ଭୁବନେଶ୍ଵର: ମୌସୁମୀ ବିଦାୟ ନେବା ପରେ କୋରାପୁଟକୁ ଛୁଇଁଛି ଶୀତର ପହଲି ସ୍ପର୍ଶ । ବଣପାହାଡ଼ ଘେରା କୋରାପୁଟ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ଢାଙ୍କି ଯାଉଛି । ଘାସର ଢଳ ଢଳ କାକର ବିନ୍ଦୁ ଶୀତ ଆଗମର ସଂକେତ ଦେଇଛି ।  ଲମତାପୁଟ , କୋରାପୁଟ ଆଦି ସ୍ଥାନରେ ହାଲୁକା ଶୀତ ଲହରି ଆରମ୍ଭ ହୋଇଯାଇଥିବାରୁ ଏହାର ଭରପୁର ମଜା ନେଉଛନ୍ତି କୋରାପୁଟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ। ସେପଟେ ପାଣିପାଗ ବିଭାଗ କହିଛି ଆଉ ଦୁଇ ଦିନ ପରେ ଶୀତର ପ୍ରକୋପ ବଢିବ । ବିଶେଷକରି ପାହାଡ଼ିଆ ଅଞ୍ଚଳର ପାରଦ ୧୦ ଡିଗ୍ରୀକୁ ଚାଲିଯିବ।

ଫେରିଯାଇଛି ମୌସୁମୀ । ରାଜ୍ୟକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ । ସାଇତା ହୋଇ ରହିଥିବା କମ୍ବଳ, ସ୍ବିଟର, ଜ୍ୟାକେଟ୍ ବାହାରକୁ ବାହାରିଛି । ଶୀତୁଆ ସକାଳରେ କିଏ ପାର୍କରେ ବ୍ୟାୟମ କରୁଛି ତ ଆଉ କିଏ ଦେହକୁ ସତେଜ ରଖିବା ପାଇଁ ଫୁଟବଲ୍ ଖେଳୁଛି । ସକାଳୁ ସକାଳୁ ଚା ଦୋକାନରେ ବି ଗ୍ରାହକଙ୍କ ଭିଡ ବଢିଛି । ସଂଧ୍ୟାରେ ନିଆଁ ପୋଉଁଥିବାର ଦୃଶ୍ୟ ଦେଖିବାକୁ ମିଳିଲାଣି କୋରାପୁଟ ଜିଲ୍ଲାର ମାଳ ଅଞ୍ଚଳରେ ।

ଲମତାପୁଟ, କୋରାପୁଟ, ସମେତ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପଡିଛି ହାଲୁକା ଶୀତ । ଏହିସବୁ ଅଞ୍ଚଳକୁ ଢାଙ୍କି ରଖିଛି ଘନ କୁହୁଡ଼ି। ଏଥିପାଇଁ ଗାଡ଼ି ମୋଟର ଲାଇଟ ଲଗାଇ ଯାତାୟାତ କରୁଛନ୍ତି । ସକାଳୁ ସକାକୁ ସୂର୍ଯ୍ୟଙ୍କ ପ୍ରଥମ ସ୍ପର୍ଷ ପାଇ ହଳଦିଆ ଓଢଣୀ ଭଳି ଢାଙ୍କି ହୋଇଯାଇଛି ଅଳସୀ ଖେତ । ଶୀତର ପ୍ରଥମ ସ୍ପର୍ଷ ପାଇ ସବୁଜିମା ଓ ଜଙ୍ଗଲ ପାହାଡ ଘେରା କୋରାପୁଟ ଅଞ୍ଚଳର ସୌନ୍ଦର୍ଯ୍ୟ ଦୁଇଗୁଣ ହୋଇଛି ।  ସ୍ଥାନୀୟ ଲୋକେ ଶୀତୁଆ ସକାଳକୁ ଉପଭୋଗ କରିବା ଆରମ୍ଭ କରିଛନ୍ତି ।

ଶୀତ ବଢିଲେ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢେ । ଜିଲ୍ଲାର ଡୁଡୁମା ଓ ରାଣୀଡୁଡୁମା ଜଳପ୍ରପାତ, ଜଲାପୁଟ, କୋଲାବ ଜଳଭଣ୍ଡାର,  ବାଲଡା ଗୁମ୍ଫା, ଦେଓମାଳି ଭଳି ପର୍ଯ୍ୟଟନ ସ୍ଥଳିରେ ପର୍ଯ୍ୟଟକଙ୍କ ଆଗମନ ବି ବଢିଲାଣି ।  କୋରାପୁଟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ ଯେପରି ନଷ୍ଟ ନହେବ, ସେଥିପାଇଁ ଅଳିଆ ଆବର୍ଜନା ଏଣେତେଣେ ନପକାଇବାକୁ ଅନୁରୋଧ କରିଛନ୍ତି କୋରାପୁଟ ବାସିନ୍ଦା।

ରାଜ୍ୟରେ ପହିଲି ଶୀତ ପଡ଼ିଛି ଓ ଆଗକୁ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୨ ଦିନ ପରେ ଶୀତ ବଢିବ। ଏବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡି ୧୫ ଡ଼ିଗ୍ରୀ, ଭୁବନେଶ୍ଵରରେ ୧୮.୫ ଓ କଟକରେ ୧୮.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅଭ୍ୟନ୍ତରୀଣ ଓ ପାହାଡିଆ ଅଞ୍ଚଳରେ ତଳ ମୁହାଁ ରହିଛି ପାରଦ। ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ୯ ତାରିଖ ବେଳକୁ ପାହାଡିଆ ଅଞ୍ଚଳର କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।