ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦେଖାଦେଇଥିବା ଅନିୟମିତାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। କେବଳ ପରୀକ୍ଷାର୍ଥୀ ନୁହେଁ, ଏହି ପ୍ରସଙ୍ଗ ରାଜନୀତିକ ମହଲରେ ବି ବେଶ୍ ଚର୍ଚ୍ଚାରେ । ଏମିତିରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ​‌ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ସବୁ ପରୀକ୍ଷାର ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ।

ଶନିବାର ଜିଏ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ ସବୁ ଆୟୋଗ ଏବଂ ନିଯୁକ୍ତି ବୋର୍ଡକୁ ଜୁନ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ ନିଯୁକ୍ତି ପରୀକ୍ଷାର ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ, ସମସ୍ତ ସରକାରୀ ବିଭାଗ, ଓପିଆରବି, ଓପିଏସସି, ଓଏସଏସସି, ଓଏସଏସବି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣକୁ ଶନିବାର ସୁଦ୍ଧା ବିସ୍ତୃତ ରିପୋର୍ଟ ଇମେଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉକି, ନିକଟରେ ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍‌ନାକୁ ଆସିଛି। ଯାହା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି। ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଜଣାପଡ଼ିଥିବାବେଳେ, ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି। କିଛି ବଡ଼ମୁଣ୍ଡଙ୍କ ଦ୍ୱାରା ସବୁ ଷଡ଼ଯନ୍ତ୍ର ପରିଚାଳିତ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

ପୂର୍ବରୁ ଓଟିଇଟି ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା। ପ୍ରଶ୍ନପତ୍ର ଲିକ୍‌ ହେବା କାରଣରୁ ପରୀକ୍ଷାକୁ ଗୋଟିଏ ଦିନ ପୂର୍ବରୁ ବାତିଲ୍ କରାଯାଇଥିଲା। ଘଟଣାର ତଦନ୍ତକ୍ରମେ ବୋର୍ଡ ଉପସଭାପତିଙ୍କ ସମେତ ୮ ଜଣକୁ ଗିରଫ କରାଯାଇଥିଲା। ସେହିଭଳି ଆରଆଇ, ଅମୀନ ପରୀକ୍ଷା ମଧ୍ୟ ବ୍ୟାପକ ଅନିୟମିତତା କାରଣରୁ ବାରମ୍ବାର ବାତିଲ ହୋଇଥିଲା।