ଦୁବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌ ୨୦୨୫ର ୧୮ତମ ମୁକାବିଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଉଛି। ଟସ୍ ହାରି ପ୍ରଥମେ  ବ୍ୟାଟିଂ କରି ଭାରତ ୨୦୨ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୨୦୩ ରନ୍ କରିବାକୁ ପଡ଼ିବ। ଅନ୍ୟ ମ୍ଯାଚ୍‌ଗୁଡ଼ିକ ପରି ଆଜି ମଧ୍ୟ ଅଭିଷେକ ଶର୍ମା ବୋଲରମାନଙ୍କ ପ୍ରବଳ ବର୍ଷିଛନ୍ତି। ସେ ୩୧ ବଲ୍‌ରେ ୬୧ ରନ୍ କରିଛନ୍ତି।

ଟସ୍ ହାରିବା ପରେ ଭାରତ ପୂର୍ବ ଭଳି ତାର ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ଓପନର ଶୁଭମନ ଗିଲ ଓ ଅଭିଷେକ ଶର୍ମା ଶ୍ରୀଲଙ୍କା ବୋଲରଙ୍କ ଉପରେ ପ୍ରହାର କରିଥିଲେ। ହେଲେ ଶୁଭମନ ଗିଲ୍‌ ଆରମ୍ଭରୁ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ। ୧.୩ ଓଭର ଖେଳ ବେଳେ ଗିଲ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଅଭିଷେକ ଶର୍ମାଙ୍କ ସହିତ ସେ ଖେଳକୁ କିଛିବାଟ ଆଗକୁ ନେଇଥିଲେ। ହେଲେ ଶ୍ରୀଲଙ୍କା ବିପକ୍ଷରେ ବି କ୍ୟାପ୍ଟେନ୍‌ଙ୍କ ବ୍ୟାଟ୍ ଚାଲି ନଥିଲା। ଫଳରେ ସୂର୍ଯ୍ୟକୁମର ଯାଦବ ମାତ୍ର ୧୩ ବଲ୍‌ରେ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ଏକାକୀ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏହାପରେ ତିଲକ ବର୍ମା ବ୍ୟାଟିଂ କରିବାକୁ ଆସିଥିଲେ।  

ଅଭିଷେକ ଶର୍ମାଙ୍କ ସହିତ ମିଶି ସେ ଦଳର ସ୍କୋରକୁ ଆଗକୁ ନେଇଥିଲେ। ହେଲେ ଦ୍ରୁତ ଗତିରେ ସ୍କୋର ଆଗକୁ ନେବା ଚକ୍କରେ ପୁଣିଥରେ ଶତକ ହାସଲ କରିବାରେ ବିଫଳ ହୋଇଥିଲେ ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା। ୮.୪ ଓଭର ଖେଳ ବେଳେ ତାଙ୍କ ୱିକେଟ୍ ବି ଯାଇଥିଲା। ଆଜିର ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୧ ବଲ୍‌ରେ ୬୧ ରନ୍ କରିଥିଲେ। ଯେଉଁଥିରେ ସେ ୮ଟି ଚୌକା ଓ ଦୁଇଟି ଛକ୍କା ମାରିଥିଲେ। ଏହାପରେ ସଞ୍ଜୁ ସାମସନ ତିଲକ ବର୍ମାଙ୍କ ସହିତ ମିଶି ସ୍କୋର ବୋର୍ଡକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ।

ସଞ୍ଜୁ ସାମସନ ମଧ୍ୟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ୨୩ ବଲ୍‌ରେ ୩୯ ରନ୍‌ର ଇନିଂସ ଖେଳିଥିବା ବେଳେ ତିନିଟି ଛକା ଓ ଗୋଟିଏ ଚୌକା ମାରିଥଲେ। ୧୫.୩ ଓଭର ଖେଳ ବେଳେ ସଞ୍ଜୁଙ୍କ ୱିକେଟ ଯିବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ହେଲେ ଏଥର ତାଙ୍କର ବ୍ୟାଟ ଚାଲି ନଥିଲା। ସେ ମାତ୍ର ୩ ବଲ୍‌ ଖେଳି ୨ ରନ୍ କରି ଆଉଟ ହୋଇଥିଲେ। ଅନ୍ୟପଟେ ତିଲକ ବର୍ମା ରକ୍ଷଣଶୀଳ ବ୍ୟାଟିଂ ଜାରି ରଖିବା ସହିତ ଦଳର ପାଳି ସମ୍ଭାଳିଥିଲେ।

ହାର୍ଦ୍ଦିକଙ୍କ ୱିକେଟ୍ ଯିବା ପରେ ଅକ୍ଷର ପଟେଲ ମଧ୍ୟ ବର୍ମାଙ୍କ ସହିତ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦୁଇ ବ୍ୟାଟର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ସ୍କୋରକ ୨୦୨ ରନ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଫଳରେ ଭାରତ ୫ ୱିକେଟ ହରାଇ ୨୦୨ ରନ୍ କରିପାରିଥିଲା। ଅକ୍ଷର ପଟେଲ ମାତ୍ର ୧୫ ବଲ୍‌ରେ ୨୧ ରନ୍ କରିଥିବା ବେଳେ ତିଲକ ବର୍ମା ୩୪ ବଲ୍‌ରେ ୯ ରନ୍ କରି ନଟ୍‌ ଆଉଟ୍ ରହିଥିଲେ।

ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ମହୀଶ ଥିକସାନ,ଦୁଷ୍ମନ୍ତ ଚାମିରା, ୱାନିନ୍ଦୁ ହସରଙ୍ଗା, ଦସୁନ ଶନକା ଓ ତରିଥ ଅସଲଙ୍କା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଦଳ ପକ୍ଷରୁ ନୁଆନ ତୁସାରା ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭର ବୋଲିଂ କରି ସର୍ବାଧିକ ୪୩ ରନ୍ ଦେଇଥିଲେ ବି ଗୋଟିଏ ବି ସଫଳତା ପାଇପାରି ନଥିଲେ।