ମୋହନl: ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଏହାଦ୍ବାରା ଅନେକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାୟଗଡ଼ ପେକଟ ଗାଁ ନିକଟରେ ଭୁସ୍ଖଳନ ପରେ ଗାଁର କାର୍ତ୍ତିକ ଶବର ଏବଂ ତାଙ୍କ ପୁଅ ରାଜୀବ ଶବରଙ୍କ କୌଣସି ପତ୍ତା ମିଳୁନାହିଁ। ଉଭୟ ଗାଁ ନିକଟସ୍ଥ ଚାଷ ଜମିକୁ ଯାଇଥିବାବେଳେ, ଭୂସ୍ଖଲନ ଯୋଗୁ ମାଟି ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି।

ସେହିଭଳି, ବସ୍ତ୍ରୀଗୁଡ଼ା ଗାଁର ତ୍ରିନାଥ ନାୟକ ଜଣେ ବ୍ୟକ୍ତି ଗାଈ ଚରାଇବାକୁ ଗାଁ ନିକଟସ୍ଥ ପାହାଡ଼କୁ ଯାଇଥିଲେ l ହେଲେ ପାହାଡ଼ରୁ ପଥର ଖସି ଚାପି ହୋଇଯାଇଥିଲେ l ପରେ ପଥର ତଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି ରା.ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ।

ସେପଟେ ବନ୍ଧାଗୁଡ଼ା ଗାଁର ଲକ୍ଷ୍ମଣ ମଲ୍ଲିକ ମଧ୍ୟ ନିଖୋଜ ଅଛନ୍ତି। ସୂଚନା ଅନୁସାରେ, ଗାଈ ଚରାଇବାକୁ ଲୁଡ଼ୁରୁ ଗାଁ ନିକଟକୁ ଯାଇଥିବାବେଳେ ପ୍ରବଳ ବର୍ଷାରେ ଲୁଡ଼ୁରୁ ନଦୀରେ ୨ଟି ଗାଈ ଭାସିଯାଉଥିବାର ଦେଖି ଲକ୍ଷ୍ମଣ ନଦୀରୁ ଗାଈକୁ ଉଦ୍ଧାର କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।