ନୂଆଦିଲ୍ଲୀ ୧୮।୧୦ : ଅମୃତସର-ସହରସା ଗବ ରଥ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ। ଶନିବାର ସକାଳେ ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଟ୍ରେନ-12204 ସିରହିନ୍ଦ ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଯାଇଥିଲା। ଟ୍ରେନଟି ସିରହିନ୍ଦ ଷ୍ଟେସନରୁ ପ୍ରାୟ ଅଧ କିଲୋମିଟର ଯାତ୍ରା କରିଥିଲା। ଯାତ୍ରୀମାନେ ଗୋଟିଏ କୋଚ୍‌ରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଟ୍ରେନ ତୁରନ୍ତ ଅଟକାଇ ଦିଆଯାଇଥିଲା ରେଳ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରେଳ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ସେ କହିଛନ୍ତି ଯେ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ। ତଥାପି ଜଣେ ମହିଳା ଯାତ୍ରୀ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଳ ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଘଟଣା ଘଟିଥିଲା। ଅଗ୍ନିକାଣ୍ଡ ଜଣାପଡ଼ିବା ମାତ୍ରେ ରେଳ କର୍ମଚାରୀମାନେ ତୁରନ୍ତ କୋଚକୁ ଖାଲି କରିଥିଲେ ଅଗ୍ନିଶମ ଦଳଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

ରେଲଓ୍ୱେ ବିବୃତ୍ତିରେ କୁହାଯାଇଛି, "ସିରହିନ୍ଦ ଷ୍ଟେସନରେ ଅମୃତସର-ସହରସା ଗରିବ ରଥ ଏକ୍ସପ୍ରେସ୍ (୧୨୨୦୪)ର ଏକ କୋଚରେ ନିଆଁ ଲାଗିଥିବା ଦେଖାଯାଇଥିଲା। ରେଳ ଅଧିକାରୀମାନେ ତୁରନ୍ତ ଯାତ୍ରୀମାନଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରିଥିଲେ ଏବଂ ନିଆଁ ଲିଭାଇ ଦେଇଥିଲେ। କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି। ଟ୍ରେନ୍ ଖୁବ୍ ଶୀଘ୍ର ତାର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ।"

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ତଦନ୍ତାଧୀନ। ରେଳବାଇ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି। ସାମାନ୍ୟ ବିଳମ୍ବ ପରେ ଯାତ୍ରୀମାନଙ୍କୁ ପୁଣିଥରେ ଟ୍ରେନ ଛାଡିବାକୁ ଅନୁମତି ଦେବା ପାଇଁ ପ୍ରସ୍ତୁତି ଚାଲିଛି।