ଉମରକୋଟ ୫।୧୧: ବିନା ସରକାରୀ ନିୟମ ଅନୁଯାୟୀ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଦମ୍ପତିଙ୍କୁ ମହଙ୍ଗା ପଡିଛି । ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନ ପକ୍ଷରୁ ଦମ୍ପତିଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣା ଅଞ୍ଚଳର ଦମ୍ପତି ଏକ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ତେବେ ୧୧ ଦିନର ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଖରାପ ହେବାରୁ ଚିକିତ୍ସା ପାଇଁ  ଉମରକୋଟ ମେଡ଼ିକାଲରେ  ୪ ଦିନ ହେବ ଭର୍ତ୍ତି କରିଥିଲେ । ଡ଼ାକ୍ତରଖାନାରେ ଡାକ୍ତର ଶିଶୁର ଜନ୍ମ ତାରିଖ, ଟୀକାକରଣ ତାରିଖ, ମାର ନାମ ଆଦି ପଚାରିଥିଲେ । କାହାର ଶିଶୁ ପୁତ୍ର ତାହା ମଧ୍ୟ ଦମ୍ପତି କହିନଥିଲେ ଫଳରେ ସ୍ୱାସ୍ଥ୍ୟ କର୍ମଚାରୀ ସନ୍ଦେହ କରି ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ପରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ

ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ତୁରନ୍ତ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍‌ରେ ଶିଶୁ ମଙ୍ଗଳ କମିଟିର ସଭ୍ୟ ରବୀନ୍ଦ୍ର ପଧାନ, 'ଶା' ମ୍ୟାନେଜର ସାଗର ପଟ୍ଟନାୟକ, ଚାଇଲ୍ଡ ଲାଇନ କାଉନସିଲର ନିହାରିକା ଟାକ୍ରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ଅଧୀନରେ ରଖାଯାଇଛି । ମେଡ଼ିକାଲରେ ଶିଶୁଟିକୁ ଭର୍ତ୍ତି କରିଥିବା ଦମ୍ପତି ଉଦ୍ଧାରକାରୀ ଟିମ୍ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ପୁତ୍ରଟି କାହାର କିଛି କହି ସମସ୍ତ କଥାକୁ ଗୋପନୀୟ ଭାବେ ରଖିବା ସହ ବେଆଇନ ଭାବେ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଉଦ୍ଦେଶ୍ୟ ରହିଥିବାରୁ ଥାନାରେ ଦମ୍ପତିଙ୍କ ନାଁରେ ଅଭିଯୋଗ କରାଯାଇଛି । ବର୍ତ୍ତମାନ ଉଦ୍ଧାର ଶିଶୁଟିକୁ CWC ନିକଟରେ ହାଜର କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିୟମ ଅନୁଯାଇ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।