

ଏହି ସଂଶୋଧନ ପରେ ଉଦ୍ୟୋଗଗୁଡ଼ିକୁ ଶ୍ରମିକ ଅଭାବ ସମୟରେ ବିନା ବ୍ୟବଧାନରେ କାମ କରିବାର ଅନୁମତି ରହିବ । ତେବେ ଶ୍ରମିକଙ୍କ ଓଭରଟାଇମ୍ ପାଇଁ ଉପଯୁକ୍ତ ରାଶି ବ୍ୟବସ୍ଥାକୁ ମଧ୍ୟ ସୁନିଶ୍ଚିତ କରାଯାଇଛି । ଏହା ଅଧିନରେ ଉଦ୍ୟୋଗଗୁଡ଼ିକରେ ଦୈନିକ କାର୍ଯ୍ୟ ଘଣ୍ଟା ସୀମା ୯ ଘଣ୍ଟାରୁ ବଢାଇ ୧୨ ଘଣ୍ଟା କରାଯିବ । ଅନ୍ୟପଟେ ବିଶ୍ରାମ ସମୟ ପାଞ୍ଚ ଘଣ୍ଟା ପରିବର୍ତ୍ତେ ଛଅ ଘଣ୍ଟା ପରେ ମିଳିବ । ଆଇନଗତ ଓଭର ଟାଇମ୍ ସୀମା ୧୧୫ ଘଣ୍ଟାରୁ ବଢାଇ ପ୍ରତି ତ୍ରୈମାସ ୧୪୪ ଘଣ୍ଟା କରାଯିବ । ତେବେ ଏଥିପାଇଁ ଶ୍ରମିକଙ୍କ ଲିଖିତ ସହମତି ବାଧ୍ଯତାମୂଳକ କରାଯାଇଛି ।

ସେହିପରି ସଂଶୋଧିକ ଦୋକାନ ଓ ପ୍ରତିଷ୍ଠାନ ଅଧିନିୟମ ଅନୁସାରେ ଦୈନିକ କାର୍ଯ୍ୟ ଘଣ୍ଟାକୁ ୯ରୁ ବଢାଇ ୧୦ କରାଯାଇଛି । ଓଭରଟାଇମ୍ ସୀମାକୁ ୧୨୫ରୁ ବଢାଇ ୧୪୪ ଓ ଏମର୍ଜେନ୍ସି ଡ୍ୟୁଟି ଘଣ୍ଟାକୁ ୧୩ ଘଣ୍ଟା କରାଯାଇଛି । ଏହି ନିୟମ ୨୦ କିମ୍ୱା ଏହାଠାରୁ ଅଧିକ ଶ୍ରମିକ ଥିବା ପ୍ରତିଷ୍ଠାନ ଉପରେ ଲାଗୁ କରାଯିବ । ସରାକରଙ୍କ ଅନୁସାରେ ଏହାଦ୍ୱାରା ନୂଆ ନିବେଶ ଆକର୍ଷିତ ହେବ, ରୋଜଗାରକୁ ପ୍ରୋତ୍ସାହନ ମିଳିବ ଓ ଶ୍ରମିକଙ୍କ ବେତନ ସଂରକ୍ଷଣ ଏବଂ ଅଧିକାରରେ ସୁଧାର ସୁନିଶ୍ଚିତ କରିବ ।