​​​​​​​ନୂଆଦିଲ୍ଲୀ: ରବିବାର ମହିଳା ଏସିଆ କପ୍ ହକି ୨୦୨୫ର ଫାଇନାଲରେ ଚୀନ ବିପକ୍ଷରେ ୧-୪ରେ ପରାଜିତ ହୋଇଛି ଭାରତ। ଆୟୋଜକ ଚୀନ ହାଙ୍ଗଝୌଉରେ ଟାଇଟଲ ମୁକାବିଲା ଜିତିବା ସହ ଭାରତୀୟ ମହିଳା ହକି ଟିମ୍‌କୁ ଡବଲ ଝଟକା ଦେଇଛି। ବଡ଼ କଥା ହେଲା ଭାରତ କେବଳ ଟାଇଟାଲ ହରାଇ ନାହିଁ ବରଂ ବିଶ୍ବ କପ୍ ପାଇଁ ସିଧାସଳଖ କ୍ବାଲିଫାଏ କରିବାର ସୁଯୋଗ ମଧ୍ୟ ହରାଇଛି। ଓ୍ବର୍ଲ୍ଡ କପ୍‌ରେ ଡାଇରେକ୍ଟ ଏଣ୍ଟ୍ରି ପାଇଁ ଭାରତକୁ ଏସିଆ କପ୍‌ର ଟାଇଟଲ ଜିତିବା ଜରୁରୀ ଥିଲା। କିନ୍ତୁ ଏହି ସୁବର୍ଣ୍ଣ ସୁଯୋଗ ହାତରୁ ଚାଲିଯାଇଛି। ଭାରତକୁ ଏବେ ଓ୍ବାର୍ଲ୍ଡ କପ୍ ସ୍ଥାନ ପାଇବାକୁ କ୍ବାଲିଫାୟାର ଖେଳିବାକୁ ହେବ। ହେଲେ ଚୀନ୍‌ ଏହି ବିଜୟ ସହ ସିଟ୍‌ ପକ୍କା କରିଛି। ମହିଳା ବିଶ୍ବ କପ୍‌ର ଆୟୋଜନ ଆସନ୍ତା ବର୍ଷ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ୍‌ରେ ହେବ।

ଏମିତି ଥିଲା ମ୍ୟାଚ୍

ଫାଇନାଲରେ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ ମିନିଟ୍‌ରେ ହିଁ ପେନାଲ୍ଟି କର୍ଣ୍ଣରରେ ନବନୀତ କୌର ଗୋଲ୍‌ ଦେଇଥିଲେ। ଫଳରେ ଭାରତ ୧-୦ରେ ଲିଡ୍‌ରେ ରହିଥିଲା। ଚୀନ୍‌କୁ ଏହା ପରେ ଲଗାତାର ତିନି ପେନାଲ୍ଟି କର୍ଣ୍ଣର ମିଳିଥିଲା କିନ୍ତୁ ସେ ଗୋଲ କରିପାରିନଥିଲା।

ହେଲେ ଦ୍ବିତୀୟ କ୍ବାର୍ଟରର ୨୧ ମିନିଟ୍‌ରେ ଜିଶିୟା ୟୁ ଚୀନ୍‌ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ଆଉ ସ୍କୋର ସମାନ​‌ ସମାନ ହୋଇଥିଲା। ଏହା ସହ ଚୀନର ଆତ୍ମବିଶ୍ବାସ ବଢ଼ିଥିଲା। ଆଉ ଭାରତର ଡିଫେନ୍ସ ଉପରେ ଚାପ ଜାରି ରଖିଥିଲା ଚୀନ୍‌। ହାଫ୍‌ଟାଇମ୍ ବେଳକୁ ସ୍କୋର ୧-୧ରେ ହିଁ ରହିଥିଲା। ଭାରତ ଦ୍ବିତୀୟ କ୍ବାର୍ଟରରେ ଆକ୍ରମକ ଖେଳ ଦେଖାଇଥିଲେ ବି କୌଣସି ଫାଇଦା ମିଳିନଥିଲା। ଚୀନ୍‌ର ଡିଫେଣ୍ଡର ଭାରତୀୟ ଖେଳାଳୀଙ୍କ ଉପରେ ଭାରି ପଡ଼ିଥିଲେ।

ଏହାରି ମଧ୍ୟରେ ତୃତୀୟ କ୍ବାର୍ଟରରେ ୪୧ ମିନିଟ୍‌ ବେଳକୁ ହୋଙ୍ଗ ଲି ଗୋଲ୍‌ କରିବା ସହ ଚୀନ୍‌ ଲିଡ୍‌ ନେଇଥିଲା।  ଗୋଟିଏ ଗୋଲ୍‌ରେ ପଛକୁ ପଡ଼ିବା ପରେ ଭାରତ ଚତୁର୍ଥ ଏବଂ ଅନ୍ତିମ କ୍ବାର୍ଟରରେ ଖୁବ୍ ପ୍ରୟାସ କରିଥିଲା ମାତ୍ର ଚୀନର ଡିଫେନ୍ସକୁ ଭେଦ କରିପାରିନଥିଲା। ଅନ୍ତିମ କ୍ବାର୍ଟରରେ ମେଇରୋଙ୍ଗ ଜୁ ୫୧ ମିନିଟ୍‌ରେ ତୃତୀୟ ଏବଂ ଜିୟାକି ଝୌଙ୍ଗ ୫୩ ମିନିଟ୍‌ରେ ଚତୁର୍ଥ ଗୋଲ ଦେଇ ଚୀନ୍‌କୁ ତୃତୀୟ ଏସିଆ କପ୍ ଟାଇଟଲ ଏବଂ ବିଶ୍ବ କପ୍‌ରେ ସ୍ଥାନ ପାଇଛି।

ସୂଚନାଥାଉକି, ଚୀନ୍‌ ଏହା ପୂର୍ବରୁ ୧୯୮୯ରେ ହଂକଂ ଏବଂ ୨୦୦୯ରେ ବ୍ୟାଂକକ୍‌ରେ ଏସିଆ କପ୍ ଜିତିଥିଲା। ଭାରତ ନିଜର ଅନୁଭବୀ ଗୋଲକିପର ସବିତା ଏବଂ ପେନାଲ୍ଟି କର୍ଣ୍ଣର ଏକ୍ସପର୍ଟ ଦୀପିକାଙ୍କ ଅନୁପସ୍ଥିତି ଖୁବ୍ ଅନୁଭବ ହୋଇଥିଲା। ଉଭୟ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ। ସେହିଭଳି ମୁମତାଜ୍ ଖାନ, ଲାଲରେମ୍ସିୟାମୀ ଏବଂ ସୁନେଲିଟା ଟୋପ୍ପୋ ଫାଇନାଲରେ ଆଶାତୀତ ପ୍ରଦର୍ଶନ କରିପାରିନଥିଲେ।