LIVE TV

ୟୁକେର ଘାତକ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ: ୪୬୮ ବିଲିଅନ ଡଲାରର ଡିଲ୍ ଫାଇନାଲ୍

NEWS7
India will buy UK-made missiles

ନୂଆଦିଲ୍ଲୀ: ଗୁରୁବାର ଭାରତ ଓ ୟୁକେ ମଧ୍ୟରେ ୪୬୮ ବିଲିଅନ ଡଲାର ଏକ ପ୍ରତିରକ୍ଷା ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁସାରେ,  ଭାରତ ୟୁକେ ତିଆରି ମିସାଇଲ କିଣିବ। ଏଥିରେ ଭାରତୀୟ ବାୟୁ ପ୍ରତିରକ୍ଷା କ୍ଷମତାକୁ ବଳ ମିଳିବା ସହିତ ଆତ୍ମନିର୍ଭର ଭାରତକୁ ସମର୍ଥନ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି କ୍ଷେପଣାସ୍ତ୍ର ଯୋଗାଣ ଉତ୍ତର ଆୟରଲ୍ୟାଣ୍ଡରେ ସିଧାସଳଖ ୭୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ପ୍ରଥମ ସରକାରୀ ଦୁଇ ଦିନିଆ ଭାରତ ଗସ୍ତର ଶେଷ ଦିନରେ ଏହି ଘୋଷଣା କରାଯାଇଛି। ଭାରତ ଗସ୍ତ ସମୟରେ ୟୁକେ ପିଏମ୍ ତାଙ୍କ ସହିତ ୧୨୫ ଜଣ ବ୍ୟବସାୟ ପ୍ରତିନିଧିଙ୍କୁ ଧରି ଆସିଛନ୍ତି। ଷ୍ଟାରମର ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।

ଏନେଇ ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି "ଏହି ଚୁକ୍ତିନାମା ଭାରତୀୟ ସେନାକୁ ୟୁକେର ବେଲଫାଷ୍ଟରେ ନିର୍ମିତ ହାଲୁକା ମଲ୍ଟିରୋଲ୍ ମିସାଇଲ୍ (LMM) ଦେବାକୁ ସ୍ଥିର କରାଯାଇଛି, ଯାହା ୟୁକେ ପ୍ରତିରକ୍ଷା ଶିଳ୍ପ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଏବଂ ସରକାରଙ୍କ ପରିବର୍ତ୍ତନ ଯୋଜନାକୁ କାର୍ଯ୍ୟକାରୀ କରିବ।"

ଏହା ବ୍ୟତୀତ, ନୌସେନା ଜାହାଜ ପାଇଁ ବୈଦ୍ୟୁତିକ ଚାଳିତ ଇଞ୍ଜିନ ଉପରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ନୂଆଦିଲ୍ଲୀ ଏବଂ ଲଣ୍ଡନ ଏକ କାର୍ଯ୍ୟାନ୍ୱୟନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏନେଇ ୟୁକେ ପ୍ରତିରକ୍ଷା ମନ୍ତ୍ରୀ ଜନ ହିଲେ କହିଛନ୍ତି “ ଆଜି ଘୋଷଣା ହୋଇଥିବା ପ୍ରତିରକ୍ଷା ଚୁକ୍ତିଗୁଡ଼ିକ ଦର୍ଶାଉଛି ଯେ ଭାରତ ସହିତ ଆମର ବଢୁଥିବା ରଣନୈତିକ ସହଭାଗୀତା କିପରି ୟୁକେ ବ୍ୟବସାୟ ଏବଂ ନିଯୁକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ଆମର ଦୁଇ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଏକ ଗଭୀର ସମ୍ପର୍କ ପାଇଁ ପଥ ପ୍ରଶସ୍ତ କରିବ ବୋଲି ମୁଁ ଆଶା କରୁଛି। ବିଶେଷକରି ନୌସେନା ଜାହାଜ ପାଇଁ ବୈଦ୍ୟୁତିକ ଇଞ୍ଜିନ ବିକାଶ ଏବଂ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଆମ ସମ୍ପର୍କ ମଜଭୁତ ହେବ।

ଲାଇଟ ମଲ୍‌ଟିରୋଲ୍ ମିସାଇଲ (ଏଲଏମଏମ), ଯାହାକୁ ମାର୍ଟଲେଟ୍ସ ମଧ୍ୟ କୁହାଯାଏ, ଏହା ବେଲଫାଷ୍ଟ-ଭିତ୍ତିକ ଡିଫେନ୍ସ କଣ୍ଟ୍ରାକ୍ଟର ଥେଲ୍ସ ଏୟାର ଡିଫେନ୍ସ ଦ୍ୱାରା ବିକଶିତ ହାଲୁକା ଆକାଶରୁ ଭୂପୃଷ୍ଠ, ଆକାଶ ରୁ ଆକାଶ-, ଭୂପୃଷ୍ଠରୁ ଆକାଶକୁ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ଼ କରିବାର କ୍ଷମତା ରଖିଛି। ବ୍ରିଟେନ୍‌ର ପୌରାଣିକ କଥା ଅନୁସାରେ ଗୋଡ଼ ନଥିବା ମାର୍ଟଲେଟ୍ ନାମକ ଏକ ପକ୍ଷୀର ନାଁ ଅନୁସାରେ, ଏହାକୁ ନାମିକ କରାଯାଇଛି। ଏହି ମିସାଇଲ୍‌କୁ ଅନ୍ୟ ସୈନ୍ୟ ଉପକରଣ ସହିତ ଡ୍ରୋନ୍‌ରୁ ମଧ୍ୟ ମାଡ଼ କରାଯାଇ ପାରିବ। ବ୍ରିଟେନ୍ ଏହି ମିସାଇଲ୍‌କୁ ପୂର୍ବରୁ ୟୁକ୍ରେନ୍‌କୁ ମଧ୍ୟ ଦେଇଛି।