LIVE TV

ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ, ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

NEWS7
Rain

ଭୁବନେଶ୍ବର ୨୮।୯: ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧ ଅକ୍ଟୋବର  ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ହିଁ ୧ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଏହାସହ ଏକ ଟ୍ରପ୍ ଲାଇନ୍ ମଧ୍ୟ ସକ୍ରିୟ ରହିଛି । ଲଘୁଚାପଟି ଦକ୍ଷିଣ ଛତିଶଗଡ଼ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରରେ ପ୍ରବାହିତ ହୋଇଛି  । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡଘଡି ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ସୋମବାର ଆଭ୍ୟନ୍ତରୀଣ, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡା, କଳାହାଣ୍ଡି, ନୂଆପଡା, ବଲାଙ୍ଗିର ସୋନପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୨୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ବର୍ଷା ସମୟରେ ୩୦ରୁ ୪୦କି.ମି. ପବନ ବହିବାର ସମ୍ଭାବନା ରହିଛି ।

ଆସନ୍ତା ୨ ଦିନ ଯାଏ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣର କିଛି କିଛି ସ୍ଥାନରେ ବର୍ଷା ସହ କୌଣସି ଓ୍ବାର୍ଣ୍ଣିଂ ନଥିବା ବେଳେ ଲଘୁଚାପ ପ୍ରଭାବରେ ପୁଣି ୧ରୁ ବଢିବ ବର୍ଷାର ପରିମାଣ । ବିଶେଷ କରି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବିଶେଷ ପ୍ରଭାବ ପକାଇବ ନାହିଁ । ରାଜ୍ୟରେ ତୁହାକୁ ତୁହା ବର୍ଷା ହେବ କିନ୍ତୁ ଭାରି ବର୍ଷା ହେବ ନାହିଁ ବୋଲି କହିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ ।

ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗୋଟିଏ  ଷ୍ଟେସନ୍‌ରେ ପ୍ରବଳ ବର୍ଷା  ରେକର୍ଡ  ହୋଇଛି । କେନ୍ଦୁଝର ହରିଚନ୍ଦନପୁରରେ ୭୯.୨ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।