LIVE TV

ମହିଳାଙ୍କ ପାଇଁ ଆରମ୍ଭ କଲା ଅନଲାଇନ୍ ‘ଜିହାଦୀ କୋର୍ସ’ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ

NEWS7
MASOOD

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମହିଳାଙ୍କ ଭର୍ତ୍ତି ପାଇଁ ଅନଲାଇନ୍ ଜିହାଦୀ କୋର୍ସ ତୁଫାତ ଅଲ-ମୁମିନାତ ଆରମ୍ଭ କରିଛି । ଏହାର ନେତୃତ୍ୱ ଆତଙ୍କବାଦୀ ମସୁଦ ଅଜହରର ଭଉଣୀମାନେ ଓ ଓମାର ଫାରୁକର ପତ୍ନୀ କରିବେ । ଜୈଶ ଏହି କୋର୍ସ ଲାଗି ପ୍ରତ୍ୟେକଙ୍କ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ କରିଛି । ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଏକ ରିପୋର୍ଟ ସାମନାକୁ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଜୈଶ-ଏ-ମହମ୍ମଦ ଏକ ମହିଳା ବ୍ରିଗେଡ ପ୍ରସ୍ତୁତ କରୁଛି ଓ ଏହାର ନାଁ ଜମାତ ଉଲ-ମୁମିନାତ ରଖାଯାଇଛି ।

ସାମନାକୁ ଆସିଥିବା ଦସ୍ତାବିଜ ଅନୁସାରେ ଆତଙ୍କୀ ସଂଗଠନ ଫଣ୍ଡ୍ ଏକାଠି କରିବା ଓ ନିଜ ମହିଳା ବ୍ରିଗେଡରେ ଅଧିକରୁ ଅଧିକ ମହିଳାଙ୍କୁ ଭର୍ତ୍ତି କରିବା ପାଇଁ ଏକ ଅନଲାଇନ୍ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ କରୁଛି । ଏହି କୋର୍ସର ନାଁ ତୁଫାତ ଅଲ-ମୁମିନାତ ରଖାଯାଇଛି । ଏହି କୋର୍ସ ଜରିଆରେ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ସମ୍ପର୍କୀୟ ମହିଳାମାନେ ସଂଗଠନରେ ସାମିଲ ହେବାକୁ ଥିବା ମହିଳାଙ୍କୁ ଜିହାଦ, ଇସଲାମ ସହ ଅବଗତ କରାଇବେ ।

ଉଲ୍ଲେଖଯୋଗ୍ୟ ଯେ ମସୁଦ ଅଜହର ଅକ୍ଟୋବର ୮ରେ ଜୈଶ-ଏ-ମହମ୍ମଦର ମହିଳା ବ୍ରିଗେଡ୍ ଗଠନ ନେଇ ଘୋଷଣା କରିଥିଲା । ଅକ୍ଟୋବର ୧୯ରେ ପାକିସ୍ତାନ କବାଜରେ ଥିବା କାଶ୍ମୀରର ରାୱଲକୋଟରେ ମହିଳାଙ୍କୁ ସାମିଲ କରିବା ପାଇଁ ଦୁଖତରାନ-ଏ-ଇସ୍ଲାମ ନାଁରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ସୂତ୍ର ଅନୁସାରେ ପାକିସ୍ତାନରେ ଚରମପନ୍ଥୀ ଗୋଷ୍ଠୀ ମହିଳାଙ୍କ ଏକାକୀ ବାହାରକୁ ଯିବାକୁ ଭୁଲ ମାନେ, ଏହି କାରଣରୁ ଜୈଶ ଅନଲାଇନ୍ ପ୍ଲାଟଫର୍ମକୁ ବ୍ୟବହାର କରୁଛୁ । ପୁରୁଷ ଆତଙ୍କବାଦୀ ବ୍ରିଗେଡ ସହ ମହିଳା ଆତଙ୍କବାଦୀ ବ୍ରିଗେଡ ଗଠନ କରି ସେମାନଙ୍କୁ ଆତଙ୍କବାଦୀ ଗତିବିଧିରେ ବ୍ୟବହାର କରିପାରିବ ।